ସ୍ୱତନ୍ତ୍ର ଦିଲ୍ଲୀ ବିଲ୍‌କୁ ନେଇ ରାଜ୍ୟସଭାରେ ହଙ୍ଗାମା, ବାଧ୍ୟ ହୋଇ ଅଳ୍ପକେ ଭାଷଣ ସାରିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଉପ ରାଜ୍ୟପାଳଙ୍କୁ ଦିଲ୍ଲୀରେ ଅଧିକ କ୍ଷମତା ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌କୁ ନେଇ ରାଜ୍ୟସଭାରେ ହଙ୍ଗାମା ଜାରି ରହିଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ରାଜ୍ୟସଭାରେ ବିରୋଧୀ ଦଳଗୁଡ଼ିକ କେନ୍ଦ୍ରର ଏହି ‘ଅସାମ୍ବିଧାନିକ’ ବିଲ୍‌କୁ ଜୋରଦାର ବିରୋଧ କରିଛନ୍ତି।

ସରକାରଙ୍କ ବିରୋଧରେ ନାନାବାଜି ତୀବ୍ର ହେବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଭାଷଣକୁ ଅଳ୍ପକେ ଶେଷ କରିଛନ୍ତି। ସେ ଆଜି ରାଜ୍ୟସଭାରେ ଅର୍ଥବିଲ୍‌ ଉପରେ ଜବାବ ରଖୁଥିଲେ। କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବାକୁ ନେଇ ଟିଏମସି ସାଂସଦଙ୍କ ସହ ତାଙ୍କର ବାକଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଛି।

ଟିଏମସିର ସଦସ୍ୟମାନେ କହିଛନ୍ତି, Government of National Capital Territory of Delhi (Amendment) Bill ସପକ୍ଷରେ ଭୋଟ ଯୋଗାଡ଼ କରିବା ପାଇଁ ବିଜେପି ତା’ର ସାଂସଦମାନଙ୍କୁ ତୁରନ୍ତ ଦିଲ୍ଲୀ ଡକାଇଛି। ଏହି ବିଲ୍‌ ଲୋକସଭାରେ ପାରିତ ହୋଇଥିବା ବେଳେ ଏବେ ରାଜ୍ୟସଭାରେ ଆଗତ ହେବାକୁ ଯାଉଛି।

ଏହି ବିଲ୍‌ରେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ସରକାରଙ୍କ ଅପେକ୍ଷା କେନ୍ଦ୍ର ଦ୍ୱାରା ନିଯୁକ୍ତ ଉପ ରାଜ୍ୟପାଳଙ୍କୁ ଅଧିକ କ୍ଷମତା ଦେବ। ତେଣୁ ଏହା ଅସାମ୍ବିଧାନିକ। ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଯିବା ଦରକାର ବୋଲି ଟିଏମସି ସାଂସଦମାନେ କହିଥିଲେ।

ଦିଲ୍ଲୀର କ୍ଷମତାସୀନ ଆପର‌ ସାଂସଦ ସଞ୍ଜୟ ସିଂହ କହିଛନ୍ତି, “ଆପଣ(ବିଜେପି) ଦୁଇଥର ଦିଲ୍ଲୀରେ ନିର୍ବାଚନ ହାରିଛନ୍ତି। ତେଣୁ ଏପରି ଏକ ବିଲ୍‌ ଆଣିଛନ୍ତି। ଏପରି ବିଲ ସଂପୂର୍ଣ୍ଣ ଭୁଲ ଓ ଅଗଣତାନ୍ତ୍ରିକ। ଏଥିରେ ଉପ ରାଜ୍ୟପାଳମାନେ ସରକାର ବୋଲି କୁହାଯାଇଛି। ଆଜି ନ୍ୟାୟ ପାଇଁ ଦିଲ୍ଲୀର ୨ କୋଟି ଲୋକ ଛିଡ଼ା ହୋଇଛନ୍ତି।”

କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ବିଲ୍‌କୁ ବିରୋଧ କରିଛନ୍ତି। ସେ କହିଛନ୍ତି, ନିର୍ବାଚିତ ସରକାରଙ୍କ ଠାରୁ କ୍ଷମତା ଅପସାରଣ କରିବାକୁ ଏହି ବିଲ୍‌ ଅଣାଯାଇଛି। ନିର୍ବାଚିତ ସରକାରଙ୍କ ବଦଳରେ ଉପ ରାଜ୍ୟପାଳଙ୍କୁ କ୍ଷମତା ଦେବାକୁ ଯୋଜନା ହୋଇଛି। ଏହା ସମ୍ବିଧାନ ବିରୋଧୀ। ଏହା କେବେ ହେଲେ ଆଇନରେ ପରିଣତ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାର ଆଣିଥିବା Government of National Capital Territory of Delhi (Amendment) Bill ଅନୁଯାୟୀ, ଦିଲ୍ଲୀରେ ସରକାର ଅର୍ଥ ଉପରାଜ୍ୟପାଳଙ୍କୁ ବୁଝାଇବ। ସେହିପରି ଯେକୌଣସି କାର୍ଯ୍ୟନିର୍ବାହୀ ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କ ଅନୁମତି ନେବାକୁ ବାଧ୍ୟ। ଦିଲ୍ଲୀ ବିଧାନସଭା ଯେକୌଣସି ଆଇନ ପରିଣତ କରିବ, ସେଥିରେ ସରକାରଙ୍କ ଅର୍ଥ ଉପରାଜ୍ୟପାଳଙ୍କୁ ବୁଝାଇବ।

୧୯୯୧ ଆଇନର ସେକସନ ୨୧ରେ ଏ ସଂକ୍ରାନ୍ତରେ ଏକ ଅନୁଚ୍ଛେଦ ଯୋଡ଼ାଯିବ। ବିଧାନସଭାରେ ବିଲ୍‌ ପାରିତ ହେବା ପରେ ଉପ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହାପରେ ଉପ ରାଜ୍ୟପାଳ ହିଁ ଏହାକୁ ଆଇନରେ ପରିଣତ କରାଯିବ କି ନାହିଁ କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ କି ନାହିଁ, ତା’ର ନିଷ୍ପତ୍ତି ନେବେ। ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ (ସଂଶୋଧନ) ଆଇନ ଲାଗୁ ହେବା କ୍ଷଣି ପୂର୍ବରୁ ଲାଗୁ ହୋଇଥିବା ସମସ୍ତ ଆଇନ କାଟ ଖାଇଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।