୬୦ ହଜାର କୋଟିର ଚିଟଫଣ୍ଡ ଦୁର୍ନୀତି, ୧୧ ଜଣଙ୍କୁ ବାନ୍ଧିଲା ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୬୦ ହଜାର କୋଟି ଟଙ୍କାର ପର୍ଲ୍ସ ଚିଟଫଣ୍ଡ ଦୁର୍ନୀତି ଘଟଣାରେ ସିବିଆଇ ଆଉ ୧୧ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ପର୍ଲ୍ସ ଗ୍ରୁପର କିଛି କର୍ମଚାରୀ ଓ ବ୍ୟବସାୟୀ ରହିଛନ୍ତି। ସିବିଆଇ ଅଧିକାରୀ କହିଛନ୍ତି, “ ପର୍ଲ୍ସ ଗ୍ରୁପର କର୍ମଚାରୀ ଚନ୍ଦ୍ରଭୂଷଣ ଢିଲନ, ପ୍ରେମ ସେଠ, ମନମୋହନ କମଲ ମହାଜନ, ମୋହନଲାଲ ସେହଜପାଲ, କନୱଲଜିତ ସିଂହ ତୁରଙ୍କୁ ଗିରଫ କରାଯାଇଛି।

ଏମାନଙ୍କ ବ୍ୟତୀତ ଦିଲ୍ଲୀ, ଚଣ୍ଡିଗଡ଼ ଓ କୋଲକାତାର ବ୍ୟବସାୟୀ ପ୍ରବୀଣ କୁମାର ଅଗ୍ରୱାଲ, ମନୋଜ କୁମାର ଜୈନ, ଆକାଶ ଅଗ୍ରୱାଲ, ଅନୀଲ କୁମାର ଖେମାକ, ସୁଭାଷ ଅଗ୍ରୱାଲ ଓ ରାଜେଶଙ୍କୁ ମଧ୍ୟ ଗିରଫ କରାଯାଇଛି।”

ବିଭିନ୍ନ ପ୍ରକାରର ସ୍କିମର ଲୋଭ ଲୋକଙ୍କୁ ଦେଖାଇ ପର୍ଲ୍ସ ଗ୍ରୁପ ଟଙ୍କା ଆଦାୟ କରିଥିଲେ। ଦେଶର ପ୍ରାୟ ସବୁ ରାଜ୍ୟରେ ସଂସ୍ଥା ତା’ର ନେଟୱର୍କ ଖୋଲି ୫ କୋଟି ଲୋକଙ୍କ ଠାରୁ ୬୦ ହଜାର କୋଟି ଟଙ୍କା ଆଦାୟ କରିଥିଲା। ଅଭିଯୁକ୍ତମାନେ ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ଜମି ଗ୍ୟାରେଣ୍ଟୀ ଦେଉଥିଲେ।

ଗ୍ରୁପରେ ପୁଞ୍ଜିନିବେଶ କଲେ ୧୨.୫% ସୁଧରେ ଟଙ୍କା ମିଳିବ ବୋଲି ମଧ୍ୟ ସେମାନେ କହୁଥିଲେ। ଖାଲି ସେତିକି ନୁହେଁ, ଅଭିଯୁକ୍ତମାନେ ପୁଞ୍ଜିନିବେଶକାରୀଙ୍କୁ ମାଗଣା ଦୁର୍ଘଟଣା ଜନିତ ବୀମା ଓ ଆୟକର ଛାଡ଼ ଭଳି ଯୋଜନା କଥା କହି ନିଜ ଜାଲରେ ଫସାଇଥିଲେ।

ତେବେ ଟଙ୍କା ନିବେଶ କରିବା ପରେ ଲୋକମାନେ ଏହାକୁ ଆଉ ଫେରି ପାଇ ନଥିଲେ। ପରବର୍ତ୍ତୀ ଅବସ୍ଥାରେ ଠକାମୀର ଶିକାର ହୋଇଥିବା ଲୋକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଘଟଣାର ଛାନଭିନ ଆରମ୍ଭ କରିଥିଲା। ସିବିଆଇ ତଦନ୍ତ କରି ପର୍ଲ୍ସ ଗ୍ରୁପର ଦୁଇ ଫ୍ଲାଗଶିପ୍‌ କମ୍ପାନୀର ନିର୍ଦ୍ଦେଶକମାନଙ୍କ ବିରୋଧରେ ମାମଲା କରିଥିଲା।

ସିବିଆଇ ୨୦୧୬ରେ ଗ୍ରୁପ୍‌ର ନିର୍ମଳ ସିଂହ, ସୁଖଦେବ ସିଂହ, ସୁବ୍ରତ ଭଟ୍ଟାଚାର୍ଯ୍ୟ ଓ ଗୁରମୀତ ସିଂହଙ୍କୁ ଗିରଫ କରିଥିଲା। ୨୦୧୬ ଏପ୍ରିଲରେ ସିବିଆଇ ସମସ୍ତଙ୍କ ବିରୋଧରେ ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଥିଲା। ନିର୍ମଳ ସିଂହଙ୍କ ନାଁରେ ୧.୮୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଥିବା ସିବିଆଇ ଜାଣିବାକୁ ପାଇଥିଲା। ସେହିପରି ବିଭିନ୍ନ ଅଷ୍ଟ୍ରେଲୀୟ କମ୍ପାନୀରେ ମଧ୍ୟ ସେ ପୁଞ୍ଜିନିବେଶ କରିଥିଲେ।

ଅଷ୍ଟ୍ରେଲିଆ କ୍ରିକେଟର ବ୍ରେଟ ଲି’ ପର୍ଲ୍ସ ଗ୍ରୁପ୍‌ର ବ୍ରାଣ୍ଡଆମ୍ବାସାଡାର ରହିଥିଲେ। ଆଇପିଏଲ ଟିମ୍‌ କିଙ୍ଗସ ଏକାଦଶ ପଞ୍ଜାବର ସହ ପ୍ରାୟୋଜକ ଭାବେ ଏହି ଗ୍ରୁପ୍‌ କାମ କରୁଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।