ଆଉ ଏକ ବ୍ୟାପମ ‘ପରୀକ୍ଷା ଦୁର୍ନୀତି’ର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୋପାଲ: ବ୍ୟାପମ ଦ୍ୱାରା ସରକାରୀ ନିଯୁକ୍ତି ପାଇଁ କରାଯାଇଥିବା ପରୀକ୍ଷାରେ ଦୁର୍ନୀତି ଗନ୍ଧ ସାମ୍ନାକୁ ଆସିଛି। ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା ସନ୍ଦେହ ସୃଷ୍ଟି ହେବାରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ମଧ୍ୟପ୍ରଦେଶ ପ୍ରଫେସନାଲ ଏକଜାମିନେସନ ବୋର୍ଡ(ଏମପିପିଇବି) ବା ବ୍ୟାପମ ଦ୍ୱାରା ଫେବୃଆରୀ ୧୦-୧୧ରେ ସରକାରୀ ନିଯୁକ୍ତି ପାଇଁ ପରୀକ୍ଷା ହୋଇଥିଲା।

କୃଷି ଏକ୍ସଟେନସନ ଅଫିସରସ ଓ ବରିଷ୍ଠ ଏଗ୍ରିକଲଚରାଲ ଡେଭଲପମେଣ୍ଟ ଅଫିସର୍ସ ପଦବୀ ପାଇଁ ଏହି ପରୀକ୍ଷା କରାଯାଇଥିଲା। ତେବେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସମାନ ଅଞ୍ଚଳ ଓ ସଂପ୍ରଦାୟର ୧୦ ଜଣ ଶିକ୍ଷାର୍ଥୀ ଟପ୍‌ର ହୋଇଥିଲେ ହେଁ ସେମାନଙ୍କ ସ୍କୁଲ ଏବଂ କଲେଜ ଏକାଡେମୀ ରେକର୍ଡ ଏଥିରେ ଅସମାନତା ଥିବା ଦର୍ଶାଇଛି। ତେଣୁ ଏଥିରେ ବ୍ୟାପକ ଚଞ୍ଚକତା କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି।

ସେମାନେ ଭୁଲ ଉତ୍ତରରେ ଦେଇଥିଲେ ହେଁ ଏହାକୁ ବ୍ୟାପମ ଠିକ୍‌ ଦର୍ଶାଇ ଫେବୃଆରୀ ୧୭ରେ ଅପଲୋଡ କରିଥିବା ଉତ୍ତର ଖାତାରେ ପ୍ରଦର୍ଶିତ କରିଛି। ସାଧାରଣ ଜ୍ଞାନ କ୍ଷେତ୍ରରେ ମଧ୍ୟ ସମାନ ତ୍ରୁଟି ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଏହି ଘଟଣାକୁ ଦୁଇ ଜଣ କଂଗ୍ରେସ ବିଧାୟକ ବିଧାନସଭାରେ ଉଠାଇଥିଲେ। ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ଚୌହାନ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଦୁର୍ନୀତି ବିରୋଧରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଆରମ୍ଭ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।