ବାତିଲ ହେବ କି ସିବିଏସଇ ବୋର୍ଡ ପରୀକ୍ଷା? ଜବାବ ରଖିଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ୁଥିବାରୁ ସିବିଏସଇର ପ୍ରସ୍ତାବିତ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପାଇଁ ୧ ଲକ୍ଷ ଶିକ୍ଷାର୍ଥୀ ଦାବି କରିଛନ୍ତି। ସୋଶାଲ ମିଡିଆରେ ସିବିଏସ୍‌ଇ ବୋର୍ଡ ପରୀକ୍ଷାକୁ ବାତିଲ କରିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏସବୁ ଦାବି ଉପରେ ଆଜି ସିବିଏସ୍‌ଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସିବିଏସ୍‌ଇ କହିଛି ଯେ ୧୦ମ ଓ ଦ୍ୱାଦଶ ପରୀକ୍ଷା ଧାର୍ଯ୍ୟ ସୂଚୀ ଅନୁସାରେ କରାଯିବ। ସୂଚୀ ଅନୁସାରେ ମେ’ ୪ ତାରିଖରୁ ପରୀକ୍ଷା ଆରମ୍ଭ ହେବ।

ଦେଶରେ କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ରୂପ ସୃଷ୍ଟି କରିଛି। ଏସବୁ ଭିତରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ଅନେକ ବିରୋଧ କରୁଛନ୍ତି। ଶିକ୍ଷକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପରୀକ୍ଷା ବାତିଲ କରିବାକୁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ଏପରି କି ପ୍ରାୟ ୧ ଲକ୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲା ଅନାଲଇନରେ ଦସ୍ତଖତ ଅଭିଯାନରେ ସାମିଲ ହୋଇ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି।

ଏହା ଉପରେ ଜବାବ ଦେଇ ସିବିଏସ୍‌ଇ ଆଜି କହିଛି ଯେ ପରୀକ୍ଷା ବେଳେ କୋଭିଡ୍‌ର ଦ୍ୱିତୀୟ ଲହରୀ ସଂକ୍ରମଣକୁ ରୋକିବା ପାଇଁ ବୋର୍ଡ ସବୁ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି। କୋଭିଡ୍‌ ଗାଇଡ୍‌ ଲାଇନକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟା ପୂର୍ବବର୍ଷ ତୁଳନାରେ ୪୦ରୁ ୫୦% ବୃଦ୍ଧି କରାଯାଇଛି।

ଏହାଦ୍ୱାରା ପରୀକ୍ଷାର୍ଥୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟୀ ରଖାଯାଇ ପାରିବ। କୋଭିଡ୍‌ ପଜିଟିଭ କାରଣରୁ ଯଦି କୌଣସି ଶିକ୍ଷାର୍ଥୀ ପ୍ରାଟିକାଲ ପରୀକ୍ଷା ଦେଇ ପାରିବେ ନାହିଁ, ତା’ହେଲେ ତାଙ୍କୁ ଦ୍ୱିତୀୟ ସୁଯୋଗ ମିଳିବ। ସଂପୃକ୍ତ ସ୍କୁଲ ଏହାର ବ୍ୟବସ୍ଥା କରିବେ। ତେବେ ଏହି ପ୍ରକ୍ରିୟା ଜୁନ୍‌ ୧୧ ମଧ୍ୟରେ ଶେଷ ହେବ। ତେଣୁ ବୋର୍ଡ ପରୀକ୍ଷା କୌଣସି ପ୍ରକାରରେ ବାତିଲ ହେବ ନାହିଁ। ଧାର୍ଯ୍ୟ ସୂଚୀ ଅନୁଯାୟୀ ମେ’ ୪ରୁ ହିଁ ପରୀକ୍ଷା ଆରମ୍ଭ ହେବ ବୋଲି ସିବିଏସ୍‌ଇ କହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।