୧୫ ହଜାର କୋଟିର Bike Bot ଦୁର୍ନୀତି, କେମିତି ଥିଲା ପୂରା ଯୋଜନା

ନୂଆଦିଲ୍ଲୀ: ଆଉ ଏକ ମହାଦୁର୍ନୀତିର ଖୁଲାସା କରିଛି ସିବିଆଇ। Bike Bot ନାଁରେ ହୋଇଥିବା ୧୫ ହଜାର କୋଟି ଟଙ୍କାର ଦୁର୍ନୀତିକୁ ଠାବ କରି ସିବିଆଇ ମାମଲା ରୁଜୁ କରିଛି। ହୀରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଠକିଥିବା ଅର୍ଥ ଠାରୁ ମଧ୍ୟ ଏହି ବାଇକ ବୋଟ ଦୁର୍ନୀତି ଆହୁରି ଅଧିକ।

ଉତ୍ତରପ୍ରଦେଶର ଏହି ବାଇକ୍ ବୋଟ କମ୍ପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ଭାଟି ଓ ଅନ୍ୟ ୧୪ ଜଣ ମିଳିତ ଭାବେ ସାରା ଦେଶରେ ନିବେଶକଙ୍କ ଠାରୁ ୧୫ ହଜାର କୋଟି ଟଙ୍କା ଠକି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ବାଇକ୍ ବୋଟ ନାଁରେ ବାଇକ୍ ଟ୍ୟାକ୍ସି ସେବା ଆରମ୍ଭ କରିଥିଲେ। ସେମାନେ ଅନେକ ଲାଭଜନକ ଯୋଜନା ପ୍ରଣୟନ କରିଥିଲେ। ଯୋଜନା ଅନୁସାରେ ଜଣେ ଲୋକ ୧, ୩, ୫ କିମ୍ବା ୭ଟି ବାଇକରେ ପୁଞ୍ଜି ବିନିଯୋଗ କରିପାରିବେ।

ଏହି ବାଇକ ଗୁଡ଼ିକ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା। ଏଥିପାଇଁ ନିବେଶକଙ୍କୁ ବାଇକ୍ ପାଇଁ ମାସିକ ଭଡ଼ା, ଇଏମଆଇ, ବୋନସ୍ (ଏକାଧିକ ବାଇକରେ ବିନିଯୋଗ କ୍ଷେତ୍ରରେ) ଇତ୍ୟାଦି ପାଇଁ ଟଙ୍କା ଦିଆଯାଉଥିଲା।

ଏହି ସମସ୍ତ ଆକର୍ଷଣୀୟ ଅଫର ଦେଖାଇ ନିବେଶକମାନଙ୍କୁ କମ୍ପାନୀ ପୁଞ୍ଜି ବିନିଯୋଗ କରିବାକୁ ଉତ୍ସାହିତ କରୁଥିଲା। କମ୍ପାନୀ ଏହାର ଯୋଜନାର ଏକ ଅଂଶ ଭାବରେ ବିଭିନ୍ନ ସହରରେ ଫ୍ରାଞ୍ଚାଇଜ୍ ଆବଣ୍ଟନ କରିଥିଲା। କିନ୍ତୁ ଏହି ସହର ଗୁଡ଼ିକରେ ବାଇକ୍ ଓ ଟ୍ୟାକ୍ସିଗୁଡ଼ିକ କାର୍ଯ୍ୟକ୍ଷମ ବହୁତ କଷ୍ଟରେ ହେଉଥିଲା।

ଏହି ଯୋଜନା ଗୁଡ଼ିକ ୨୦୧୭ ମସିହା ଅଗଷ୍ଟରେ ଆରମ୍ଭ କରାଯାଇଥିଲା। ନିବେଶକ ଓ ଗ୍ରାହକଙ୍କ ଠାରୁ ପାଣ୍ଠି ସଂଗ୍ରହ ସହ ସେମାନଙ୍କୁ ୨୦୧୯ ପ୍ରଥମ ଭାଗ ଯାଏ ଅର୍ଥ ଫେରସ୍ତ କରାଯାଉଥିଲା। ୨୦୧୮ ନଭେମ୍ବରରେ କମ୍ପାନୀ ଇ-ବାଇକ ପାଇଁ ସମାନ ଯୋଜନା କରିଥିଲା। କମ୍ପାନୀ ଇ-ବାଇକ୍ ପାଇଁ ଏକ ବାଇକ୍ ବୋଟ୍ ସ୍କିମ୍ ଆରମ୍ଭ କରିଥିଲା। ଇ-ବାଇକ୍ ପାଇଁ ସବସ୍କ୍ରିପସନ୍ ରାଶି ନିୟମିତ ପେଟ୍ରୋଲ୍ ବାଇକର ଅର୍ଥ ତୁଳନାରେ ପାଇଁ ଦୁଇଗୁଣ ଅଧିକ ଥିଲା।

ସିବିଆଇ ଏଫ୍ଆଇଆର୍ କହିଛି, ମନ୍ଦ ଉଦ୍ଦେଶ୍ୟରେ ନିବେଶକମାନଙ୍କ ଠାରୁ ଟଙ୍କା ଉଠାଇବା ପାଇଁ କମ୍ପାନୀ ବିଜ୍ଞାପନ ଦେଇଥିଲା। ଏଥିରେ କୁହାଯାଇଥିଲା ଯେ ‘ବାଇକ୍ ବୋଟ୍ – ଦି ବାଇକ୍ ଟ୍ୟାକ୍ସି ପାୱାର୍ ଦ୍ୱାରା ଜିଆଇପିଏଏ ଯୋଜନାକୁ ଖୁବଶୀଘ୍ର ଆରମ୍ଭ କରାଯିବ। ଏଥିରେ ସାମିଲ ହେବାକୁ ଚାହୁଁଥିବା ଲୋକମାନେ ତୁରନ୍ତ ଅର୍ଥ ପୈଠ କରନ୍ତୁ। ବିଜ୍ଞାପନ ପରେ ପ୍ରାୟ ୨ ଲକ୍ଷ ଲୋକ ଅର୍ଥ ନିବେଶ କରିଥିଲେ।

କମ୍ପାନୀ ଠକେଇ କରୁଛି ବୋଲି ଅଭିଯୋଗ ହୋଇଥିଲେ ମଧ୍ୟ ନୋଏଡା ଜିଲ୍ଲା ଅଧିକାରୀ କିମ୍ବା ପୁଲିସ୍‌ ପ୍ରଶାସନ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରି ନଥିଲା। ଏପରି କି ଏସ୍‌ଏସ୍‌ପି ଓ ଏସ୍‌ପି କ୍ରାଇମବ୍ରାଞ୍ଚ ଅଭିଯୋଗ ପ୍ରତ୍ୟାହାର କରିବା ପାଇଁ ପରାମର୍ଶ ଦେଇଥିଲେ ବୋଲି ସିବିଆଇ ଏଫଆଇଆର୍‌ରେ ଉଲ୍ଲେଖ କରାଯାଇଛି।

ଏଫଆଇଆରରେ କୁହାଯାଇଛି ଯେ ସଞ୍ଜ ଭାଟି ଓ ତାଙ୍କର ସହଯୋଗୀମାନେ ଯୋଜନାବଦ୍ଧ ଭାବେ ବିଭିନ୍ନ ଲୋକଙ୍କ ଠାରୁ ୧୫ ହଜାର କୋଟି ଟଙ୍କାର ଠକେଇ କରିଛନ୍ତି।

ଏହାପୂର୍ବରୁ ସଞ୍ଜୟ ଭାଟି ଓ ଅନ୍ୟମାନଙ୍କ ବିରୋଧରେ ଗୌତମ ବୁଦ୍ଧ ନଗର ଓ ଦାଦ୍ରି ପୁଲିସ୍ ଷ୍ଟେସନରେ ରୁଜୁ ଏଫଆଇଆର ଆଧାରରେ ଇଡି ଯାଞ୍ଚ କରିଥିଲା। ବାଇକ୍ ବୋଟ୍ ସ୍କାମରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ୨୧୬ କୋଯିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।