ସିବିଆଇର ବିଶ୍ୱସନୀୟତାକୁ ନେଇ ବଡ଼ ବୟାନ ଦେଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ବିଶ୍ୱସନୀୟତାକୁ ନେଇ ଆଜି ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା। ସିବିଆଇର ସକ୍ରିୟତା ଓ ନିଷ୍କ୍ରିୟତା ବେଳେବେଳେ ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଉଛି ବୋଲି ସେ କହିଛନ୍ତି।

ସିବିଆଇକୁ ପୁଣିଥରେ ସାମାଜିକ ବୈଧତା ଓ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ପଦକ୍ଷେପ ନେବାର ସମୟ ଆସିଯାଇଛି। ଏଥିପାଇଁ ରାଜନୀତିକ ଗୋଷ୍ଠୀ ଓ କାର୍ଯ୍ୟପାଳିକା ସହ ସିବିଆଇ ରଖିଥିବା ମଧୁଛନ୍ଦ୍ରିକାକୁ ଛିନ୍ନ କରିବାକୁ ପଡ଼ିବ ବୋଲି ଜଷ୍ଟିସ ରମନ୍ନା ପରାମର୍ଶ ଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେନ୍ଦ୍ରୀୟ ଏଜେନ୍ସିର ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏପରି କହିଛନ୍ତି।

ଜଷ୍ଟିସ ରମନ୍ନା ଆହୁରି କହିଛନ୍ତି, “ଏବେ ଦେଶରେ ଗୋଟିଏ ବୃହତ ସ୍ୱଂୟଶାସିତ ପ୍ରତିଷ୍ଠାନର ଆବଶ୍ୟକତା ରହିଛି। ଏହି ପ୍ରତିଷ୍ଠାନ ଅଧୀନରେ ସିବିଆଇ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ଆସିବା ଦରକାର। ଜଣେ ନିରପେକ୍ଷ ବ୍ୟକ୍ତି ଏହି ପ୍ରତିଷ୍ଠାନ ମୁଖ୍ୟ ରହିବା ବେଶ ଗୁରୁତ୍ୱପୂର୍ଣ୍ଣ।”

ଗଣତନ୍ତ୍ର: ତଦନ୍ତକାରୀ ସଂସ୍ଥାର ଭୂମିକା ଓ ଦାୟିତ୍ୱ ଶୀର୍ଷକ ଏକ ଆଲୋଚନା ଚକ୍ରରେ ଜଷ୍ଟିସ ରମନ୍ନା ଭାରତର ପୁଲିସ୍‌ ବ୍ୟବସ୍ଥା କେମିତି ବ୍ରିଟିଶ ଶାସନକୁ ବିକଶିତ ହୋଇଛି, ସେକଥା କହିଥିଲେ। ଏଥିସହ ସମୟ ବିତିବା ସହ ସିବିଆଇର କାର୍ଯ୍ୟକଳାପ ମଧ୍ୟ ଲୋକଙ୍କ ସନ୍ଦେହ ଦୃଷ୍ଟିକୁ ଆସିଛି ବୋଲି ସେ ମତ ଦେଇଛନ୍ତି। ସେ କହିଛନ୍ତି, “ଦୁର୍ନୀତି ଓ ଅନ୍ୟାନ୍ୟ ସାଂଘାତିକ ଅଭିଯୋଗ ଆସିବା ପରେ ପୁଲିସର ଛବି ମଳିନ ହୋଇଛି।

କ୍ଷମତା ବଦଳିବା ପରେ ପୁଲିସ୍‌ ଅଧିକାରୀମାନେ କେମିତି ହଇରାଣ ହେଉଛନ୍ତି, ସେକଥା ଆମ ନଜରକୁ ଅନେକ ସମୟରେ ଆସିଛି। ରାଜନୀତିକ କାର୍ଯ୍ୟପାଳିକା ସମୟ ଅନୁସାରେ ବଦଳିବ। ହେଲେ ତୁମେମାନେ(ତଦନ୍ତକାରୀ ସଂସ୍ଥା) ସ୍ଥାୟୀ। ଏକଥା ସମସ୍ତଙ୍କୁ ମନେ ରଖିବା ପଡ଼ିବ।”

ପୁଲିସ୍‌ ଭଳି ଇନଭେଷ୍ଟିଗେଟିଭ ଏଜେନ୍ସି ପାଇଁ ସାମ୍ବାଧାନିକ ସୁରକ୍ଷା ନଥିବାରୁ ସୃଷ୍ଟି ହେଉଥିବା ସମସ୍ୟାକୁ ଜଷ୍ଟିସ ରମନ୍ନା ସ୍ୱୀକାର କରିଛନ୍ତି। ପୁଲିସ୍‌ ବ୍ୟବସ୍ଥା ତା’ର କ୍ଷମତା ବା ବୈଧତା ସମ୍ବିଧାନରୁ ପାଇଛି। ଦୁର୍ଭାଗ୍ୟର କଥା ତଦନ୍ତାକରୀ ସଂସ୍ଥା ଏଯାଏ ଆଇନ ଅନୁସାରେ କୌଣସି ସୁରକ୍ଷା ପାଉନାହିଁ ବୋଲି ସେ କହିଛନ୍ତି।

ତଦନ୍ତକାରୀ ଏଜେନ୍ସି ସମ୍ମୁଖୀନ ହେଉଥିବା ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ବି ଜଷ୍ଟିସ ରମନ୍ନା ଆଲୋକପାତ କରିଛନ୍ତି। ସେ କହିଛନ୍ତି, ତଦନ୍ତକାରୀ ସଂସ୍ଥା ପାଖରେ ଭତ୍ତିଭୂମି, ମାନବଶକ୍ତି, ଅତ୍ୟାଧୁନିକ ସାମଗ୍ରୀର ଅଭାବ ରହିଛି। ରାଜନୀତିକ କାର୍ଯ୍ୟପାଳିକାର ପରିବର୍ତ୍ତନ ସହ ସେମାନଙ୍କ ଗୁରୁତ୍ୱ ହ୍ରାସ ପାଉଛି। ସେହିପରି ନିୟମିତ ଅଧିକାରୀଙ୍କ ବଦଳି ଭଳି ସମସ୍ୟାର ସେମାନେ ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ଯୋଗୁ ଦୋଷୀ ଖସି ଯାଉଛନ୍ତି ଓ ନିର୍ଦ୍ଦୋଷ ହଇରାଣ ହେଉଛନ୍ତି।

କୋର୍ଟ ସବୁ ପଦକ୍ଷେପର ସମୀକ୍ଷା ବା ତଦାରଖ କରିପାରିବେ ନାହିଁ। ପ୍ରତିଷ୍ଠାନଗୁଡ଼ିକ କେତେ ଭଲ ଓ କେତେ ଖରାପ, ସେକଥା ସେମାନଙ୍କ ନେତୃତ୍ୱରୁ ହିଁ ସ୍ପଟ ହୁଏ। କିଛି ଅଫିସ ମଧ୍ୟ ଚାହିଁଲେ ପରବିର୍ତ୍ତନ ଆଣିପାରିବେ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।