ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା

ନୂଆଦିଲ୍ଲୀ: ଜଷ୍ଟିସ ଏନଭି ରମନ୍ନା ହେବେ ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି। ଜଷ୍ଟିସ ଏସ ଏ ବୋବଡେ ଏପ୍ରିଲ ୨୩ରେ ଅବସର ନେବେ। ଏହାପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ନିକଟକୁ ତାଙ୍କ ଉତ୍ତରାଧିକାରୀଙ୍କ ତାଲିକା ପଠାଇଛନ୍ତି ଜଷ୍ଟିସ ବୋବଡେ। ଯେଉଁଥିରେ ଏନଭି ରମନ୍ନାଙ୍କ ନାମ ରହିଛି। ସୁପ୍ରିମକୋର୍ଟରେ ଏବେ ବରିଷ୍ଠ ବିଚାରପତି ହେଉଛନ୍ତି ଜଷ୍ଟିସ ଏନଭି ରମନ୍ନା।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୬୫ ବର୍ଷ ବୟସ ପର୍ଯ୍ୟନ୍ତ ରହିପାରିବେ। ସଂସଦରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଲେ ତାଙ୍କୁ ହଟାଇ ହେବ। ଏଥିପାଇଁ ଧାରା ୧୨୪ (୪) ଅନୁଯାୟୀ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆସିବ। ଯଦି ସଂସଦରେ ଏହି ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ ମିଳିବ ତାହେଲେ ସେ ତାଙ୍କ ପଦବୀରୁ ହଟିବେ। ନହେଲେ ତାଙ୍କୁ କେହି ପଦବୀରୁ ହଟାଇ ପାରିବେ ନାହିଁ। ଏହା ବ୍ୟତୀତ ପ୍ରଧାନ ବିଚାରପତି ନିଜ ଇଚ୍ଛାରେ ରାଷ୍ଟ୍ରପତିଙ୍କ ଇସ୍ତଫା ଦେଇ ପାରିବେ।

ଜଷ୍ଟିସ ରମନ୍ନା ୨୭ ଅଗଷ୍ଟ ୧୯୫୭ ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଫେବୃଆରୀ ୨, ୨୦୧୭ ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କର କାର୍ଯ୍ୟକାଳର ଅବଧି ପୂରଣ ହେବାକୁ ମାତ୍ର ଦୁଇ ବର୍ଷ ବାକି ଅଛି। ସେ ୨୬ ଅଗଷ୍ଟ ୨୦୨୨ରେ ଅବସର ନେବାକୁ ଯାଉଛନ୍ତି।

୧୦ ଫେବୃଆରୀ ୧୯୮୩ ରେ ପ୍ରଥମେ ଓକିଲାତି ଆରମ୍ଭ କରିଥିଲେ। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ଜଷ୍ଟିସ ରମନ୍ନା ମଧ୍ୟ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଥିଲେ।

ଜଣେ ଚାଷୀ ପରିବାରରୁ ଆସିଥିବା ରମନ୍ନା ବିଜ୍ଞାନ ଏବଂ ଆଇନରେ ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ, କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଏବଂ ସୁପ୍ରିମକୋର୍ଟରେ ଆଇନ ପ୍ରାକ୍ଟିସ କରିଥିଲେ। ସେ ରାଜ୍ୟ ସରକାରଙ୍କ ଏଜେନ୍ସିଗୁଡ଼ିକ ପାଇଁ ଏକ ପ୍ୟାନେଲ ପରିଷଦ ଭାବରେ ମଧ୍ୟ କାମ କରିଥିଲେ।

୨୭ ଜୁନ୍ ୨୦୦୦ରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଏହାପରେ ୧୩ ମାର୍ଚ୍ଚରୁ ୨୦ ମେ ୨୦୧୩ ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଥିଲେ। ୨ ସେପ୍ଟେମ୍ବର ୨୦୧୩ରେ ପଦୋନ୍ନତି ମିଳିବା ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା।

ଏହାପରେ ଫେବୃଆରୀ ୧୭, ୨୦୧୪ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦୋନ୍ନତି ହୋଇଥିଲା। ଏବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ ବୋବଡେଙ୍କ ପରେ ସେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।