ଚେତାଇଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ: ପିଲାଙ୍କ ପ୍ରତି ବି ରହିଛି କରୋନା ବିପଦ

ନୂଆଦିଲ୍ଲୀ: ପୁଣିଥରେ ଦେଶର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଚିନ୍ତା ପ୍ରକଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏବେ ଛୋଟ ପିଲାଙ୍କ ପ୍ରତି ମଧ୍ୟ ସଂକ୍ରମଣର ବିପଦ ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି। ପିଲାମାନଙ୍କୁ କରୋନା ବିପଦ ଥିବାରୁ ଏହାର ମୁକାବିଲା ପାଇଁ ଉପଯୁକ୍ତ ପ୍ଲାନିଂ କରିବାକୁ ପଡ଼ିବ ବୋଲି ମଧ୍ୟ ମନ୍ତ୍ରଣାଳୟ କହିଛି।

ଦେଶର କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି, ଭାଇରସ ସଂସ୍ପର୍ଶରେ ଛୋଟ ପିଲାମାନେ ଯେମିତି ନ ଆସିବେ, ସେଥିପାଇଁ ଆମକୁ ଉପଯୁକ୍ତ ପ୍ଲାନିଂ ବା ଯୋଜନା କରିବାକୁ ପଡ଼ିବ। ଦେଶରେ ଏମିତି ଅନେକ ଜିଲ୍ଲା ଅଛି ଯେଉଁଠି ଟେଷ୍ଟ ପଜିଟିଭିଟି ଏବେ ବି ୧୦% ଉପରେ ରହୁଛି।

ତେଣୁ ମହାମାରୀ କରୋନା ଶେଷ ହୋଇନାହିଁ ବୋଲି ଆମକୁ ବିଚାର କରିବାକୁ ପଡ଼ିବ। ଦ୍ୱିତୀୟ ୱେଭ ଏଯାଏ ସରିନି। ଆମକୁ କୋଭିଡ ଉଚିତ ବ୍ୟବହାରକୁ ପାଳନ କରିବାକୁ ପଡ଼ିବ। ଆମକୁ ସମସ୍ତ କଟକଣା ପାଳନ କରିବାକୁ ହେବ। ଥାର୍ଡ ୱେଭ ଆସିବାକୁ ଥିବାରୁ ରାଜ୍ୟ ସରକାରମାନେ ସେମାନଙ୍କ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବିକଶିତ କରିବା ଦରକାର ବୋଲି ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ଏବେ ଦେଶର ପଜିଟିଭିଟି ରେଟ୍‌ ୩% ତଳକୁ ଖସିଛି। ଏବେ ଏହା ୨.୪% ରହିଛି। ତଥାପି ୪୭ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। ଏଠାରେ ପଜିଟିଭିଟି ରେଟ୍‌ ୧୦% ଉପରେ ଅଛି। ମଣିପୁରରେ ସର୍ବାଧିକ ୯ଟି ଜିଲ୍ଲାରେ ପଜିଟିଭିଟି ରେଟ୍‌ ୧୦% ଉପରେ ରହିଛି।

ଏହାବାଦ ଆଉ କିଛି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ତଳ ମୁହାଁ ହୋଇନି। ତେଣୁ ଆମକୁ ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। କଟକଣା କୋହଳ ହୋଇଥିଲେ ମଧ୍ୟ ଆମକୁ ସତର୍କ ରହିବାକୁ ହେବ ବୋଲି ଶ୍ରୀ ଅଗ୍ରୱାଲ ପରାମର୍ଶ ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।