ଆସନ୍ତା ମାସରୁ ମହଙ୍ଗା ହେବ କାର୍‌ ଓ ବାଇକ୍‌, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପୁଣିଥରେ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ଯାଉଛନ୍ତି ସାଧାରଣ ଲୋକ। ତୈଳଦର ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଲୋକଙ୍କୁ ଏବେ ଆଉ ଏକ ଝଟକା ଲାଗିଛି। ଆସନ୍ତା ମାସରୁ ଉଭୟ କାର୍‌ ଓ ବାଇକର ଦାମ ମହଙ୍ଗା ହେବାକୁ ଯାଉଛି।

ତୈଳଦର ବଢ଼ୁଥିବାରୁ ସାମଗ୍ରୀ ଆଣିବାରେ ଗାଡ଼ି କମ୍ପାନୀଗୁଡ଼ିକ ବେଶ ହଇରାଣ ହରକତ ହେଉଛନ୍ତି। ଏହି କାରଣରୁ ଆସନ୍ତା ଏପ୍ରିଲ ଆରମ୍ଭରୁ ସେମାନେ କାର ଓ ବାଇକର ଦାବ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖାଲି ସେତିକି ନୁହେଁ, ଗାଡ଼ି ନିର୍ମାଣକାରୀ କମ୍ପାନୀଗୁଡ଼ିକ ଆବଶ୍ୟକ ଭିତ୍ତିଭୂମି ଓ ଷ୍ଟିଲର ଦର ବୃଦ୍ଧି ପାଇଁ ବି ସମସ୍ୟାରେ ପଡ଼ିଛନ୍ତି। ପୂର୍ବ ଅପେକ୍ଷା ସେମାନଙ୍କୁ ଅଧିକ ଟଙ୍କା ଦେବା ପଡ଼ୁଛି। ଏହି କାରଣରୁ ସେମାନେ କାର୍‌ ଓ ବାଇକ୍‌ର ଦାମ ବଢ଼ାଇବାକୁ ଚାହୁଁଥିବା କହିଛନ୍ତି।

କାର୍‌ ନିର୍ମାଣକାରୀ ସଂସ୍ଥା ମାରୁତି ସୁଜୁକି ଇଣ୍ଡିଆ ପକ୍ଷରୁ କୁହାଯାଇଛି, “ବିଗତ କିଛି ବର୍ଷ ହେଲାଣି ଗାଡ଼ି ନିର୍ମାଣ ପାଇଁ ଆବଶ୍ୟକ ସାରଞ୍ଜାମର ଦର ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବ କାର୍‌ ଦର ଉପରେ ପଡ଼ିବା ଆରମ୍ଭ ହୋଇଛି। କମ୍ପାନୀ ଏହାକୁ ପୂର୍ବରୁ ସହ୍ୟ କରି ଲୋକଙ୍କୁ କାର୍‌ ଯୋଗାଇ ଦେଉଥିଲା। ହେଲେ ୨୦୨୧ ଏପ୍ରିଲ ଠାରୁ କାର୍‌ଗୁଡ଼ିକ ଦାମ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଗ୍ରାହକମାନଙ୍କୁ କାର୍‌ କିଣିବା ବେଳେ ପୂର୍ବାପେକ୍ଷା ଅଧିକ ଦାମ ଦେବାକୁ ପଡ଼ିବ। ସେହିପରି ବିଭିନ୍ନ ମଡେଲର କାର୍‌ ପାଇଁ ଭିନ୍ନଭିନ୍ନ ଦାମ ରହିବ।”

କେବଳ ମାରୁତି ଏଭଳି ନିଷ୍ପତ୍ତି ନେଇନାହିଁ, ଆଇଚର ମୋଟର୍ସ, ମହିନ୍ଦ୍ରା ଓ ମହିନ୍ଦ୍ରା ଏବଂ ଅଶୋକ ଲେଲ୍ୟାଣ୍ଡ ଭଳି କମ୍ପାନୀଗୁଡ଼ିକ ପକ୍ଷରୁ ମଧ୍ୟ ଗାଡ଼ିର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଇଚର ମୋଟର୍ସର ଏମଡି ସିର୍ଦ୍ଧାଥ ଲାଲ କହିଛନ୍ତି, ଆମେ ସମ୍ଭବତଃ ଏପ୍ରିଲରୁ ଗାଡ଼ିର ଦାମ ବୃଦ୍ଧି କରିବୁ। ବର୍ତ୍ତମାନ ସୁଦ୍ଧା ଭାରତ ଓ ବିଶ୍ୱରେ ମିଳୁଥିବା ସରଞ୍ଜାମକୁ ମିଶାଇ ଗାଡ଼ି ତିଆରି କରାଯାଉଥିଲା। କିନ୍ତୁ ଗାଡ଼ି ତିଆରି ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକର ଦାମ ଆମ ଆଶାଠାରୁ ଅଧିକ ବଢ଼ି ଯାଇଛି। ଏହି କାରଣରୁ ଆମେ ବାଧ୍ୟ ହୋଇ ଦାମ ବଢ଼ାଉଛୁ ବୋଲି ସେ କହିଛନ୍ତି।

ଏପ୍ରିଲ ମାସରୁ ରୟାଲ ଏନଫିଲ୍ଡ ବାଇକ୍‌ର ଦାମ ମଧ୍ୟ ବଢ଼ିବ। ଏହି କମ୍ପାନୀ ପ୍ରସ୍ତୁତ କରୁଥିବା ନୂଆ Interceptor 650 and Continental GT 650ର ଦାମ ଲଞ୍ଚ ବେଳେ ପ୍ରାୟ ୨% ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୋଟିଏ ବର୍ଷରେ କାର୍‌ ଓ ବାଇକର ଦାମ ଦ୍ୱିତୀୟ ଥର ପାଇଁ ବୃଦ୍ଧି ପାଇବାକୁ ଯାଉଛି। ଜାନୁଆରୀମାସରେ ତୈଳଦର ଓ ସରଞ୍ଜାମର ଦର ବୃଦ୍ଧି ଯୋଗୁ ଗାଡ଼ିଗୁଡ଼ିକ ମହଙ୍ଗା ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।