ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ସ୍ୱତନ୍ତ୍ର ଚାବୁକରେ ପ୍ରହାର, ଦେଖନ୍ତୁ ଭିଡିଓ

ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗୋବର୍ଦ୍ଧନ ପୂଜା ଉପଲକ୍ଷେ ପରମ୍ପରା ଅନୁଯାୟୀ ସ୍ୱତନ୍ତ୍ର ଚାବୁକରେ ପ୍ରହାର ପରେ ପ୍ରହାର ଖାଇଛନ୍ତି। ସୋଟା ବା ସ୍ୱତନ୍ତ୍ର କୁଶ ଓ ଘାଷରେ ତିଆରି ହୋଇଥିବା ଚାବୁକରେ ତାଙ୍କୁ ୮ଟି ପ୍ରହାର ଦିଆଯାଇଛି। ସେ ଏପରି ପ୍ରହାର ପରମ୍ପରା ଅନୁଯାୟୀ ଗ୍ରହଣ କରିବା ସହ ରାଜ୍ୟର ଉନ୍ନତି କାମନା କରିଛନ୍ତି। ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ନିଜର ସମସ୍ତ ବଳ ଖର୍ଚ୍ଚ କରି ସ୍ୱତନ୍ତ୍ର ଚାବୁକରେ ପିଟିବା ବେଳର ଭିଡିଓ ସାମ୍ନାକୁ ଆସିଛି।

ଏହି ଘଟଣାର ଭିଡିଓକୁ ନିଜେ ଭୂପେଶ ବାଘେଲ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ “ପ୍ରଦେଶର ମଙ୍ଗଳ କାମନା ଓ ଶୁଭ ମନାସୀ ଆଜି ଜଞ୍ଜଗିରିରେ ସୋଟା ପ୍ରହାର ସହିବା ସହ ପରମ୍ପରା ପାଳନ କରିଛି। ସବୁ ବିଘ୍ନ ନାଶ ହେଉ।” ସାମ୍ନାକୁ ଆସିଥିବା ଭିଡିଓରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ସ୍ୱତନ୍ତ୍ର ଚାବୁକ ଧରି ଛିଡ଼ା ହୋଇଛନ୍ତି।

ତାଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ ଛିଡ଼ା ହେବା ସହ ଡାହାଣ ହାତ ବାହାରକୁ ବାହାର କରିଥିଲେ। ଏହାପରେ ବ୍ୟକ୍ତି ଜଣଙ୍କ ପୂରା ବଳ ଖର୍ଚ୍ଚ କରି ତାଙ୍କ ହାତକୁ ବାଡ଼େଇ ଚାଲିଥିଲେ। ଏହି ସମୟରେ ବ୍ୟାକ ଗ୍ରାଉଣ୍ଡରେ ଢୋଲ ଓ ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ର ମଧ୍ୟ ବାଜିଥିଲା। ୮ଥର ବ୍ୟକ୍ତି ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ହାତକୁ ପିଟି ସାରିବା ପରେ ପରମ୍ପରା ଶେଷ ହୋଇଥିଲା।

ବ୍ୟକ୍ତି ଜଣଙ୍କ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆସି କୁଣ୍ଢେଇ ପକାଇଥିଲେ। ପରାମ୍ପରା ଅନୁଯାୟୀ ପ୍ରତିବର୍ଷ ଏପରି ନୀତିକାନ୍ତି ପାଳନ କରାଯାଏ। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଜି ପାରମ୍ପରିକ ପୋଷା ପିନ୍ଧିବା ସହ ସବୁଜ ରଙ୍ଗର ପଗଡ଼ି ଧାରଣ କରିଥିଲେ।


ପ୍ରତିବର୍ଷ ଦୀପାବଳିର ପରଦିନ ଗୋବର୍ଦ୍ଧନ ପୂଜା ପାଳନ କରାଯାଏ। ଚଳିତ ବର୍ଷ ଶୁକ୍ରବାର ଗୋବର୍ଦ୍ଧନ ପୂଜା ପାଳନ କରାଯାଉଛି। ପୌରାଣିକ କାହାଣୀ ଅନୁଯାୟୀ, ଭଗବାନ କୃଷ୍ଣ ଗୋକୁଳବାସୀଙ୍କୁ ଇନ୍ଦ୍ର ଦେବଙ୍କ କୋପରୁ ରକ୍ଷା କରିବା ପାଇଁ ବିଶାଳ ଗିରି ଗୋବର୍ଦ୍ଧନ ପର୍ବତକୁ ନିଜ କାଣି ଆଙ୍ଗୁଠିରେ ଉଠାଇଥିଲେ।

ଫଳରେ ଗୋକୁଳବାସୀ ଇନ୍ଦ୍ରଙ୍କ ଝଡ଼ ଓ ବର୍ଷା ଆକ୍ରମଣରୁ ରକ୍ଷା ପାଇଥିଲେ। ଇନ୍ଦ୍ରଙ୍କ ଗର୍ବ ମଧ୍ୟ ଭାଙ୍ଗିଥିଲା। ଉକ୍ତ ଘଟଣା ପର ଠାରୁ ଲୋକମାନେ ଗୋବର୍ଦ୍ଧନ ପୂଜା ପାଳନ କରୁଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।