ଭାରତୀୟ କରୋନା ଟିକା ହ୍ୟାକ କରିବାକୁ ଚାଇନାର ଉଦ୍ୟମ

ନୂଆଦିଲ୍ଲୀ: ଭାରତର କରୋନା ଟିକା ଡିପ୍ଲୋମାସୀରେ ବ୍ୟାକ୍‌ଫୁଟକୁ ଠେଲି ହୋଇଯାଇଥିବା ଚାଇନା ଏବେ ନୂଆ ଭେଳିକି ଆରମ୍ଭ କରିଛି। ପୂରା ବିଶ୍ୱକୁ କରୋନା ଭୂତାଣର ଆଁକୁ ଠେଲି ଦେଇଥିବା ଚାଇନା ଏବେ ଭାରତକୁ ଟାର୍ଗେଟ କରିଛି। ଭାରତରେ ପ୍ରସ୍ତୁତ ହୋଇଥିବା ଦୁଇ କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡର ଫର୍ମୁଲା ଚୋରି କରିବାକୁ ଡ୍ରାଗନ ବାହିନୀ ଏବେ ହ୍ୟାକର୍ସଙ୍କ ସହାୟତା ନେଇଛି।

ଭାରତରେ କରୋନା ଟିକା ପ୍ରସ୍ତୁତ କରୁଥିବା ଦୁଇ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକର ଆଇଟି ସିଷ୍ଟମକୁ ଚାଇନାର ହ୍ୟାକର୍ସମାନେ ଟାର୍ଗେଟ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସରେ ଏ ସଂକ୍ରାନ୍ତୀୟ ଖବର ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି।

ସାଇବର ଇଣ୍ଟେଲିଜେନ୍ସ ଫାର୍ମ Cyfirmaର ତଥ୍ୟକୁ ଆଧାର କରି ରଏଟର୍ସରେ ଖବର ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଭାରତରେ କରୋନା ଟିକା ତିଆରି କରୁଥିବା ଉଭୟ କମ୍ପାନୀକୁ ଚାଇନା ସରକାରଙ୍କ ସମର୍ଥିତ ହ୍ୟାକର୍ସ ଗ୍ରୁପ୍‌ ଟାର୍ଗେଟ କରିଛନ୍ତି। ଚାଇନାର ହ୍ୟାକିଂ ଗ୍ରୁପ୍ APT10 ଭରତ ବାୟୋଟେକ୍ ଓ ସେରମ୍ ଇନଷ୍ଟଚ୍ୟୁଟର ଆଇଟି ସିଷ୍ଟମରେ ଥିବା ତ୍ରୁଟିର ଫାଇଦା ଉଠାଇ ଏହାକୁ ହ୍ୟାକ କରିବାକୁ ଚେଷ୍ଟା କରିଥିଲା।

ଏହି APT10 ହ୍ୟାକିଂ ଗ୍ରୁପ୍ ଷ୍ଟୋନ୍ ପାଣ୍ଡା ନାମରେ ମଧ୍ୟ ଜଣାଶୁଣା। ହ୍ୟାକିଂ ଗ୍ରୁପ୍ ଦୁଇଟି ଯାକ କମ୍ପାନୀର ସପ୍ଲାଏ ଚେନ୍‌ ସଫ୍ଟୱେରକୁ ଭାଙ୍ଗିବାକୁ ଚେଷ୍ଟା କରିଛି। ସାଇବର ଆଟାକର ମୂଳ ଉଦ୍ଦେଶ୍ୟ ଇଣ୍ଟେଲେକଚ୍ୟୁଆଲ ପପରଟିକୁ ଟାର୍ଗେଟ କରିବା ଓ ଭାରତୀୟ କମ୍ପାନୀଗୁଡ଼ିକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ମାର୍କେଟରେ ପଛରେ ପକାଇବା।

APT10 ସେରମ୍ ଇନଷ୍ଟିଚ୍ୟୁଟକୁ ବିଶେଷ ଭାବେ ଟାର୍ଗେଟ୍ କରିଥିଲା। ସେରମ୍ ଅନେକ ଦେଶ ପାଇଁ ଆଷ୍ଟ୍ରାଜେନେକା ଟିକା ପ୍ରସ୍ତୁତ କରୁଛି। ଖୁବଶୀଘ୍ର ସେରମରେ ନୋଭାଭାକ୍ସ ଡୋଜ୍‌ ମଧ୍ୟ ଉତ୍ପାଦିତ ହେବ। ଏଭଳି ସ୍ଥିତିରେ ଚାଇନା ହ୍ୟାକରମାନେ ଏହି କମ୍ପାନୀର ଅନେକ ସର୍ଭର ଦୁର୍ବଳ ୱେବ ସର୍ଭରରେ ଚାଲୁଥିବା ଜାଣିବାକୁ ପାଇଥିଲେ।

ସେମାନେ ଦୁର୍ବଳ ୱେବ୍ ଆପ୍ଲିକେସନ୍ ଓ ଦୁର୍ବଳ କଣ୍ଟେଣ୍ଟ ମ୍ୟାନେଜମେଣ୍ଟକୁ ହ୍ୟାକ କରିବାକୁ କଥା ହୋଇଥିଲେ। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି Cyfirma ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ସାଇବର ଆଟାକ ସମ୍ପର୍କରେ ଚାଇନା ସରକାର ଏଯାଏ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ସେହିପରି ହ୍ୟାକ୍‌ ସମ୍ପର୍କରେ ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ମଧ୍ୟ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତ ଓ ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତକୁ କରୋନା ଟିକା ସପ୍ଲାଏ କରୁଛନ୍ତି। ଭାରତ ଦୁନିଆରେ ଉପଲବ୍ଧ ହେଉଥିବା ୬୦% ଟିକା ଉତ୍ପାଦନ କରୁଛି। ଏଭଳି ସ୍ଥିତିରେ ଚାଇନାର ଚିନ୍ତା ବଢ଼ିଛି। ଏହି କାରଣରୁ ଚାଇନା କରୋନା ଟିକା ପ୍ରସ୍ତୁତ କରୁଥିବା ଭାରତୀୟ କମ୍ପାନୀର ଆଇଟି ସିଷ୍ଟମକୁ ହ୍ୟାକ୍‌ କରି ଏହାର ଫର୍ମୁଲା ଚୋରି କରିବାକୁ ଉଦ୍ୟମ କରୁଥିବା ବିଶେଷଜ୍ଞମାନେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।