ବାବୁଲ ସୁପ୍ରିଓଙ୍କୁ କ୍ୟାବିନେଟ ମନ୍ତ୍ରୀ କଲେ ମମତା ବାନାର୍ଜୀ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାକୁ ନେଇ ଚାପରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ କ୍ୟାବିନେଟକୁ ସଂପ୍ରସାରଣ କରିଛନ୍ତି। ମମତାଙ୍କ ମନ୍ତ୍ରିମଣ୍ଡଳରେ ୫ ଜଣ ନୂଆ ଚେହେରାଙ୍କୁ କ୍ୟାବିନେଟ ପଦ ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ବାବୁଲ ସୁପ୍ରିଓ।

ବିଜେପିର ପୂର୍ବତନ ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କୁ ମମତା କ୍ୟାବିନେଟରେ ସାମିଲ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତବର୍ଷ ବାବୁଲ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ। ଏହାପରେ ସେ ଟୋଲିଗଞ୍ଜ ଉପ ନିର୍ବାଚନରେ ବାଜିମାତ କରି ବିଧାନସଭାକୁ ଯାଇଥିଲେ। ଏବେ ମମତା ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିଛନ୍ତି।

କିଛି ଦିନ ପୂର୍ବରୁ ମମତା ତାଙ୍କର ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ। ତାଙ୍କୁ ମନିଲଣ୍ଡରିଂ ମାମଲାରେ ଇଡି ଗିରଫ କରିଛି। ଏହି ଘଟଣା ପରେ ହିଁ ଆଜି ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି।

ବାବୁଲଙ୍କ ବ୍ୟତୀତ ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ, ଉଦୟନ ଗୁହା ଓ ପ୍ରଦୀପ ମଜୁମଦାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହ୍ନାଶିଷ ଦଳର ମୁଖପାତ୍ର ରହିଥିବା ବେଳେ ହୁଗୁଳି ଜିଲ୍ଲାର ଟିଏମସି ମୁଖ୍ୟ ଭାବେ କାମ କରୁଥିଲେ। ପାର୍ଥ ଭୌମିକି ୩ଥରର ବିଧାୟକ। ଉଦୟନ ଗୁହା ୨୦୧୬ ଟିଏମସିରଆ ଯୋଗ ଦେଇଥିଲେ।

ଏମାନଙ୍କ ବାଦ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ୟରେ ବିରବାହ ହାଁସଦା, ବିପ୍ଳବ ରୟ ଚୌଧୁରୀ, ତଜମୁଲ ହୁସେନ ଓ ସତ୍ୟଜିତ ବର୍ମା। ହାଁସଦା ଜଣେ ଆଦିବାସୀ ନେତା। ସେହିପରି ବିପ୍ଳବ ଚୌଧୁରୀ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱରେ ରହିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।