କରୋନାରେ ଆକ୍ରାନ୍ତ ହେଲେ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ

ଡେରାଡୁନ: ବେଶ କିଛି ଦିନ ହେଲା ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥିବା ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ ଏବେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିଥିବା ଜଣାପଡ଼ିଛି। ରିପୋର୍ଟ ପଜିଟିଭ ଆସିଥିବାରୁ ସେ ସେଲ୍ଫ ଆଇସୋଲେସନରେ ରହିଛନ୍ତି।

ଆଜି ୫୬ ବର୍ଷୀୟ ଶ୍ରୀ ରାୱତ ଟ୍ୱିଟ କରି କହିଛନ୍ତି, “ମୋ କରୋନା ଟେଷ୍ଟ ରିର୍ପୋଟ ପଜିଟିଭ ଆସିଛି। ମୁଁ ସଂପୂର୍ଣ୍ଣ ଠିକ୍‌ ଅଛି ଓ କୌଣସି ସମସ୍ୟାର ସମ୍ମୁଖୀନ ହେଉନାହିଁ। ତଥାପି ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ଏକାନ୍ତବାସରେ ରହିଛି। ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ସତର୍କ ରୁହନ୍ତୁ ଓ ତୁରନ୍ତ ନିଜ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ। ମୁଁ ସମସ୍ତଙ୍କ ଶୁଭ କାମନା କରୁଛି।”


ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିବା ତ୍ରିବେନ୍ଦ୍ର ସିଂହ ରାୱତ ଟ୍ୱିଟ କରି ତିରଥ ସିଂହ ରାୱତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ପାଇଛି। ମୁଁ ତାଙ୍କ ଆଶୁ ଆରୋଗ୍ୟ କାମ କରୁଛି।”

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରବେଶ କରିବା ଆରମ୍ଭ କରିଥିବା ବିଶେଷଜ୍ଞମାନେ କହିଛନ୍ତି। ଏହି କାରଣରୁ ଦୈନିକ ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଛି। ବିଶେଷ କରି ମହାରାଷ୍ଟ୍ରରେ କରୋନା ଭାଇରସ ବେକାବୁ ହେବାରେ ଲାଗିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।