ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଛାଡ଼ିବାକୁ ଅନୁମତି ଦେଇଥିଲା କେନ୍ଦ୍ର

ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରାଯିବା ଘଟଣାରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଗୁଜରାଟ ସରକାର ସେମାନଙ୍କୁ ଜେଲରୁ ଖଲାସ କରିଥିବା ବେଳେ ଏଥିରେ କେନ୍ଦ୍ର ସରକାରଙ୍କ ସହମତି ଥିଲା। ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ପାଇଁ ଗୁଜରାଟ ସରକାର ଦେଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ମୋହର ଲଗାଇଥିଲେ। ଏକଥା ନିଜେ ଗୁଜରାଟ ସରକାର ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି।

ଏଥିସହ ଗୁଜରାଟ ସରକାର ୧୧ ଦୁଷ୍କର୍ମକାରୀଙ୍କ ରିଲିଜ୍‌କୁ ସଠିକ ବୋଲି ସାବ୍ୟସ୍ତ କରିବା ପାଇଁ ସତ୍ୟପାଠରେ ଯୁକ୍ତି ମଧ୍ୟ ଉପସ୍ଥାପନ କରିଛନ୍ତି। ସରକାର ସତ୍ୟପାଠରେ କହିଛନ୍ତି ଯେ ୧୧ ଦୁଷ୍କର୍ମକାରୀ ଦୀର୍ଘ ୧୪ ବର୍ଷ ହେଲା ଜେଲରେ ରହିଥିଲେ। ଜେଲରେ ରହିବା ବେଳେ ସେମାନଙ୍କର ବ୍ୟବହାର ଅତ୍ୟନ୍ତ ଭଲ ଥିଲା। ତେଣୁ ସେମାନଙ୍କୁ ଜେଲରୁ ସ୍ୱତନ୍ତ୍ର କ୍ଷମା ନୀତି ବଲରେ ଖଲାସ କରାଯାଇଛି।

ଦେଶର ୭୫ ତମ ସ୍ୱାଧୀନତା ଦିବସ ଅବସରେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ବ୍ୟକ୍ତିଙ୍କୁ ଜେଲରୁ ଖଲାସ କରାଯାଇଥିଲେ। ଏହା ବିରୋଧରେ ଏକାଧିକ ପିଆଇଏଲ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ଏହାର ଶୁଣାଣି ବେଳେ ଗୁଜରାଟ ସରକାର ସତ୍ୟପାଠ ଜରିଆରେ ନିଜର ପକ୍ଷ ରଖିଛନ୍ତି।

ସତ୍ୟପାଠରେ ଗୁଜରାଟ ସରକାର କହିଛନ୍ତି ଯେ ୧୧.୦୭.୨୦୨୨ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୋଟିଏ ଚିଠି ଜରିଆରେ ୧୧ ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ଅନୁମତି ଦେଇଥିଲେ। ଗୁଜରାଟ ସରକାର ଗୋଟିଏ ପୁରୁଣା କ୍ଷମାନୀତି ବଳରେ ୧୧ ଜଣଙ୍କୁ ଖଲାସ କରିବାକୁ ଏହାକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ଗୁଜରାଟ ସରକାର ସମସ୍ତ ଦୋଷୀଙ୍କୁ ଖଲାସ କରିବା ପୂର୍ବରୁ ବିଲକିସ ବାନୋଙ୍କୁ ମଧ୍ୟ ଏ ବିଷୟରେ କିଛି ବି ଜଣାଇ ନଥିଲେ।

ଏହି ରିଲିଜ ବିରୋଧରେ ସିପିଏମର ସୁଭାଷିନ ଅଲୀ, ଟିଏମସି ସାଂସଦ ମହୁଆ ମୌତ୍ର ଓ ଆଉ ଜଣେ ମହିଳା ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିଥିଲେ। ତେବେ ଗୁଜରାଟ ସରକାର ସତ୍ୟପାଠ ଜରିଆରେ ଆବେଦନକାରୀ ଦାଖଲ କରିଥିବା ପିଆଇଏଲ ଉପରେ ପ୍ରଶ୍ନ ଉଠାଇଛନ୍ତି। ସତ୍ୟପାଠରେ ସରକାର କହିଛନ୍ତି,  କ୍ଷମାନୀତି ବିରୋଧରେ ଜନସ୍ୱାର୍ଥ ମାମଲା ଦାଖଲ କରିବା କ୍ଷମତା ଅଧିକାର ପରିସର ଭୁକ୍ତ ନୁହେଁ। ଏହା ଅଧିକାରର ଦୁର୍ବ୍ୟବହାର। ସମସ୍ତ ଦୋଷୀଙ୍କୁ ବୋର୍ଡରେ ସାମିଲ ସବୁ ସଦସ୍ୟଙ୍କ ମତାମତ ଆଧାରରେ ରିଲିଜ୍‌ କରାଯାଇଛି। ଏହି ସମୟରେ ଦଣ୍ଡ ପାଇବା ବେଳେ ଦୋଷୀଙ୍କ ବ୍ୟବହାର ଉପରେ ମଧ୍ୟ ବିଚାର କରାଯାଇଥିଲା।

ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ୧୪ ଜଣଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଏବେ ଜେଲରୁ ବାହାରି ମୁକ୍ତ ଜୀବନ ବିତାଉଛନ୍ତି। ସେମାନଙ୍କୁ ଏହି ବର୍ବରକାଣ୍ଡ ପାଇଁ ୧୫ ବର୍ଷ ତଳେ ଆଜୀବନ ଜେଲଦଣ୍ଡ ମିଳିଥିଲା। ହେଲେ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରଙ୍କ ସ୍ୱତନ୍ତ୍ର ପ୍ୟାନେଲର ପରାମର୍ଶକ୍ରମେ ସେମାନଙ୍କୁ କ୍ଷମା ନୀତି ଅନୁସାରେ ଜେଲରୁ ଖଲାସ କରି ଦିଆଯାଇଛି।

୨୧ ବର୍ଷୀୟ ବିଲକିସ୍‌ ବାନୋ ସେତେବେଳେ ୫ ମାସର ଗର୍ଭବତୀ ଥିଲେ। ୨୦୦୨ ମସିହା ମାର୍ଚ୍ଚ ୩ରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହାପରେ ବାନୋଙ୍କ ଛୋଟ ଝିଅଙ୍କ ସମେତ ପରିବାରର ଅନ୍ୟ ୧୩ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଦଙ୍ଗା ଯୋଗୁ ପରିବାର ଲୋକଙ୍କ ସହ ବିଲକିସ୍‌ ଅହମଦାବାଦରେ ଥିବା ଗୋଟିଏ କ୍ଷେତରେ ଲୁଚିଥିଲେ। ହେଲେ ତାଙ୍କୁ ଦଙ୍ଗାକାରୀମାନେ ଠାବ କରି ନେଇଥିଲେ।
୨୦୦୯ରେ ମୁମ୍ବାଇରେ ଥିବା ସ୍ୱତନ୍ତ୍ର କୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହାକୁ ବମ୍ବେ ହାଇକୋର୍ଟ କାଏମ ରଖିଥିଲେ।

ଚଳିତ ବର୍ଷ ଜୁନ୍‌ ମାସରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଜୀବନ କାଟୁଥିବା କଏଦୀଙ୍କ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଯୋଜନା ଲାଗୁ କରିଥିଲେ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରମାନେ ଏହି ଯୋଜନା ଅନୁସାରେ କିଛି କଏଦୀଙ୍କୁ ମୁକ୍ତ କରିପାରିବେ। ହେଲେ ଦୁଷ୍କର୍ମକାରୀଙ୍କୁ ଏହି ଯୋଜନାର ଫାଇଦା ମିଳିବ ନାହିଁ ବୋଲି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଥିଲେ।

ଏହାର ଅର୍ଥ ବିଲକିସ୍‌ ବାନୋଙ୍କ ମାମଲାରେ ମଧ୍ୟ ଏହି ଯୋଜନା ଲାଗୁ ହେବା କଥା ନୁହେଁ। ତେବେ ଜଣେ ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ ଓ ତାଙ୍କ ଛୋଟ ଝିଅଙ୍କ ସମେତ ପରିବାର ଲୋକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ଜେଲରୁ ଖଲାସ କରିବା ପାଇଁ ଗୁଜରାଟ ସରକାର ମେ’ ମାସରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିଜସ୍ୱ ଗାଇଡଲାଇନ ଜାରି କରିଛନ୍ତି।

କିନ୍ତୁ ଏପରି ଗାଇଡଲାଇନ କେନ୍ଦ୍ର ସରକାର ଜାରି କରିଥିବା ନିୟମର ଉଲ୍ଲଙ୍ଘନ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୱେବସାଇଟ୍‌ରେ ଉଲ୍ଲେଖ ଥିବା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ନୀତିର ପୃଷ୍ଠା ୪ର ୫ନଂ ପଏଣ୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ଆଜୀବନ ଜେଲଦଣ୍ଡ ଭୋଗୁଥିବା କୌଣସି ବି କଏଦୀଙ୍କୁ ଖଲାସ କରାଯିବ ନାହିଁ। ଏହି ନିୟମ ଅନୁସାରେ ମଧ୍ୟ ବିଲକିସ୍‌ ବାନୋଙ୍କ ଘଟଣାର ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ଛଡ଼ା ଯିବା କଥା ନୁହେଁ। ତଥାପି ଗୁଜରାଟ ସରକାର ୧୯୯୨ ମସିହାରେ ପ୍ରଦତ୍ତ ସ୍ୱତନ୍ତ୍ର କ୍ଷମା ନୀତି ବଲରେ ୧୧ ଦୁଷ୍କର୍ମକାରୀଙ୍କୁ ଛାଡ଼ି ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।