ସାଂସଦଙ୍କ ଗାଡ଼ି ଧକ୍କାରେ ଚାଲିଗଲା ଶିଶୁର ଜୀବନ, ଡ୍ରାଇଭର ଗିରଫ

ମୁର୍ଶିଦାବାଦ: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଅଭାବନୀୟ ଘଟଣା ଘଟିଛି। ରାଜ୍ୟରେ କ୍ଷମତା ଟିଏମସିର ଜଣେ ସାଂସଦଙ୍କ କାର୍‌ ଧକ୍କାରେ ଚାଲି ଯାଇଛି ୪ ବର୍ଷର ଶିଶୁର ଜୀବନ। ଟିଏମସି ସାଂସଦ ଅବୁ ତାହେର ଖାନଙ୍କ କାର୍‌ ଧକ୍କାରେ ଆଜି ଏଭଳି ଘଟଣା ଘଟିଛି।

ସାଂସଦ ଖାନ ବୁଧବାର ଅପରାହ୍ନରେ ନିଜ କାର ଯୋଗେ ବହରହମପୁର ଯାଉଥିବା ବେଳେ ପିପ୍ରାଖାଲି ଅଞ୍ଚଳରେ ଏହି ଘଟଣା ଘଟିଛି। ଘଟଣା ପରେ ତୁରନ୍ତ ତା’କୁ ହସ୍ପିଟାଲ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଶିଶୁଟି ଆଖି ବୁଜିଛି। ଘଟଣା ବେଳେ ନିଜେ ସାଂସଦ କାର ଭିତରେ ଥିଲେ। ସାଂସଦଙ୍କ କାର ଧକ୍କାରେ ପ୍ରାଣ ହରାଇଥିବା ଶିଶୁର ନାଁ ହାସିମ ସରକାର।

ସାଂସଦ ଖାନ କହିଛନ୍ତି, ଘଟଣା ବେଳେ ଶିଶୁର ମା’ ତା’ ସହ ନଥିଲେ। ପିଲାଟି ରାସ୍ତାରେ ଏକାକୀ ବୁଲୁଥିଲା। ତା’ ମା’ ବ୍ୟାଙ୍କରେ କୌଣସି କାମରେ ବ୍ୟସ୍ତ ଥିବାରୁ ପିଲାଟି ସେଠାରୁ ବାହାରି ରାସ୍ତାକୁ ଚାଲି ଆସିଥିଲା। ଦୁର୍ଘଟଣା ପରେ ୫୦ରୁ ୬୦ ଜଣ ଲୋକ ଘଟଣାସ୍ଥଳକୁ ଆସିଥିଲେ। କିନ୍ତୁ ତା’ ମା’ଙ୍କ ପତ୍ତା ମିଳି ନଥିଲା। ସେ ବହୁ ବିଳମ୍ବରେ ଆସିଥିଲେ। ମୁଁ ନିଜେ ପିଲାଟିକୁ ହସ୍ପିଟାଲକୁ ନେଇଥିଲି। ଡାକ୍ତର ଓ ନର୍ସ ତା’ର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ହେଁ ସେ ଆଖିବୁଜିଛି ବୋଲି ସେ କହିଛନ୍ତି।

ସାଂସଦଙ୍କ କାର ଖୁବ ଜୋରରେ ଯାଉଥିବା ବେଳେ ପିଲାଟିକୁ ଧକ୍କା ଦେଇଥିଲେ ବୋଲି ହାଶିମଙ୍କ ମାମୁ କହିଛନ୍ତି। ପୁଲିସ୍ ଏହି ଘଟଣାରେ ସାଂସଦଙ୍କ ଡ୍ରାଇଭର ଅଲମଗିର ମଣ୍ଡଳଙ୍କୁ ଗିରଫ କରିଛି।

କିଛିଦିନ ତଳେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ସାହାପୁର ଅଞ୍ଚଳରେ ଗୋଟିଏ ସରକାରୀ ଗାଡ଼ି ଧକ୍କାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ତାଙ୍କ ଝିଅ ଓ ପତ୍ନୀ ଆହତ ହୋଇଥିଲେ।

ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ପପୁ ଦାସ। ସେ ନିଜ ପତ୍ନୀ ଓ ଝିଅ ସହ ବାଇକରେ ଯାଉଥିବା ବେଳେ ଏସ୍‌ଡିଓଙ୍କ କାର୍‌ ଏହାକୁ ଧକ୍କା ଦେଇଥିଲା। ଏସ୍‌ଡିଓ ନିଜେ କାର ଚଳାଉଥିଲେ। ଘଟଣା ପରେ ପପୁଙ୍କ ପତ୍ନୀ ସହଯୋଗ ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏସ୍‌ଡିଓ ସେଠାରୁ ଚାଲି ଯାଇଥିବା ଅଭିଯୋଗ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।