ମମତାଙ୍କ ଇଟାଲୀ ଟ୍ରିପ୍‌କୁ ଅନୁମତି ଦେଲାନି କେନ୍ଦ୍ର

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ଇଟାଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଶାନ୍ତି ସମ୍ମିଳନୀକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ସମ୍ମଳନୀ ଇଟାଲୀରେ ଅନୁଷ୍ଠିତ ହେବ। ଏଥିରେ ମମତା ଯୋଗଦେବାର ଥିଲା।

କିନ୍ତୁ ସମ୍ମିଳନୀରେ ଯୋଗଦେବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ମମତାକୁ ଅନୁମତି ଦେଇନାହିଁ। ବିଶ୍ୱ ସ୍ତରୀୟ ଶାନ୍ତି ସମ୍ମିଳନୀରେ ଜଣେ ମୁଖ୍ୟମନ୍ତ୍ରୀ ଯୋଗଦେବାର ଷ୍ଟାଟସ ନାହିଁ। ସେ କେବେ ହେଲେ ଭାରତ ପକ୍ଷରୁ କୌଣସି ବିଶ୍ୱସ୍ତରୀୟ ସମ୍ମିଳନୀରେ ପକ୍ଷ ରଖିବାକୁ ଉପଯୁକ୍ତ ଅଧିକାରୀ ନୁହନ୍ତି। ତେଣୁ ତାଙ୍କୁ ମନ୍ତ୍ରଣାଳୟ ଅନୁମତି ଦେଇ ନଥିବା ଜଣାପଡ଼ିଛି।

ଏହି ସମ୍ମିଳନୀରେ ଜର୍ମାନୀ ଚାନସେଲର ଆଞ୍ଜେଲ ମୋର୍କେଲ, ପପ ଫ୍ରାନସିସ୍‌ ଓ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦାରାଘି ଯୋଗଦେବେ। ମଦର ଟେରେସାଙ୍କ ଉପରେ ଏହି ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜନ ହେଉଛି। ଇଟାଲୀ ସରକାର ମମତାଙ୍କୁ ଏଥିପାଇଁ ନିମନ୍ତ୍ରଣ ଦେବା ସହ ନିଜ ସହ କୌଣସି ପ୍ରତିନିଧି ମଣ୍ଡଳ ନ ଆଣିବାକୁ କହିଥିଲେ।

ଏହାପରେ ମମତା ବାନାର୍ଜୀ ଇଣ୍ଡଷ୍ଟ୍ରୀ ଡେଲିଗେସନର ପ୍ରସ୍ତାବ ଦେଇଥିଲେ ଓ ଭାରତ ସରକାରଙ୍କୁ ଏଥିପାଇଁ ଅନୁମତି ମାଗିଥିଲେ। ତେବେ ବୈଦେଶିକ ମନ୍ତ୍ରଣାଳୟ ମମତାଙ୍କୁ ଇଟାଲୀ ଯିବାକୁ ଅନୁମତି ଦେଇନାହିଁ।

ବୈଦେଶିକ ମନ୍ତ୍ରଣାଳୟ ମମତାଙ୍କୁ ଅନୁମତି ଦେଇ ନଥିବାରୁ ଟିଏମସି ମୁଖପାତ୍ର ଦେବାଶୁଂ ଭଟ୍ଟାଚାର୍ଯ୍ୟ ଦେବ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “କେନ୍ଦ୍ର ସରକାର ଦିଦିଙ୍କ ରୋମ ଟ୍ରିପକୁ ଅନୁମତି ଦେବାକୁ ମନା କରିଦେଇଛି। ପୂର୍ବରୁ ସେମାନେ ଚାଇନା ଟ୍ରିପକୁ ମଧ୍ୟ ବାତିଲ କରିଥିଲେ।

ଆମେ ଅନ୍ତର୍ଜାତୀୟ ସମ୍ପର୍କ ଓ ଭାରତର ସ୍ୱାର୍ଥକୁ ଦୃଷ୍ଟିରେ ଚାଇନା ଟ୍ରିପ ବାତିଲ ନିଷ୍ପତ୍ତିକୁ ଗ୍ରହଣ କରିଥିଲୁ। ବର୍ତ୍ତମାନ ଇଟାଲୀ ପାଇଁ କାହିଁକି ଅନୁମତି ଦିଆ ଗଲାନି ମୋଦି ଜୀ? ବେଙ୍ଗଲଙ୍କ ସହ ଆପଣଙ୍କର ସମସ୍ୟା କ’ଣ? ଛି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।