ଲଦାଖରେ ପଶିଲେ ଚାଇନା ସୈନ୍ୟ, ବିରୋଧ ପ୍ରଦର୍ଶନ ବି କଲେ

ଲଦାଖ: ଭାରତର ଲଦାଖ ସ୍ଥିତ ଦେମଚୁକ୍‌ରେ ଧସେଇ ପଶିଛନ୍ତି ଚାଇନିଜ ଯବାନ ଓ କିଛି ସାଧାରଣ ଲୋକ। ସେମାନେ ସିନ୍ଧୁ ନଦୀର ଅପରପାର୍ଶ୍ୱରେ ଛିଡ଼ା ହୋଇ ବିରୋଧ ପ୍ରଦର୍ଶନ ବି କରିଛନ୍ତି। ଏଠାରେ ଗାଁ ଲୋକମାନେ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମଦିନ ପାଳନ କରୁଥିବାରୁ ଏହାକୁ ବିରୋଧ କରି ଚାଇନା ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ସେମାନେ ସିନ୍ଧୁ ନଦୀର ଅପରପାଖରେ ଛିଡ଼ା ହୋଇ ଚାଇନିଜ ପତାକା ଓ ବିରୋଧ ପ୍ରଦର୍ଶନ କରିବା ପାଇଁ ପୋଷ୍ଟର ମଧ୍ୟ ଦେଖାଇଥିଲେ। ଜୁଲାଇ ୬ ତାରିଖରେ ଏହି ଘଟଣା ଘଟିଥିଲେ ହେଁ ଏବେ ଏହାର ଫଟୋ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଦଲାଇ ଲାମାଙ୍କ ଜନ୍ମଦିନ ପାଇଁ ଯେଉଁ ଗାଁରେ କାର୍ଯ୍ୟକ୍ରମ କରାଯାଉଥିଲା ସେଠାକାର କମ୍ୟୁନିଟି ସେଣ୍ଟର ପାଖରୁ ଚାଇନିଜ ଆର୍ମିର ଯବାନ ଓ କିଛି ସାଧାରଣ ଲୋକ ୫ଟି ଗାଡ଼ିରେ ଆସି ପହଞ୍ଚିଥିଲେ। ଏହାପରେ ସେମାନେ ପୋଷ୍ଟର ଓ ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ଦଲାଇଲାମାଙ୍କ ଜନ୍ମ ଦିନ ଭାରତର ଲଦାଖରେ ପାଳନ କରାଯାଉଥିବାରୁ ଏହାକୁ ଚାଇନା ବିରୋଧ କରିଛି।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦଲାଇଲାମାଙ୍କୁ ତାଙ୍କର ୮୬ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ। ସେହିପରି ୨୦୧୪ରୁ କ୍ଷମତାରେ ଥିବା ମୋଦି ପ୍ରଥମଥର ପାଇଁ ଦଲାଇଲାମାଙ୍କ ସହ କଥାବାର୍ତ୍ତା କରିଥିବା ଖୋଲାଖୋଲି ଭାବେ ସମସ୍ତଙ୍କୁ ସୂଚନା ଦେଇଥିଲେ। ଏହାକୁ ନେଇ ଚାଇନା ଚିହିଁକି ଉଠିଥିଲା। ଏବେ ଦଲାଇଲାମାଙ୍କ ଜନ୍ମଦିନ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ଚାଇନା ବିରୋଧ କରିଛି।

ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ-ମେ’ ମାସରେ ଭାରତ ଓ ଚାଇନା ସୀମାକୁ ନେଇ ମୁହାଁମୁହିଁ ହୋଇଥିଲେ। ଏବେ ବି ସୀମାରେ ଉତ୍ତେଜନା ଲାଗି ରହିଛି। ଏଥିପାଇଁ ଉଭୟ ଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।