କାଲି ଚାଷୀଙ୍କ ଚକା ଜାମ ଆନ୍ଦୋଳନ, ଏହି ସବୁ ସ୍ଥାନରେ ହେବନି ବିକ୍ଷୋଭ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ଚାଷୀମାନେ ସମଗ୍ର ଦେଶରେ ଚକା ଜାମ ଆନ୍ଦୋଳନ କରିବେ। ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏ ଦେଶର ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ତେବେ ଦିଲ୍ଲୀ-ଏନସିଆର, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ଚକା ଜାମ କରାଯିବ ନାହିଁ ବୋଲି ଆଜି ଚାଷୀମାନେ ସ୍ପଷ୍ଟ କରିଛନ୍ତି।

ସେହିପରି ସୋଶାଲ ମିଡିଆରେ ଚାଷୀମାନେ କାଲି ଭାରତ ବନ୍ଦ କରିବେ ବୋଲି ଯେଉଁ ପ୍ରଚାର କରାଯାଉଛି, ସେଥିରେ କୌଣସି ସତ୍ୟତା ନଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ମୋର୍ଚ୍ଚା କହିଛି ଯେ ଚକା ଜାମ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଭାବେ କରାଯିବ। ଏହି ସମୟରେ କୌଣସି ପ୍ରକାରର ହିଂସକାଣ୍ଡ ନ ଘଟାଇବାରୁ ସମସ୍ତଙ୍କୁ ନିବେଦନ କରାଯାଇଛି। ଚାଷୀଙ୍କ ସହ ସାଧାରଣ ଲୋକ ଏହି ଚକା ଜାମରେ ସାମିଲ ହେବେ ବୋଲି ମୋର୍ଚ୍ଚା କହିଛି।

ଚକା ଜାମ ବିକ୍ଷୋଭ ପୂର୍ବରୁ ଭାରତୀୟ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି, ଆସନ୍ତାକାଲି ଚକା ଜାମ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଦିଲ୍ଲୀ-ଏନସିଆରକୁ ଛାଡ଼ି ଦେଶର ଆଉ ସବୁ ରାସ୍ତାରେ ରାସ୍ତାରୋକ କରାଯିବ। ସରକାର ଚାଷୀଙ୍କ ସହ କେମିତି ବ୍ୟବହାର କରୁଛନ୍ତି, ସେକଥା ଜଣାଇବାକୁ ଆମେ କାଲି ଚକା ଜାମ କରୁଛୁ। ଚକା ଜାମ ୧୨ଟାରୁ ୩ଟା ଯାଏ ଚାଲିବ। ଏହାପରେ ଚାଷୀମାନେ ନିଜ ନିଜ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ କୃଷି ଆଇନ ଉଚ୍ଛେଦ ପାଇଁ ଦାବିପତ୍ର ପ୍ରଦାନ କରିବେ।

ଅନ୍ୟପକ୍ଷରେ ଚକା ଜମାକୁ ଦୃଷ୍ଟିରେ ରଖି ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚାଷୀମାନେ ଦିଲ୍ଲୀ, ଉତ୍ତର ପ୍ରଦେଶରେ ଚକା ଜମା କରିବେ ନାହିଁ ବୋଲି କହିଥିଲେ ହେଁ ଏଠାରେ ସର୍ବାଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅନେକ ସ୍ଥାନରେ ପୁଲିସ୍‌ ସହ ଅର୍ଦ୍ଧସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି।

ସୋଶାଲ ମିଡିଆ ଉପରେ ମଧ୍ୟ ନଜର ରଖାଯାଇଛି। ଚାଷୀମାନେ ଦିଲ୍ଲୀରେ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି। ତଥାପି ପୁଲିସ୍‌ ସମସ୍ତଙ୍କ ଉପରେ ନଜର ରଖିବାକୁ ବ୍ୟାପକ ବ୍ୟବସ୍ଥା କରିଛି। ହରିଆଣାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ପ୍ରମୁଖ ଛକ ଓ ଟ୍ରାଫିକ୍‌ରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଜାନୁଆରୀ ୨୬ ଟ୍ରାକ୍ଟର ରାଲି ବେଳେ ଯେଉଁଭଳି ହିଂସାକାଣ୍ଡ ଘଟିଲା, ତା’ର ପୁନରାବୃତ୍ତି ଯେମିତି ନ ଘଟିବ ସେଥିପାଇଁ ପୁଲିସ୍‌ ପ୍ରଶାସନ ବେଶ ସତର୍କ ରହିଛି। ଟ୍ରାକ୍ଟର ରାଲି ବେଳେ କିଛି ଉପଦ୍ରବୀ ଲାଲକିଲ୍ଲାରେ ପ୍ରବେଶ କରି ଶିଖ ଧର୍ମର ପତାକା ଉଡ଼ାଇଥିଲେ। ଏହାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।