କୋଭିଡ-୧୯ ବିରୋଧରେ ସୁରକ୍ଷା ଦିଏ ସାଧାରଣ ସର୍ଦ୍ଦି

ଲଣ୍ଡନ: ମହାମାରୀ କୋଭିଡ-୧୯ର ପ୍ରତ୍ୟାବର୍ତ୍ତନ ଭିତରେ ନୂଆ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ସାଧାରଣ ସର୍ଦ୍ଦି ଲୋକମାନଙ୍କୁ ସାର୍ସ-କୋଭ-୨ ବା କରୋନା ଭାଇରସ ଠାରୁ ସୁରକ୍ଷା ଦେଇପାରିବ ବୋଲି କୁହାଯାଇଛି। ତେବେ କରୋନାର ଲକ୍ଷଣ ଥଣ୍ଡା, କାଶ ଓ ଛିଙ୍କ ହୋଇଥିବା ବେଳେ ଜଣେ ବ୍ୟକ୍ତି କେମିତି ସାଧାରଣ ଥଣ୍ଡାରେ ପୀଡ଼ିତ ହୋଇଛନ୍ତି ବୋଲି ଜାଣିବ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି।

ବ୍ରିଟେନରେ ଥିବା ଗ୍ଲାସଗୋ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଅନୁଧ୍ୟାନ ଅନୁଯାୟୀ, ଜଣେ ବ୍ୟକ୍ତି ଯେଉଁ ଭାଇରସର ଆକ୍ରାନ୍ତ ହୋଇ ସାଧାରଣ ଥଣ୍ଡାରେ ପଡ଼ନ୍ତି, ଉକ୍ତ ଭାଇରସ ସାର୍ସ-କୋଭିଡ-୨ ଭାଇରସ ବା କରୋନା ଭାଇରସ ସହ ସଫଳତାର ସହ ଲଢ଼େଇ କରିବାକୁ ସକ୍ଷମ।

ସାଧାରଣ ସର୍ଦ୍ଦି କରାଉଥିବା ଭୂତାଣୁର ନାମ ହେଉଛି rhinovirus ବା ଓଡ଼ିଆରେ ରିନୋଭାଇରସ। ଏହା ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କଲେ ସେ ସାଧାରଣ ଥଣ୍ଡାରେ ଆକ୍ରାନ୍ତ ହୋଇଥାଆନ୍ତି। ତେବେ ଏହି rhinovirus ବେଶ ସଫଳତାର ସହ କରୋନା ଭାଇରସ ବିରୋଧରେ ଲଢ଼ିପାରୁଛି। ବୈଜ୍ଞାନିକଙ୍କ ମତରେ ସମସ୍ତ ସାଧାରଣ ଥଣ୍ଡା ମଧ୍ୟରୁ ୪୦% ଥଣ୍ଡା ପାଇଁ rhinovirus ଦାୟୀ। ଏହି ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକ ଶୀଘ୍ର ସୁସ୍ଥ ହୋଇଯାଆନ୍ତି।

କିଛି ଭାଇରସ ମଣିଷ ଶରୀରରେ ଅନ୍ୟ ଭାଇରସ ଗୁଡ଼ିକ ସହ ମିଶି ଦୀର୍ଘ ଦିନ ଧରି ସକ୍ରିୟ ରୁହନ୍ତି। ଉଦାହରଣ ସ୍ୱରୂପ ଭାବେ ଆମେ adenovirusesକୁ ନେଇପାରିବା। ଏହି ଭାଇରସଟି ମଣିଷର କୋଷ ମଧ୍ୟରେ ଅନ୍ୟ ଭାଇରସର ଗୁଡ଼ିକ ସହ ମିଶି ଘର ତିଆରି କରିଥାଏ।

ଏହା ସହଜରେ ନିଷ୍କ୍ରିୟ ହୁଏ ନାହିଁ। ହେଲେ ଇନଫ୍ଲୁଏଞ୍ଜା ବା ସାଧାରଣ ସର୍ଦ୍ଦି ସୃଷ୍ଟି କରୁଥିବା ଭାଇରସ ଏକାକୀ ମଣିଷ ଶରୀର ଉପରେ ଆକ୍ରମଣ କରନ୍ତି। ସେମାନେ ଏକାକୀ ଆକ୍ରମଣ କରି ଏକାକୀ ରହିବାକୁ ଚାହାନ୍ତି। ଗ୍ଲାସଗୋର ବୈଜ୍ଞାନିକମାନେ ପରୀକ୍ଷା ସମୟରେ ମଣିଷ ଶରୀରରେ ଥିବା ଶ୍ୱାସନଳୀକୁ ନେଇଥିଲେ। ତେବେ ଏହାକୁ ପ୍ରତୀକାତ୍ମକ ଭାବେ ବ୍ୟବହାର କରାଯାଇଥିଲା। ଶ୍ୱାସନଳୀରେ ଏକା ସମୟରେ କୋଭିଡ-୧୯ ରୋଗ ସୃଷ୍ଟି କରୁଥିବା ସାର୍ସ କୋଭିଡ-୨ ଭାଇରସ ଓ rhinovirus ଛଡ଼ା ଯାଇଥିଲା। ଶ୍ୱାସନଳୀକୁ ଏମାନେ କେମିତି ସଂକ୍ରମଣ କରୁଛନ୍ତି, ସେକଥା ଜାଣିବା ପାଇଁ ଏପରି ପରୀକ୍ଷା କରାଯାଇଥିଲା। ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଯଦି ଏକା ସମୟରେ ଦୁଇଟି ଯାକ ଭାଇରସକୁ ଶ୍ୱାସନଳୀକୁ ଛଡ଼ା ଯାଏ, ତା’ହେଲେ rhinovirus କରୋନା ଭାଇରସକୁ ଏହା ମଧ୍ୟରୁ ବାହାର କରିବାରେ ସକ୍ଷମ ହେଉଛି। ଏହାର ଅର୍ଥ ଶ୍ୱାସନଳୀ କେବଳ ସାଧାରଣ ଥଣ୍ଡା ଦ୍ୱାରା ସଂକ୍ରମିତ ହେଉଛି।

ସେହିପରି rhinovirusକୁ ପ୍ରଥମେ ଶ୍ୱାସନଳୀ ଯଦି ଛଡ଼ା ଯାଉଛି, ତା’ହେଲେ ସାର୍ସ କୋଭିଡ-୨ ଭାଇରସ ଆଦୌ ମଣିଷର ଶ୍ୱାସନଳୀକୁ ସଂକ୍ରମଣ କରିବାକୁ ସକ୍ଷମ ହେଉନାହିଁ। ସେହିପରି ସାର୍ସ କୋଭିଡ-୨ ଭାଇରସର ୨୪ ଘଣ୍ଟା ପରେ ସାଧାରଣ ଥଣ୍ଡା ସୃଷ୍ଟି କରୁଥିବା rhinovirus ମଣିଷ ଶରୀରକୁ ଗଲେ, ଏହା କରୋନା ଭାଇରସକୁ ମଧ୍ୟ ମାତ ଦେଇପାରୁଛି। ଏହାର ଅର୍ଥ କୋଭିଡ ସୃଷ୍ଟି କରୁଥିବା ସାର୍ସ କୋଭିଡ-୨ ଭାଇରସ rhinovirus ଆଗରେ ଆଦୌ ତିଷ୍ଠି ପାରୁନାହିଁ।

ତେବେ ସାଧାରଣ ଥଣ୍ଡାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତି ଯେ କରୋନାରେ ସଂକ୍ରମିତ ହେବ ନାହିଁ, ତାହା ଭାବିବା ଭୁଲ। କାରଣ rhinovirus ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ଖୁବକମ୍‌ ଦିନ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଶରୀରରୁ ହ୍ରାସ ପାଇଯାଇଥାଏ। ତେଣୁ ଏହାପରେ ସାର୍ସ କୋଭିଡ-୨ ଭାଇରସ ଉକ୍ତ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।