କଂଗ୍ରେସର ଚାଟୁକାରଙ୍କୁ ଭଲ କି ଶୁଣାଇଲେ ଦଳୀୟ ସାଂସଦ ମନୀଷ ତିୱାରୀ

ନୂଆଦିଲ୍ଲୀ: ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସ ସୃଷ୍ଟି ହୋଇଥିବା କମ୍ପନ ଆଜି ମଧ୍ୟ ଶୁଣିବାକୁ ମିଳିଛି। ଆଜାଦ ୫ ପୃଷ୍ଠାର ଚିଠି ଲେଖି ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଥିରେ କଂଗ୍ରେସରେ ଚାଲିଥିବା ଗୁପ୍ତ ଚାଟୁକାରିତା କୋଟରୀକୁ ସେ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ରାହୁଲ ଗାନ୍ଧିଙ୍କ ଉପରେ ମଧ୍ୟ ବର୍ଷିଥିଲେ।

ତେବେ ଆଜି ଅନ୍ୟତମ ବରିଷ୍ଠ ନେତା ତଥା ସାଂସଦ ମନୀଷ ତିୱାରୀ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛି। ସେ ମଧ୍ୟ ଗୁଲାମଙ୍କ ଭଳି କଂଗ୍ରେସର ଚାଟୁକାରିତାମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ କଂଗ୍ରେସ ଓ ଭାରତ ମଧ୍ୟରେ ଥିବା ସମ୍ପର୍କରେ ଏବେ ଫାଟ ସୃଷ୍ଟି ହୋଇଥିବା ମଧ୍ୟ ସେ କହିଛନ୍ତି।

ସେ କହିଛନ୍ତି, “ଦୁଇ ବର୍ଷ ତଳେ ଆମ ଭିତରୁ ୨୩ ଜଣ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଦଳର ସ୍ଥିତି ସମ୍ପର୍କରେ ଜଣାଇଥିଲୁ ଓ ଏହାକୁ ଗୁରୁତର ସହ ନେବାକୁ ପରାମର୍ଶ ଦେଇଥିଲୁ। କଂଗ୍ରେସ ସେହି ଚିଠି ପରେ ସବୁ ବିଧାନସଭା ନିର୍ବାଚନରେ ହାରିଥିଲା। ଯଦି କଂଗ୍ରେସ ଓ ଭାରତ ଏକାଭଳି ଭାବନ୍ତି, ତା’ହେଲେ ମୋତେ ଲାଗୁଛି ଏବେ ସେମାନେ ଅଲଗା ଅଲଗା କଥା ଭାବିବା ଆରମ୍ଭ କରିଛନ୍ତି।

୧୮୮୫ରୁ ଭାରତ ଓ କଂଗ୍ରେସ ମଧ୍ୟରେ ଯେଉଁ ସମନ୍ୱୟ ରହିଥିଲା, ଏବେ ସେଥିରେ ଫାଟ ସୃଷ୍ଟି ହୋଇଛି। ତେଣୁ ଆତ୍ମସମୀକ୍ଷାର ଆବଶ୍ୟକ ରହିଥିଲା। ୨୦୨୦ ଡିସେମ୍ବର ୨୦ରେ ସୋନିଆ ଗାନ୍ଧିଙ୍କ ବାସଭବନରେ ହୋଇଥିବା ବୈଠକର ନିଷ୍ପତ୍ତିକୁ ଯଦି କାର୍ଯ୍ୟକାରୀ କରାଯାଇ ଥାଆନ୍ତା, ତା’ହେଲେ ଆଜି ଏପରି ସ୍ଥିତି ସୃଷ୍ଟି ହୋଇ ନଥାଆନ୍ତା।”

ଆଜାଦାଙ୍କ ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ରହି ଗାନ୍ଧି ପରିବାରର କିଛି ତଥାକଥିତ ଖାସ ନେତାଙ୍କୁ ମଧ୍ୟ ତିୱାରୀ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, “ଆଜାଦଙ୍କ ଚିଠିର ଠିକ୍‌ ଭୁଲ ଉପରେ ମୁଁ ଯିବାକୁ ଚାହୁଁନି। ସେ ହିଁ ସବୁ କଥାର ସ୍ପଷ୍ଟୀକରଣ ଦେଇ ପାରିବେ। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ଯେଉଁ ଲୋକମାନଙ୍କର ୱାର୍ଡ ମେମ୍ବର ନିର୍ବାଚନ ଲଢ଼ିବାର କ୍ଷମତା ନାହିଁ ଓ କଂଗ୍ରେସ ନେତାମାନଙ୍କ ଚପରାସି ଥିଲେ, ସେମାନେ ଏବେ ଦଳକୁ ଜ୍ଞାନ ବାଣ୍ଟିବା ହାସ୍ୟାସ୍ପଦ।”


କଂଗ୍ରେସର ଜଣେ ସଦସ୍ୟ ଭାବେ ସାଂସଦ ମନୀଷ ତିୱାରୀ କହିଛନ୍ତି, “ଆମକୁ କାହାର ବି ପ୍ରମାଣପତ୍ର ଦରକାର ନାହିଁ। ମୁଁ ଏହି ପାର୍ଟିକୁ ୪୨ ବର୍ଷ ଦେଇ ସାରିଲିଣି। ମୁଁ ଏକଥା ପୂର୍ବରୁ ମଧ୍ୟ କହିଛି। ଆମେ କଂଗ୍ରେସର ଭଡ଼ାଟିଆ ଲୋକ ନୁହଁ। ଆମେ ସଦସ୍ୟ। ହଁ ଯଦି କେହି ଆମକୁ ବଳ ପୂର୍ବରୁ ଏଥିରୁ ବାହାର କରିବାକୁ ଚେଷ୍ଟା କରେ, ତା’ହେଲେ ତାହା ଭିନ୍ନ କଥା।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।