ଅଟୋମୋବାଇଲ ସେକ୍ଟରକୁ ୨୬ ହଜାର କୋଟି, ୮ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ଓ ମୋଟରଯାନର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଆଜି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଅଟୋ ଇଣ୍ଡଷ୍ଟ୍ରୀ, ଅଟୋ କମ୍ପୋନେଟ ଇଣ୍ଡଷ୍ଟ୍ରୀ ଓ ଡ୍ରୋନ ଇଣ୍ଡଷ୍ଟ୍ରୀକୁ ସହାୟତା କରିବା ପାଇଁ ଆଜି କେନ୍ଦ୍ର ସରକାର ପ୍ରଡକ୍ସନ ଲିଙ୍କଡ ଇନସେନଟିଭ (ପିଏଲଆଇ) ଘୋଷଣା କରିଛନ୍ତି।

ଏହି ପିଏଲଆଇକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେବା ସହ ଡ୍ରୋନ ଓ ଅଟୋମୋବାଇଲ କ୍ଷେତ୍ର ପାଇଁ ୨୬,୦୫୮ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛି। ଏହାଦ୍ୱାରା ଦେଶରେ ୮ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଭାରତର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବାକୁ କ୍ୟାବିନେଟ ଏପରି ନିଷ୍ପତ୍ତି ନେଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ସେ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅଟୋ ଓ ଡ୍ରୋନ ଇଣ୍ଡଷ୍ଟ୍ରୀ ପାଇଁ କେନ୍ଦ୍ର ସରକାର ପିଏଲଆଇ ସ୍କିମକୁ ଅନୁମୋଦନ ଦେଇଛନ୍ତି।

ଆସନ୍ତା ୫ ବର୍ଷ ମଧ୍ୟରେ ଉଭୟ ସେକ୍ଟର ପାଇଁ ୨୬,୦୫୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ମଧ୍ୟରୁ ୨୫,୯୩୮ କୋଟି ଟଙ୍କା ଅଟୋମୋବାଇଲ ସେକ୍ଟର ଓ ୧୨୦ କୋଟି ଟଙ୍କା ଡ୍ରୋନ ସେକ୍ଟର ପାଇଁ ରହିଛି। ଆସନ୍ତା ୫ ବର୍ଷ ମଧ୍ୟରେ ଅତିରିକ୍ତ ୪,୭୫,୦୦ କୋଟି ଟଙ୍କା ମଧ୍ୟ ଦିଆଯିବ।

ଡ୍ରୋନ ସେକ୍ଟର୍‌ରେ ପିଆଇଏଲ ସ୍କିମ ବଳରେ ଆସନ୍ତା ୩ ବର୍ଷରେ ୫,୦୦୦ କୋଟି ଟଙ୍କା ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବ। ସେହିପରି ଇନକ୍ରିମେଣ୍ଟାଲ ପ୍ରଡକ୍ସନ ମଧ୍ୟ ୧୫ଶହ କୋଟି ରହିବ। ଅଟୋମୋବାଇଲ ସେକ୍ଟର ପାଇଁ ପିଏଲଆଇ ସ୍କିମ ଦ୍ୱାରା ଅତିରିକ୍ତ ୭.୬ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହା ୪୨,୫୦୦ କୋଟିର ଅତିରିକ୍ତ ପୁଞ୍ଜି ନିବେଶ ପାଇଁ ପଥ ତିଆରି କରିବ।

ଭାରତର ଜିଡିପିରେ ଅଟୋମୋବାଇଲ କ୍ଷେତ୍ରର ସହଯୋଗକୁ ୧୨% ଯାଏ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଏହା ୭.୧% ରହିଛି। ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ପିଏଲଆଇ ସ୍କିମ ଲାଗୁ କରାଯାଇଛି। ଦେଶର ଶିଳ୍ପସଂସ୍ଥାକୁ ସୁଦୃଢ଼ ଓ ସ୍ଥାନୀୟ ମାର୍କେଟକୁ ଫାଇଦା ଦେବା ପାଇଁ ଏପରି ବ୍ୟବସ୍ଥା ହୋଇଥିବା ଶ୍ରୀ ଠାକୁର କହିଛନ୍ତି।


ଏହି ଯୋଜନା ଦ୍ୱାରା ଦେଶରେ ଉତ୍ପାଦନ କ୍ଷମତା ବଢ଼ିବ। ପରିବେଶକୁ ସୁହାଇଲା ଭଳି ବିଜୁଳି ଚାଳିତ ଗାଡ଼ି ଓ ହାଇଡ୍ରୋଜେନ ଫ୍ୟୁଲଏ ସେଲ ଗାଡ଼ି ମଧ୍ୟ ମାର୍କେଟକୁ ଆସିବ। ବିଜୁଳି ଗାଡ଼ିର ଉତ୍ପାଦନକୁ ପିଏଲଆଇ ସ୍କିମ ବଢ଼ାଇବ ବୋଲି ଆଶା କରାଯାଉଛି। ଡ୍ରୋନ କ୍ଷେତ୍ର ପାଇଁ ହୋଇଥିବା ବ୍ୟୟବରାଦ ଦ୍ୱାରା ୩ ବର୍ଷରେ ୧୦ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।