ପ୍ରଦୂଷଣ ନିୟମ ଭାଙ୍ଗିଥିବା ଶତାଧିକ ପ୍ରତିଷ୍ଠାନକୁ ବନ୍ଦ ପାଇଁ ନୋଟିସ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲ ଓ ଏନସିଆର୍‌ରେ ପ୍ରଦୂଷଣକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଜି ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଏସବୁ ଭିତରେ ପ୍ରଦୂଷଣ ନିୟନ୍ତ୍ରଣ ଉଲ୍ଲଙ୍ଘନ କରିଥିବା ଶତାଧିକ ପ୍ରତଷ୍ଠାନକୁ ମଧ୍ୟ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ ଦିଆଯାଉଛି। ଏହି ପ୍ରତିଷ୍ଠାନଗୁଡ଼ିକ ଦିଲ୍ଲୀ ଓ ଏନସିଆର ରିଜନରେ ରହିଛି।

ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସକ୍ରିୟ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ଏହି ଯୋଜନା ଅନୁସାରେ ଗଠିତ ଫ୍ଲାଇଂ ସ୍କ୍ୱାଡ ବିଭିନ୍ନ ସ୍ଥାନରେ ରେଡ୍‌ କରିଛି। ଚଢ଼ଉ ବେଳେ ନିୟମ ଉଲ୍ଲଙ୍ଘନ କରିଥିବା ଶିଳ୍ପ ପ୍ରତିଷ୍ଠାନ, ଡିଜେଲ ଜେନେରେଟର ସେଟ୍ସ, ନିର୍ମାଣ କାମ ଓ ଉଚ୍ଛେଦ କାମ ଚାଲିଥିବା ଅନୁଷ୍ଠାନକୁ ବନ୍ଦ କରିବା ପାଇଁ ନୋଟିସ ଦିଆଯାଇଛି।

ଏହି ଫ୍ଲାଇଂ ସ୍କ୍ୱାଡ କେନ୍ଦ୍ର ସରକାର ଗଠନ କରିଛନ୍ତି। ଦିଲ୍ଲୀ-ଏନିସିଆର ରିଜନରେ ଏହି ଟିମ୍‌ ଯାଞ୍ଚ କରୁଛି। ଫ୍ଲାଇଂ ସ୍କ୍ୱାଡ ମୋଟ ୧୫୩୪ଟି ସ୍ଥାନରେ ରେଡ୍‌ କରିଥିଲା। ଏହି ସମୟରେ ନିୟମ ଉଲ୍ଲଙ୍ଘନ କରିଥିବା ୨୨୮ଟି ସାଇଟ୍‌କୁ ବନ୍ଦ କରିବାକୁ ନୋଟିସ୍‌ ଦିଆଯାଇଛି। ଏନଫୋର୍ସମେଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ଏପରି ବନ୍ଦ ନୋଟିସ ପଠାଯାଇଛି।

କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି ଯେ ଇଣ୍ଡଷ୍ଟ୍ରୀ ସେକ୍ଟରଗୁଡ଼ିକୁ ଅଧିକାଂଶ ବନ୍ଦ ନୋଟିସ ଦିଆଯାଇଛି। ଏହି ଇଣ୍ଡଷ୍ଟ୍ରୀଗୁଡ଼ିକ ହିଁ ପ୍ରଦୂଷଣର ମୁଖ୍ୟ କାରଣ। ବିଶେଷ କରି ଶୀତ ଦିନ ଏହି ସବୁ ସଂସ୍ଥାରୁ ପ୍ରବଳ ପ୍ରଦୂଷଣ ନିର୍ଗତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଶିଳ୍ପସଂସ୍ଥା ଗୁଡ଼ିକ ଯେମିତି ପରିଷ୍କାର ତେଲ ବ୍ୟବହାର କରିବେ, ତା’ର ବ୍ୟବସ୍ଥାକୁ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି।

ଉତ୍ତର ପ୍ରଦେଶରେ ସର୍ବାଧିକ ୧୦୨ଟି ଶିଳ୍ପ ସଂସ୍ଥାକୁ ନିୟମ ଉଲ୍ଲଙ୍ଘନ ପାଇଁ ବନ୍ଦ କରାଯାଇଛି। ସେହିପରି ସପ୍ତାହନ୍ତରେ ଖୋଲିଥିବା ୯୦ଟି ଶିଳ୍ପ ସଂସ୍ଥାକୁ ଫ୍ଲାଇଂ ସ୍କ୍ୱାଡ ପକ୍ଷରୁ ଫାଇନ କରାଯାଇଛି। କେନ୍ଦ୍ର ଏୟାର କ୍ୱାଲିଟି କମିଶନ କହିଛନ୍ତି ଯେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଥର୍ମାଲ ପାୱାର ପ୍ଲାଣ୍ଟକୁ ବନ୍ଦ କରାଯାଇଥିଲା। କିନ୍ତୁ ଏନସିଆର୍‌ରେ ବିଜୁଳି ପହଞ୍ଚାଇବାକୁ ଏଗୁଡ଼ିକୁ ୧୫ ତାରିଖରୁ ଖୋଲାଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।