ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନକୁ ୧୦ ବର୍ଷ ଜେଲ

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନକୁ ମୁମ୍ବାଇର ସ୍ପେଶାଲ ସିବିଆଇ କୋର୍ଟ ୨୦୧୩ ମସିହା ହତ୍ୟା ଉଦ୍ୟମ ମାମଲାରେ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଛୋଟା ରାଜନ ୨୦୧୩ରେ ବୁକିରୁ ବିଲଡର ସାଜିଥିବା ଅଜୟ ଘୋସାଲିଆଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିଲା।

ମଙ୍ଗଳବାର କୋର୍ଟ ରାଜନ ଓ ତା’ର ସହଯୋଗୀମାନଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଲେଖାଏ ଜେଲଦଣ୍ଡ ଦେଇଛନ୍ତି। ସେହିପରି କୋର୍ଟ ରାଜନ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ସରକାରୀ ଓକିଲଙ୍କ କହିବା ଅନୁଯାୟୀ, ୨୦୧୩ ଅଗଷ୍ଟ ୨୮ରେ ୫୨ ବର୍ଷୀୟ ଅଜୟ ମାଲଦାରେ ଥିବା ମଲରୁ ବାହାରୁ ଥିବା ବେଳେ ତାଙ୍କ ଉପରକୁ ୩ ଜଣ ଗୁଳି ମାଡ଼ କରିଥିଲେ।

ସବିଆଇ ତଦନ୍ତ କରି ଜାଣିବାକୁ ପାଇଥିଲା ରାଜନ ହିଁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲା ଓ ତା’ର ଅତି ବିଶ୍ୱସ୍ତ ସତୀଶ କାଲିଆକୁ ପଠାଇଥିଲା। ଗୁଳି ଅଜୟଙ୍କ ଶରୀରରେ ମାଡ଼ ହୋଇଥିଲେ ହେଁ ସେ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଥିଲେ।

୨୦୧୩ ଅଗଷ୍ଟରେ ବାଙ୍ଗୁର ପୁଲିସ୍‌ ଷ୍ଟେସନରେ ହତ୍ୟା ଉଦ୍ୟମ ଓ ଅନ୍ୟାନ୍ୟ ଦଫାରେ ଏଫଆଇଆର ରୁଜୁ କରାଯାଇଥିଲା। ଘଟଣାର ୩ ଅଭିଯୁକ୍ତ ପ୍ରକାଶ ନିକମ, ସତୀଶ କାଲିଆ ଓ ଛୋଟା ରାଜନ ଫେରାର ରହିଥିଲେ।

ତେବେ କିଛି ଦିନ ପରେ ସାମ୍ବାଦିକ ଜେ ଦେଙ୍କ ହତ୍ୟା ଘଟଣାରେ ସତୀଶ ଓ ପ୍ରକାଶକୁ ଗିରଫ କରାଯାଇଥିଲା। ୨୦୧୬ ଏପ୍ରିଲ ୨୧ରେ ବାଲିରୁ ରାଜନକୁ ଭାରତ ପ୍ରର୍ତ୍ୟପଣ କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।