ଉଚ୍ଚ ଆପାର୍ଟମେଣ୍ଟର ଫ୍ଲୋରରୁ ଫ୍ଲୋରକୁ ବ୍ୟାପିପାରିବ କି କରୋନା?

ବେଙ୍ଗାଲୁରୁ: ଉଚ୍ଚ ଉଚ୍ଚ ଆପାର୍ଟମେଣ୍ଟର ଗୋଟିଏ ଫ୍ଲୋରରୁ ଆଉ ଗୋଟିଏ ଫ୍ଲୋରକୁ କରୋନା ଆପେଆପେ ବ୍ୟାପୁଛି କି? କରୋନା ଉପରୁ ତଳକୁ ଓ ତଳକୁ ଉପରକୁ ବ୍ୟାପିବାର କ୍ଷମତା ରଖିଛି କି? ଏଭଳି ପ୍ରଶ୍ନ ଏବେ ଲୋକଙ୍କ ମନରେ ସୃଷ୍ଟି ହୋଇଛି। କାରଣ ବେଙ୍ଗାଲୁରୁର ଲାଲ ବାହାଦୂର ଶାସ୍ତ୍ରୀ ନଗର ଅଞ୍ଚଳରେ ଥିବା ସୁଉଚ୍ଚ ଆପାର୍ଟମେଣ୍ଟରେ ଜଣେ ମହିଳା ପ୍ରଥମେ ଜ୍ୱର, ମୁଣ୍ଡ ବିନ୍ଧା ଓ ବଡି ପେନ୍‌ ଅନୁଭବ କରିଥିଲେ।

ସେ ୧୦ରୁ ୧୨ ଦିନ କାଳ ଘରୁ ପାଦ କାଢ଼ି ନଥିଲେ। ବାତ୍ୟା ତଉକତେ ପରେ ହିଁ ମହିଳା ଜଣଙ୍କ ଜ୍ୱରରେ ହଠାତ୍‌ ଆକ୍ରାନ୍ତ ହୋଇଥିଲେ। ସେ କାହା ସହ ମିଶି ନଥିଲେ ହେଁ କେମିତି କରୋନାରେ ସଂକ୍ରମିତ ହେଲେ, ତା’କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ମହିଳା ଜଣଙ୍କ ରହୁଥିବା ଘରର ଉପର ଫ୍ଲୋରରେ କିଛି ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେଣୁ କ’ଣ କରୋନା ସିଧା ସଳଖ ଗୋଟିଏ ଫ୍ଲୋରରୁ ଆଉ ଗୋଟିଏ ଫ୍ଲୋରକୁ ବ୍ୟାପିବାର କ୍ଷମତା ରଖିଛି କି ବୋଲି ସମସ୍ତଙ୍କ ମନରେ ଉଙ୍କି ମାରିବା ଆରମ୍ଭ ହୋଇଥିଲା।

ଭର୍ଟିକାଲ ବା ସିଧା ଭାବେ ଭୂତାଣୁ ବ୍ୟାପିଛୁ କି ନାହିଁ, ତା’କୁ ଜାଣିବା ପାଇଁ ୨୦୦୨ ମସିହାରୁ ଗବେଷକମାନେ ପ୍ରୟାସ କରିଥିଲେ। କାରଣ ୨୦୦୨ ମସିହାରେ ସାର୍ସ ଭାଇରସ ସାମ୍ନାକୁ ଆସିଥିଲା। ୨୦୧୯ରେ ସାର୍ସ-କୋଭ-୨ ଆସିଛି। ଗବେଷକମାନେ ସେତେବେଳେ ଗବେଷଣା କରି ଜାଣିବାକୁ ପାଇଥିଲେ ଯେ ସାର୍ସ ବିଭିନ୍ନ ଫ୍ଲୋରରେ ଥିବା ଫ୍ଲାଟରୁ ଆଉ ଗୋଟିଏ ଫ୍ଲାଟକୁ ଏହା ବ୍ୟାପିବାର କ୍ଷମତା ରଖିଛି।

ଗବେଷଣାରୁ ଜଣାପଡ଼ିଥିଲା ଯେ ସୁଉଚ୍ଚ ଆପାର୍ଟମେଣ୍ଟରେ ଟ୍ରାନ୍ସମିଶନର ଏକାଧିକ ରୁଟ ରହିଛି। ଏହା ମଧ୍ୟରୁ ଗୋଟିଏ ହେଲା ନ୍ୟାଚୁରାଲ ଭେଣ୍ଟିଲେଟିଭ ଏୟାର ଫ୍ଲୋ। ଏହା ଦୁଇଟି ଫ୍ଲାଟ ମଧ୍ୟରେ ଖୋଲା ଝରକା ଭାବେ କାମ କରେ। ତେଣୁ ଏହି ବାଟେ ଉପର ଫ୍ଲୋରରୁ ବାୟୁ ତଳକୁ ଫ୍ଲୋରକୁ ଆସିବାର ଆଶଙ୍କା ରହିଛି।

୨୦୨୦ ସାର୍ସ କୋଭ-୨ ବେଳେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଭାଇରସ ଲୋଡେଡ ଏରୋସୋଲ୍ସଗୁଡ଼ିକ ଭର୍ଟିକାଲ ଭାବେ ଯାତାୟାତ କରିପାରିବେ। ମାଷ୍ଟର ବାଥରୁମ ସହ ସଂଯୁକ୍ତ ଡ୍ରେନଜ ପାଇପ ଲାଇନ ଜରିଆରେ ଏହା ଗୋଟିଏ ଫ୍ଲୋରରୁ ଆଉ ଗୋଟିଏ ଫ୍ଲୋରକୁ ବ୍ୟାପିବାର କ୍ଷମତା ରଖିଛି।

ଚାଇନାରେ ରହୁଥିବା ୩ଟି ପରିବାରକୁ ନେଇ ଏହି ଗବେଷଣା କରାଯାଇଥିଲା। ସମସ୍ତେ ଗୋଟିଏ ଆପାର୍ଟମେଣ୍ଟରେ ରହୁଥିଲେ। ହେଲେ ସେମାନଙ୍କ ଫ୍ଲୋର ତଳ ଉପର ହୋଇ ରହିଥିଲା। ଗତବର୍ଷ ଜାନୁଆରୀ ୨୬ରୁ ଫେବୃଆରୀ ୧୩ ମଧ୍ୟରେ ସେମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଏମାନଙ୍କ ମଧ୍ୟରୁ ଗୋଟିଏ ପରିବାର କରୋନାର ଉତ୍ପତ୍ତିସ୍ଥଳ ଉହାନରୁ ଫେରିଥିଲେ। ଗବେଷଣା ବେଳେ ଜଣାପଡ଼ିଥିଲା ଯେ ଏହି ୩ ପରିବାର ସଦସ୍ୟଙ୍କ ମଧ୍ୟରେ କୌଣସି ଚିହ୍ନା ପରିଚୟ ନାହିଁ। ଜଣଙ୍କ ଠାରୁ ଆଉ ଜଣଙ୍କୁ କରୋନା ଭାଇରସ ବ୍ୟାପିବାର ସିଧାସଳଖ କୌଣସି ଆଶଙ୍କା ନାହିଁ।

ତଥାପି ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଗବେଷଣକମାନେ ଲିଫ୍ଟ ଦ୍ୱାରା ସଂକ୍ରମଣ ହୋଇଥିବା ଆଶଙ୍କା କରିଥିଲେ। ହେଲେ ଗବେଷଣା ବେଳେ ଏ ସମ୍ପର୍କରେ କୌଣସି ଲିଙ୍କ ମିଳି ନଥିଲା। ଶେଷରେ ଗବେଷକମାନେ ଜାଣିବାକୁ ପାଇଥିଲେ ଯେ ୩ ପରିବାର ଗୋଟିଏ ପରସ୍ପରକୁ ଭର୍ଟିକାଲ ଢଙ୍ଗରେ ଲାଗି ରହିଥିବା ଫ୍ଲାଟରେ ରହୁଥିଲେ।

ସେମାନଙ୍କ ମାଷ୍ଟର ବାଥରୁମରୁ ଡ୍ରେନଜ ପାଇପ ସଂଯୋଗ ହୋଇଥିଲା। ଏହାଦ୍ୱାରା ହିଁ ଏରୋସୋଲ୍ସ ଜରିଆରେ ଭାଇରସ ଭର୍ଟିକାଲ ବା ଉପରୁ ତଳକୁ ଆସି ତଳ ଫ୍ଲୋରରେ ରହୁଥିବା ଲୋକଙ୍କୁ ସଂକ୍ରମଣ କରିଛି। ସେମାନେ ଜାଣିବାକୁ ପାଇଥିଲେ ଯେ ଉପଯୁକ୍ତ ବାୟୁ ଚଳାଚଳର ଅଭାବ, ଏୟାର ଲିକେଜ କିମ୍ବା ଅଜାଣତରେ ଏୟାର ଫ୍ଲୋ ପାଇଁ ସଂକ୍ରମଣ ଘଟିଥାଇ ପାରେ ବୋଲି ସେମାନେ ଜାଣିବାକୁ ପାଇଥିଲେ। ତେଣୁ ବେଙ୍ଗାଲୁରୁ ଆପାର୍ଟମେଣ୍ଟ ସଂକ୍ରମଣ ପଛରେ ଏହି କାରଣ ଥାଇପାରେ ବୋଲି କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।