ପାକିସ୍ତାନ ଡ୍ରୋନକୁ ଗୁଳି କରି ଖସାଇଲା ବିଏସ୍‌ଏଫ

ଅମୃତସର: ପୁଣିଥରେ ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଡ୍ରୋନ ଦ୍ୱାରା ଭାରତୀୟ ସୀମା ଉପରେ ନଜର ଓ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ପାକିସ୍ତାକୁ ଆଜି ବଡ଼ ଝଟକା ଲାଗିଛି। ବିଏସ୍‌ଏଫ ଯବାନମାନେ ଅମୃତସର ସ୍ଥିତ ଭାରତ-ପାକିସ୍ତାନ ସୀମା ନିକଟରେ ଉଡ଼ୁଥିବା ଗୋଟିଏ ଡ୍ରୋନକୁ ଗୁଳି କରି ଖସାଇ ଦେଇଛନ୍ତି। ଏହି ଡ୍ରୋନଟି ପାକିସ୍ତାନ ପଟୁ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା।

ସୂତ୍ର ଅନୁସାରେ, ଆଜି ଭୋର ସମୟରେ ପାକିସ୍ତାନ ଡ୍ରୋନ ଶାହପୁର ବର୍ଡର ଆଉଟ ପୋଷ୍ଟ ନିକଟ ଭାରତୀୟ ସୀମାରେ ବୁଲୁଥିବା ବିଏସ୍‌ଏଫ ଯବାନମାନେ ଦେଖିଥିଲା। ଏହାପରେ ଜଣେ ବିଏସ୍‌ଏଫ ଯବାନ ଡ୍ରୋନଟିକୁ ଗୁଳି କରି ଖସାଇ ଦେଇଥିଲେ। ପାକିସ୍ତାନ ରେଞ୍ଜର୍ସ ବର୍ଡର ପୋଷ୍ଟର ଦେଓରି ଫରୱାର୍ଡରୁ ଏହି ଡ୍ରୋନଟି ଭାରତକୁ ପଠା ଯାଇଥିଲା। ଡ୍ରୋନକୁ ଗୁଳି କରି ଖସାଇବା ପରେ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ହେଲେ ଏଯାଏ ସୀମାରେ କୌଣସି ସନ୍ଦିଗ୍ଧ ଗତିବିଧି କିମ୍ବା ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ସମ୍ପର୍କରେ ତଥ୍ୟ ମିଳିନାହିଁ।

ପୂର୍ବରୁ ପାକିସ୍ତାନ ସୀମାରୁ ଡ୍ରୋନ ଦ୍ୱାରା ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଭାରତକୁ ପଠାଯିବାର ନଜିର ରହିଛି। ସେହିପରି ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳେ ମଧ୍ୟ ଡ୍ରୋନ ଦ୍ୱାରା ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରେ ପାକିସ୍ତାନ ନଜର ରଖିଥାଏ। ଏଥର ମଧ୍ୟ ସେମିତି କିଛି ଯୋଜନା ହୋଇଥିଲା ବୋଲି ଆଶଙ୍କା ପ୍ରକାଶ ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।