ମିଳିଲା କରୋନାର ନୂଆ ରୂପ, ଜୀବନ ପ୍ରତି ହୋଇପାରେ ଘାତକ!

ଉହାନ: ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ଦେଖାଯାଉଥିବା ବେଳେ ଏବେ ନୂଆ ବିପଦ ସାମ୍ନାକୁ ଆସିଛି। କରୋନାର ଗଡ଼ ଭାବେ ପରିଚିତ ଚାଇନାର ଉହାନରୁ ଆସିଛି ସମସ୍ତଙ୍କୁ ଡରାଇବା ଭଳି ଖବର। ଏଠାରେ କାର୍ଯ୍ୟରତ ବୈଜ୍ଞାନିକମାନେ କରୋନାର ନୂଆ ରୂପ NeoCov ବା ନିଓକୋଭ ଭାଇରସକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି।

ଏହି ନୂତନ କରୋନା ଭାଇରସ ଅତ୍ୟନ୍ତ ସଂକ୍ରାମକ। ଏଥିସହ ନିଓକୋଭରେ ଆକ୍ରାନ୍ତ ହେଉଥିବା ପ୍ରତି ୩ ଜଣଙ୍କୁ ମଧ୍ୟରୁ ଜଣେ ପ୍ରାଣ ହରାଇବାର ଆଶଙ୍କା ମଧ୍ୟ ରହିଛି। ଚାଇନିଜ ବୈଜ୍ଞାନିକମାନେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରେ ଥିବା ବାଦୁଡ଼ି ମାନଙ୍କ ଶରୀରରୁ ଏହି ନୂତନ କରୋନା ଭାଇରସ NeoCov ମିଳିଛି।

ଏହା ଭବିଷ୍ୟତରେ ମାନବଜାତି ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇପାରେ। ଭାଇରସ ଯୋଗୁ ସାଧାରଣ ଥଣ୍ଡାରୁ ସିଭିୟର ରୋଗ ସୃଷ୍ଟି ହୋଇପାରେ। ତଥାପି ଏହି ଭାଇରସର ଉପରେ ଅଧିକ ଗବେଷଣାର ଆବଶ୍ୟକ ରହିଛି। ଏଯାଏ ଏହି ଭାଇରସ ମଣିଷମାନଙ୍କ ପାଖରେ ପହଞ୍ଚି ନାହିଁ ବୋଲି ସେମାନେ କହିଛନ୍ତି।

ରୁଷ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଏହି ନିଓକୋଭ୍ ସାର୍ସ କୋଭ ଭାଇରସର ବଂଶଧର। ୨୦୧୨ ଓ ୨୦୧୫ରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଏହା ଠାବ ହୋଇଥିଲା। ଏହା SARS-CoV-2 ଭଳି ମଣିଷଙ୍କ ଶରୀରରେ ପ୍ରବେଶ କରି ସଂକ୍ରମିତ କରିଥାଏ।

ଦକ୍ଷିଣ ଆଫ୍ରିକାରେ ରହୁଥିବା ବାଦୁଡ଼ି ମାନଙ୍କ ଶରୀରରୁ ଏହି ଭାଇରସ ଠାବ ହୋଇଛି। ଏହି ଭାଇରସ କେବଳ ବାଦୁଡ଼ିମାନଙ୍କ ଶରୀରରେ ବ୍ୟାପୁଛି ବୋଲି ଚାଇନିଜ ଏକାଡେମୀ ଅଫ ସାଇନ୍ସ ଓ ଉହାନ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି।

ସେମାନଙ୍କ କହିବା କଥା, ଏଯାଏ ନିଓକୋଭ ମଣିଷଙ୍କୁ ଶରୀରରୁ ଠାବ ହୋଇନି। କିନ୍ତୁ ଏହା ମ୍ୟୁଟେସନ ହେବା ପରେ କି ପ୍ରକାରର ରୂପ ଧାରଣ କରିବ, ତା’ହା ଏବେଠୁ କହିବା ମୁସ୍କିଲ। ନିଓକୋଭ ଓ ଏହାର ଘନିଷ୍ଠ PDF-2180-CoV ମଣିଷମାନଙ୍କୁ ସଂକ୍ରମିତ କରିପାରେ। ନିଓକୋଭ Middle East respiratory syndrome (MERS) ଭଳି ଲୋକଙ୍କ ମୃତ୍ୟୁର କାରଣ ସାଜିପାରେ।

ପ୍ରତ୍ୟେକ ୩ ରୋଗୀଙ୍କ ମଧ୍ୟରୁ ଜଣେ ନିଓକୋଭ ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ମଧ୍ୟ ହରାଇପାରନ୍ତି। ସେହିପରି ନିଓକୋଭରେ SARS-CoV-2 କରୋନା ଭାଇରସର ଗୁଣ ମଧ୍ୟ ରହିଛି, ଯାହା ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିପାରିବ ବୋଲି ସେମାନେ ଆକଳନ କରିଛନ୍ତି।

ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଗୁରୁତ୍ୱର ସହ ନେଇଛି। ଏହା ମାନବଜାତି ପ୍ରତି କ’ଣ ବିପଦ ସୃଷ୍ଟି କରିବ, ସେକଥା ଅଧିକ ଗବେଷଣା ପରେ ଜଣାପଡ଼ିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।