ମାନିଲେ କେନ୍ଦ୍ର ସରକାର: ପେଟ୍ରୋଲରୁ ୩୩ ଓ ଡିଜେଲରୁ ଲିଟର ପିଛା ୩୨ ଟଙ୍କା ନେଉଛନ୍ତି

ନୂଆଦିଲ୍ଲୀ: ଦେଶରେ ତୈଳଦର ବୃଦ୍ଧି ପାଇଥିବା ବେଳେ ସାଧାରଣ ଲୋକ ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଛନ୍ତି। ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦର ସର୍ବକାଳୀନ ସ୍ଥିତିରେ ରହିଛି। ଏସବୁ ଭିତରେ କେନ୍ଦ୍ର ସରକାର ତୈଳ ଦରରୁ ଅଧିକ ପରିମାଣର ରାଜସ୍ୱ ପାଉଥିବା ସ୍ୱୀକାର କରିଛନ୍ତି। ସୀମା ଶୁଳ୍କ, ସେସ ଓ ସରଚାର୍ଜ ଆକରରେ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲରୁ ରାଜସ୍ୱ ବୃଦ୍ଧି କରୁଥିବା ଲୋକସଭାକୁ ଅବଗତ କରାଇଛନ୍ତି।

କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ଯେ ୨୦୨୦ ମେ’ ୫ରୁ ପେଟ୍ରୋଲ ଲିଟର ପିଛା ୩୩ ଟଙ୍କା ଓ ଡିଜେଲ ଲିଟର ପିଛା ୩୨ ଟଙ୍କା ରାଜସ୍ୱ ସଂଗ୍ରହ କରୁଛନ୍ତି। ମୂଳ ସୀମା ଶୁଳ୍କ, ସେସ ଓ ସରଚାର୍ଜ ସହ କେନ୍ଦ୍ରୀୟ ସୀମା ଶୁଳ୍କ ଆକାରରେ ଏହି ଅର୍ଥ ସଂଗ୍ରହ କରାଯାଉଛି।
୨୦୨୦ ମାର୍ଚ୍ଚ ୧୩ ଯାଏ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୧୯.୯୮ ଟଙ୍କା ଓ ୧୫.୮୩ ଟଙ୍କାର ନେଉଥିଲେ।

ମାର୍ଚ୍ଚ ୧୪ରୁ ମେ’ ୫ ଯାଏ ପେଟ୍ରୋଲ ଲିଟର ପିଛା ୨୨.୯୮ ଟଙ୍କା ଓ ଡିଜେଲ ଲିଟର ପିଛା ୧୮.୮୩ ଟଙ୍କା ସଂଗ୍ରହ କରୁଥିଲେ। ହେଲେ ମେ’ ୫ ପରଠାରୁ ପେଟ୍ରୋଲ ଲିଟର ପିଛା ୩୨.୯୮ ଟଙ୍କା ଓ ଡିଜେଲ ଲିଟର ପିଛା ୩୧.୮୩ ଟଙ୍କା ରାଜସ୍ୱ ହାସଲ କରୁଛନ୍ତି।

ଏହାର ଅର୍ଥ କେନ୍ଦ୍ର ସରକାର ଜାନୁଆରୀରୁ ଇତି ମଧ୍ୟରେ ପେଟ୍ରୋଲର ଲିଟର ପିଛା ଅଧିକ ୧୩ ଟଙ୍କା ଓ ଡିଜେଲ ଲିଟର ପିଛା ୧୬ ଟଙ୍କା ଅଧିକ ନେଉଛନ୍ତି।

ଆଜି ଏହା ଉପରେ ଜବାବ ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ବିଭିନ୍ନ କାରଣ ପାଇଁ ଦେଶରେ ପେଟ୍ରୋଲିୟମ ସାମଗ୍ରୀର ଦାମ ଅନ୍ୟ ଦେଶ ତୁଳନାରେ କମ୍ ବେଶୀ ରହିଥାଏ। ଦେଶରେ କାର୍ଯ୍ୟକାରୀ ହେଉଥିବା ଟିକସ ବ୍ୟବସ୍ଥା ଓ ବିଭିନ୍ନ ପ୍ରକାରର ସବସିଡି ପାଇଁ ଏପରି ହୋଇଥାଏ। ବର୍ତ୍ତମାନର ଆର୍ଥିକ ବ୍ୟବସ୍ଥାକୁ ଦେଖି ସୀମା ଶୁଳ୍କକୁ ବୃଦ୍ଧି କରାଯାଇଛି। ଭିତ୍ତିଭୂମିର ବିକାଶ ଓ ଅନ୍ୟ ଜନକଲ୍ୟାଣ ମୂଳକ ଯୋଜନାର ଖର୍ଚ୍ଚ ବୃଦ୍ଧି ପାଇଁ ଅର୍ଥ ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି।

ସେହିପରି ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ସାମିଲ କରାଯିବାର କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଏକାଧିକ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରମାନେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ସାମିଲ କରିବାକୁ ଦାବି କରନ୍ତୁ ବୋଲି ପରାମର୍ଶ ଦେଇଥିଲେ। ହେଲେ ଆଜି ଶ୍ରୀ ଠାକୁର ପେଟ୍ରୋଲ ଓ ଡିଜେଲ ଜିଏସଟିରେ ସାମିଲ ହେବକୁ କୌଣସି ଯୋଜନା ନାହିଁ ଓ ଏଭଳି ପ୍ରସ୍ତାବ ଜିଏସଟି ପରିଷଦକୁ ଆସିନାହିଁ ବୋଲି କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।