କରୋନା ଆକ୍ରାନ୍ତ ସାମ୍ବାଦିକ ଓ ସେମାନଙ୍କ ପରିବାର ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

ଭୋପାଲ: ମହାମାରୀ କରୋନା ସଂକ୍ରମଣ ଭିତରେ ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ସାମ୍ବାଦିକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଏଣିକି ରାଜ୍ୟରେ କାର୍ଯ୍ୟରତ ସମସ୍ତ ବୈଦ୍ୟୁତିକ, ପ୍ରିଣ୍ଟ ଓ ୱେବ ମିଡିଆର ସାମ୍ବାଦିକ ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି, ତା’ହେଲେ ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

ସେହିପରି ସେମାନଙ୍କ ପରିବାରର ଯଦି କେହି ବି କରୋନାରେ ଆକ୍ରାନ୍ତ ହୁଅନ୍ତି, ତା’ହେଲେ ତା’ର ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର କରିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି।

ସେ କହିଛନ୍ତି, ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ଡେସ୍କ ଏଡିଟର, କ୍ୟାମେରାପର୍ସନ ଓ ଫଟୋଗ୍ରାଫରମାନଙ୍କୁ ମଧ୍ୟ ସମାନ ସୁବିଧା ମିଳିବ। ମଧ୍ୟପ୍ରଦେଶ ପୂର୍ବରୁ ହିଁ ସାମ୍ବାଦିକମାନଙ୍କୁ ସମ୍ମୁଖଯୋଦ୍ଧାର ମାନ୍ୟତା ଦେଇ ସାରିଛି ବୋଲି ସେ କହିଛନ୍ତି।


ମଧ୍ୟପ୍ରଦେଶ ବ୍ୟତୀତ ଉତ୍ତର ପ୍ରଦେଶ, ଓଡ଼ିଶା, ବିହାର, ତାମିଲନାଡୁ, ମଣିପୁର, ପଞ୍ଜାବ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକା ଓ କେରଳ ଭଳି ରାଜ୍ୟ ମଧ୍ୟ ସାମ୍ବାଦିକମାନଙ୍କୁ ସମ୍ମୁଖଯୋଦ୍ଧା ଘୋଷଣା କରିଛନ୍ତି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ କରିଛନ୍ତି।

ଚଳିତ ବର୍ଷ କରୋନାର ଦ୍ୱିତୀୟ ୱେଭରେ ସମଗ୍ର ଦେଶରେ ପ୍ରାୟ ୧୦୦ରୁ ଅଧିକ ସାମ୍ବାଦିକ ପ୍ରାଣ ହରାଇ ସାରିଲେଣି। ତଥାପି କେନ୍ଦ୍ର ସରକାର ସାମ୍ବାଦିକମାନଙ୍କୁ ସମ୍ମୁଖଯୋଦ୍ଧା ଭାବେ ମାନ୍ୟତା ଦେଇନାହାନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।