ନରବଳି ଘଟଣା: ମଣିଷ ମାଂସ ରାନ୍ଧି ଖାଇଥିଲେ, ମୃତଦେହକୁ ୫୬ ‌ଖଣ୍ଡ କରିଥିଲେ

ଥିରୁଅନନ୍ତପୁରମ: ରାତାରାତି ଧନୀ ହେବା ପାଇଁ କେରଳରେ ନରବଳି ଦିଆଯିବା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। କେରଳ ଜଣେ ଦମ୍ପତି ଦୁଇ ମହିଳାଙ୍କ ବଳି ଦେଇଥିବା ବେଳେ ଏହା ପଛରେ ଜଣେ ଏଜେଣ୍ଟ ରହିଛି। ପୁଲିସ ସେମାନଙ୍କୁ ଗିରଫ କରିବା ପରେ ଅତ୍ୟନ୍ତ ଲୋମହର୍ଷଣକାରୀ ଓ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି।

ଦୁଇ ମହିଳାଙ୍କ ବଳି ପାଇଁ ପ୍ରଥମେ ଦମ୍ପତି ହତ୍ୟା କରିଥିଲେ। ଏହାପରେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ପକାଇଥିଲେ। ଶେଷରେ ମଣିଷ ମାଂସକୁ ରାନ୍ଧି ଖାଇବାକୁ ମଧ୍ୟ ପଛାଇ ନଥିଲେ। ଜଣେ ମହିଳାଙ୍କ ମୃତଦେହକୁ ଅଭିଯୁକ୍ତ ଦମ୍ପତି ଓ ଏଜେଣ୍ଟ ମହମ୍ମଦ ଶାଫି ଟିକିଟିକି କରି ୫୬ ଖଣ୍ଡ କରିଥିଲେ ବୋଲି ପୁଲିସ୍‌ କହିଛି।

ପୁଲିସ କହିଛି ଯେ ଦୁଇ ମହିଳା ରୋସେଲିନ ଓ ପଦ୍ମାଙ୍କୁ ପ୍ରଥମେ ଦମ୍ପତି ଘର ମଧ୍ୟକୁ ନେଇ ବାନ୍ଧି ଦେଇଥିଲେ। ସେମାନଙ୍କୁ ତଣ୍ଟିଚିପି ହତ୍ୟା କରିବା ପୂର୍ବରୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ନିର୍ଯାତନା ଦିଆଯାଇଥିଲା। ଦୁଇ ମହିଳାଙ୍କ ହାତଗୋଡ଼ ବାନ୍ଧି ଅଭିଯୁକ୍ତମାନେ ଜଣଙ୍କର ସ୍ତନ କାଟି ଦେଇଥିଲେ। ସେଥିରୁ ରକ୍ତ ବୋହିବା ବନ୍ଦ ହେବା ପର୍ଯ୍ୟନ୍ତ ତାଙ୍କୁ ସେଭଳି ଅବସ୍ଥାରେ ରଖାଯାଇଥିଲା। ଏହାପରେ ସେମାନଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିଲା।

ଜଣେ ମହିଳାଙ୍କ ମୃତଦେହକୁ ସେମାନେ ୫୬ ଖଣ୍ଡ କରିଥିଲେ। ଘର ପାଖରେ ଥିବା ୩ଟି ଗାତରୁ ମୃତଦେହର ଖଣ୍ଡବିଖଣ୍ଡିତ ଅଂଶ ମିଳିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ମହମ୍ମଦ ଶାଫି। ସେ ଜଣେ ଯୌନ କେଳେଙ୍କାରୀ ପ୍ରକୃତିର ଲୋକ। ସେ ମହିଳାମାନଙ୍କୁ ନିଜ ଜାଲରେ ଫସାଇ ଅଭିଯୁକ୍ତ ଦମ୍ପତି ଭାଗବଲ ସିଂହ ଓ ଲୈଲାର ଘରକୁ ଆଣିଥିଲା। ୨୦୨୦ ମସିହାରେ ଶାଫି ଜଣେ ୭୫ ବର୍ଷୀୟ ବୃଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ଏହି ଘଟଣାରେ ସେ ଜାମିନରେ ମୁକିଳିଥିଲା।

ଶାଫି ଦୁଇ ପୀଡ଼ିତ ମହିଳାଙ୍କୁ ଗୋଟିଏ ପର୍ଣ୍ଣୋଗ୍ରାଫି ଫିଲ୍ମରେ ଅଭିନୟ କଲେ ବହୁତ ଟଙ୍କା ମିଳିବ ବୋଲି କହି ନିଜ ଆଡ଼କୁ ଆକର୍ଷିତ କରିଥିଲା। ସମାନ ସମୟରେ ସେ ସିଂହ ଦମ୍ପତିକୁ ଆର୍ଥିକ କଷ୍ଟ ଦୂର କରିବାକୁ ନରବଳି ଦେବାକୁ ପ୍ରବର୍ତ୍ତାଇ ଥିଲା। ତା’ କଥାରେ ରାଜି ହୋଇ ଦୁଇ ମହିଳା ଟଙ୍କା ଲୋଭରେ ସିଂହ ଦମ୍ପତିର ଘରେ ପହଞ୍ଚିଥିଲେ। ସିଂହ ଦମ୍ପତି ଏହାର ଫାଇଦା ଉଠାଇ ଧନୀ ହେବା ଲୋଭରେ ସେମାନଙ୍କୁ ବଳି ଦେଇଥିଲେ।

କୋଚି ପୁଲିସ୍‌ ମୁଖ୍ୟ ସିଏଚ୍‌ ନାଗାରାଜୁ କହିଛନ୍ତି, “ଅଭିଯୁକ୍ତମାନେ ହତ୍ୟା ପରେ ଦୁଇ ମହିଳାଙ୍କ ଶରୀରର କିଛି ଅଂଶ ଖାଇ ଦେଇଥିବା ସନ୍ଦେହ କରାଯାଉଛି। ଏହାର ତଦନ୍ତ ଏବେ କରାଯାଉଛି। ତଦନ୍ତ ପରେ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ।”

ଭାଗବଲ ସିଂହ ଜଣେ ମ୍ୟାସେଜ ଥେରାପିଷ୍ଟ ଭାବେ କାମ କରୁଥିଲା। ସୋଶାଲ ମିଡିଆରେ ସେ ନିଜକୁ ଶାସକ ସିପିଆଇ(ଏମ) ସହ ଜଡ଼ିତ ଥିବା କହୁଥିଲା। ହେଲେ ଦଳ ଭାଗବଲକୁ ଚିହ୍ନି ନଥିବା କହିଛି।

ରୋସେଲିନ ଜୁନ ମାସରେ ନିଖୋଜ ହୋଇଥିବା ବେଳେ ପଦ୍ମା ସେପ୍ଟେମ୍ବର ମାସରୁ କେଉଁ ଆଡ଼େ ଚାଲି ଯାଇଥିଲେ। ସେମାନଙ୍କୁ ଯଥାକ୍ରମେ ଜୁନ ୬ ଓ ସେପ୍ଟେମ୍ବର ୨୬ରେ ହତ୍ୟା କରାଯାଇଥିଲା। ପୁଲିସ୍‌ ପଦ୍ମାଙ୍କ ନିଖୋଜ ଘଟଣାର ତଦନ୍ତ କରୁଥିଲା। ଏହି ସମୟରେ ଶାଫି ନିକଟରେ ତାଙ୍କ ଫୋନ ଥିବା ଜଣାପଡ଼ିଥିଲା।

ସିସିଟିଭି ଆଧାରରେ ପୁଲିସ୍‌ ତା’ ପାଖରେ ପହଞ୍ଚିଥିଲା। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍‌ ଶାଫି ଜରିଆରେ ସିଂହ ଦମ୍ପତି ପାଖରେ ପହଞ୍ଚିଥିଲା। ସେମାନଙ୍କୁ ଜେରା କରାଯିବା ପରେ ନର ବଳି ଘଟଣା ସାମ୍ନାକୁ ଆସିଛି।

ପଦ୍ମାଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ତାଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦିଆଯାଇଥିଲା। ଏହାପରେ ଶାଫି ତାଙ୍କ ମୃତଦେହକୁ ୫୬ ଖଣ୍ଡ କରି କାଟି ଦେଇଥିଲା। ରୋସେଲିନଙ୍କୁ ଲୈଲା ତଣ୍ଟିଚିପି ହତ୍ୟା କରିଥିଲା। ତାଙ୍କ ସ୍ତନକୁ ସେ ହିଁ କାଟିଥିଲା। ଜଣେ ମହିଳାଙ୍କୁ ଛୁରୀରେ ଅନେକ ପ୍ରକାରର ଅକଥନୀୟ ନିର୍ଯାତନା ମଧ୍ୟ ଦିଆଯାଇଥିବା ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି।

ଶାଫି ତା’ ପତ୍ନୀର ଫେସବୁକ ଜରିଆରେ ରାତାରାତି ଧନୀ ହେବାକୁ ଚାହୁଁଥିବା ଲୋକଙ୍କ ପାଖରେ ପହଞ୍ଚୁ ଥିଲା। ଏହିକ୍ରମରେ ତା’ ସଂସ୍ପର୍ଶରେ ସିଂହ ଦମ୍ପତି ମଧ୍ୟ ଆସିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେମାନେ ନରବଳିରେ ବିଶ୍ୱାସ କରୁଥିବା ଜାଣି ଶାଫି ସବୁ କିଛି ଯୋଜନା କରିଥିଲା। ଏଥିପାଇଁ ସେ ପଦ୍ମା ଓ ରୋସେଲିନଙ୍କୁ ବାଛିଥିଲା ବୋଲି ପୁଲିସ୍‌ କହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।