ଅଜୟ ଭଲ୍ଲାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ କାର୍ଯ୍ୟକାଳକୁ ତୃତୀୟ ଥର ପାଇଁ ଆଜି ବୃଦ୍ଧି କରିଛନ୍ତି ସରକାର। ତାଙ୍କ କାର୍ଯ୍ୟକାଳ ୨୨ ତାରିଖରେ ସରିବାକୁ ଥିବା ବେଳେ ଏହାକୁ ଆଉ ଗୋଟିଏ ବର୍ଷ ବଢ଼ାଇ ଦିଆଯାଇଛି। ଏବେ ସେ ଗୃହ ସଚିବ ଭାବେ ୨୦୨୩ ଅଗଷ୍ଟ ୨୨ ଯାଏ କାର୍ଯ୍ୟ କରିବେ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଶ୍ରୀ ଭଲ୍ଲାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ନିଷ୍ପତ୍ତି ଉପରେ କ୍ୟାବିନେଟର ନିଯୁକ୍ତି କମିଟି ମୋହର ମାରିଛି। ତାଙ୍କ କାର୍ଯ୍ୟକାଳ ୨୦୨୨ ଅଗଷ୍ଟ ୨୨ରେ ସରିବାର ଥିଲା। ହେଲେ ଏହାକୁ କ୍ୟାବିନେଟ କମିଟି ଆଉ ବର୍ଷ ଅର୍ଥାତ ୨୦୨୩ ଅଗଷ୍ଟ ୨୨ ଯାଏ ବଢ଼ାଇ ଦେଇଛି।

୧୯୮୪ ବ୍ୟାଚର ଆସାମ-ମେଘାଳୟ କ୍ୟାଡର ଆଇଏଏସ୍‌ ଅଫିସର ଅଜୟ କୁମାର ଭଲ୍ଲା ୨୦୧୯ରେ ଗୃହ ସଚିବ ଭାବେ ନିଯୁକ୍ତି ପାଇଥିଲେ। ଶ୍ରୀ ଭଲ୍ଲା ୨୦୨୦ ନଭେମ୍ବରରେ ଅବସର ନେବା କଥା। ହେଲେ ଏହାକୁ ୨୦୨୦ ଅକ୍ଟୋବର ମାସରେ କେନ୍ଦ୍ର ସରକାର ୨୦୨୧ ଅଗଷ୍ଟ ୨୨ ଯାଏ ବୃଦ୍ଧି କରିଥିଲେ। ଏହାପରେ ଦ୍ୱିତୀୟ ଥର ପାଇଁ ତାଙ୍କ କାର୍ଯ୍ୟକାଳକୁ ୨୦୨୨ ଅଗଷ୍ଟ ୨୨ ଯାଏ ବୃଦ୍ଧି କରାଯାଇଥିଲା। ଏବେ ତୃତୀୟ ଥର ପାଇଁ ଆଉ ବର୍ଷେ ବଢ଼ାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।