ଅର୍ଜୁନ ରାମପଲଙ୍କ ଗର୍ଲଫ୍ରେଣ୍ଡଙ୍କ ଭାଇ ପୁଣି ଗିରଫ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପଲଙ୍କ ଲିଭ୍-ଇନ୍ ପାର୍ଟନର୍ ତଥା ଗର୍ଲଫ୍ରେଣ୍ଡ୍ ଗେବ୍ରିଏଲା ଡେମେଟ୍ରିଏଡସଙ୍କ ଭାଇ ଅଗିସିଲାଓସ୍ ଡେମୋଟ୍ରିଏଡସଙ୍କୁ ପୁଣିଥରେ ଗିରଫ କରାଯାଇଛି। ଗଞ୍ଜେଇ ଓ ଚରସ ଜବତ ହେବା ଘଟଣାରେ ତାଙ୍କୁ ଏନସିବି ଗୋଆରୁ ଗିରଫ କରିଛି।

ଏନସିବି ଗୋଟିଏ ବିବୃତିରେ କହିଛି ଯେ ଅଗିସିଲାଓସ ଶୁକ୍ରବାର ଅସିଦ୍ଧ ଘୋଷଣା ହୋଇଥିବା ନିଶାଦ୍ରବ୍ୟ ରଖିଥିବା ଘଟଣାରେ ଗିରଫ ହୋଇଛନ୍ତି। ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ମଧ୍ୟ ସେ ନିଶା କାରବାର ମାମଲାର ଦୁଇଥର ଗିରଫ ହୋଇଥିଲେ।

ଅନ୍ୟପକ୍ଷରେ ବର୍ତ୍ତମାନ ଲଣ୍ଡରେ ଥିବା ଅର୍ଜୁନ ରାମପଲ ଗୋଟିଏ ବିବୃତିରେ କହିଛନ୍ତି, “ମୋ ପରିବାର ଓ ମୋ କଥା ବିଚାରକୁ ନେଲେ ଆମେ ସବୁବେଳେ ଆଇନକୁ ସମ୍ମାନ ଜଣାଇ ଥାଉ। ମୋ ପାର୍ଟନରଙ୍କ ଜଣେ ସମ୍ପର୍କୀୟ ଘଟଣା ସମ୍ପର୍କରେ ମୁଁ ଜାଣିବାକୁ ପାଇଛି। ତାଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ।”

ଗୋଆରେ ସପ୍ତାହ ଧରି ଏନସିବି ରେଡ୍‌ କରିବା ବେଳେ ଅଗିସିଲାଓସଙ୍କ ଆଉ ୩ ଜଣଙ୍କୁ ଗିରଫ କରିଛି। ଏନସିବିର ଗୋଆ ସବ ଜୋନ ୟୁନିଟର ଅଧିକାରୀମାନେ ବୁଧବାର ପ୍ରଥମେ ଛତିଶଗଡ଼ର ନୌମାନଙ୍କୁ ସିଓସିମଙ୍କୁ ଗିରଫ କରିଥିଲେ। ଏହାପରେ ତାଙ୍କ ସହଯୋଗୀ ହାଇଦ୍ରାଇବାଦର ସିଦ୍ଦିକ ଅହମଦ ଗିରଫ ହୋଇଥିଲେ।

ଶୁକ୍ରବାର ଅଗିସିଲାଓସଙ୍କ ଉତ୍ତର ଗୋଆରେ ଥିବା ପେରନେମ ସ୍ଥିତ ବାସଭବନରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ତାଙ୍କ ଘରୁ କିଛି ପରିମାଣର ବେଆଇନ ନିଶା ଦ୍ରବ୍ୟ ଠାବ କରାଯାଇଥିଲା। ସେଠାରୁ ଅଗିସିଲାଓସଙ୍କ ସହ ମୁମ୍ବାଇର ମୟୂର ନାମକ ଜଣେ ଯୁବକଙ୍କୁ ମଧ୍ୟ ଏନସିବି ଗିରଫ କରିଥିଲା। ଗିରଫ କରାଯିବା ପରେ ସମସ୍ତଙ୍କୁ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ମଧ୍ୟ ଅଗିସିଲାଓସ୍ ଗିରଫ ହୋଇଥିଲେ। ଏହି ସମୟରେ ଏନସିବି ଅର୍ଜୁନ ରାମପଲ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ମଧ୍ୟ ନିଶା କାରବାର ମାମଲାରେ ଜେରା କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।