ପୁଣିଥରେ ଜାରି ହେବ ଲକଡାଉନ, ସଙ୍କେତ ଦେଲେ ମନ୍ତ୍ରୀ

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ର ସମେତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ମୁମ୍ବାଇରେ ୧୩୧ ଦିନ ମଧ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ି ଯାଇଛି। ୨୪ ଘଣ୍ଟାରେ ୧୩୬୧ ଜଣଙ୍କ ଟେଷ୍ଟ ରିପୋର୍ଟ ମୁମ୍ବାଇରେ ପଜିଟିଭ ଆସିବାରୁ ସହରର ଗାର୍ଡିଆନ ମନ୍ତ୍ରୀ ଅସଲମ ଶେଖ ପୁଣିଥରେ ଲକଡାଉନ ଲାଗୁ ହେବ ବୋଲି ସଙ୍କେତ ଦେଇଛନ୍ତି।

ସେ କହିଛନ୍ତି, ଯଦି ବର୍ଦ୍ଧିତ ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ନ ରହିବ, ତା’ହେଲେ ଆମେ ବାଧ୍ୟ ହୋଇ ପୁଣିଥରେ ଆଶିଂକ ଲକଡାଉନ ଲାଗୁ କରିବୁ। ଆସନ୍ତା ୮ରୁ ୧୦ ଦିନ ମୁମ୍ବାଇ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସରକାର କେସ୍‌ ଲୋଡ୍‌କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏହା ମଧ୍ୟରେ ମାସ୍କ ନ ପିନ୍ଧିଲେ ଜୋରିମାନା ଓ ମ୍ୟାରେଜ ହଲ ଏବଂ ପବ୍ସରେ ଭିଡ଼ କଲେ କାର୍ଯ୍ୟାନୁଷ୍ଠାନ ଭଳି ବ୍ୟବସ୍ଥା ରହିଛି।

ଆମେ ଆଗକୁ ସଂକ୍ରମଣ ରୋକିବା ପାଇଁ ଅନେକ ପଦକ୍ଷେପ ନେବାକୁ ଯାଉଛୁ। ଏହା ମଧ୍ୟରେ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ, ଟେଷ୍ଟ ସଂଖ୍ୟା ବୃଦ୍ଧି ଓ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଛି। ତଥାପି ସଂକ୍ରମଣ ବଢ଼ିଲେ ଆଶିଂକ ଲଡକାଉନ ଲାଗୁ କରାଯିବ ବୋଲି ସେ କହିଛନ୍ତି।

ମହାରାଷ୍ଟ୍ରରେ ରବିବାର ରେକର୍ଡ ୧୧,୧୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ୧୪୨ ଦିନ ମଧ୍ୟରେ ସର୍ବାଧିକ। ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ୍‌ ଆଗରେ ପୂରା ରାଜ୍ୟର ତଥ୍ୟ ଉପସ୍ଥାପନ କରିଛି।

ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ କ୍ୟାବିନେଟ ବେଶ ଚିନ୍ତା ପ୍ରକଟ କରିଛି। କିଛି ଜିଲ୍ଲାରେ ଆକ୍ଟିଭ କେସ୍‌ ଲୋଡ ବୃଦ୍ଧି ପାଉଥିବାରୁ କ୍ୟାବିନେଟର ସଦସ୍ୟ ଆଶିଂକ ଲକଡାଉନ ସପକ୍ଷରେ ମଧ୍ୟ ମତ ଦେଇଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରେ ଆକ୍ଟିଭ କେସ୍ ସଂଖ୍ୟା ୯୭, ୯୮୩ ରହିଛି। ସେହିପରି ମୁମ୍ବାଇରେ ଏହି ସଂଖ୍ୟା ୯,୩୧୯।

ବିଶେଷଜ୍ଞଙ୍କ ମତରେ ସ୍ଥିତି ଏପରି ଜାରି ରହିଲେ, ଏପ୍ରିଲ ସୁଦ୍ଧା ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୨ ଲକ୍ଷ ପାର୍‌ କରିବାର ଆଶଙ୍କା ରହିଛି। ପୂର୍ବରୁ ଗୋଟିଏ କେନ୍ଦ୍ରୀୟ ଟିମ୍‌ ମହାରାଷ୍ଟ୍ର ଯାଇଥିବା ବେଳେ ଖୁବଶୀଘ୍ର ଆଉ ଗୋଟିଏ ଟିମ୍‌ ରାଜ୍ୟକୁ ଯାଇ କାହିଁକି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି, ତା’ର ସମୀକ୍ଷା କରିବ ବୋଲି ଜଣାପଡ଼ିଛି।

ସୂତ୍ର ଅନୁସାରେ, ସ୍ଥାନୀୟ ଲକଡାଉନ ଗୋଟିଏ ଜିଲ୍ଲାରେ ସୀମିତ ରହୁଛି। ତେଣୁ ଏହା ସେତେଟା ପ୍ରଭାବ ଦେଖାଇ ପାରୁନି। ଲୋକମାନେ ବେଶ ଆରାମରେ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲା ସାଧାରଣ ପରିବହନ ସେବାରେ ଯିବା ଆସିବା କରୁଛନ୍ତି। ତେଣୁ ସ୍ଥିତିକୁ ଆଉ ଦୁଇ ସପ୍ତାହ ଭଲ ଭାବେ ତର୍ଜମା କରାଯିବ ଓ ଏହାପରେ ସରକାର ଲକଡାଉନ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ରାଜ୍ୟର ୧୬ଟି ଜିଲ୍ଲାରେ ଦୈନିକ ପଜିଟିଭ ରେଟ୍‌ ୧୧% ମାର୍କକୁ ଅତିକ୍ରମ କରିସାରିଲାଣି। ଔରଙ୍ଗାବାଦ ଓ ମରାଠାୱାଡାରେ ସାପ୍ତାହିକ ପଜିଟିଭ ହାର ୨୪% ପାର କରିଛି। ସେହିପରି ଅକୋଲାରେ ୨୩% ଓ ମୁମ୍ବାଇ ଉପକଣ୍ଠରେ ଏହା ୭.୬% ରହିଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୨, ୧୯,୭୨୭ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।

ତେବେ ମୃତ୍ୟୁସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ୩୮ ଜଣ ଲୋକ କରୋନାରେ ପ୍ରାଣ ହରାଇବାରୁ ମହାରାଷ୍ଟ୍ରରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫୨,୪୭୮ରେ ପହଞ୍ଚିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।