ଟି-ଶର୍ଟ ପିନ୍ଧି ଆସିଥିବାରୁ ବିଧାନସଭାରୁ ତଡ଼ା ଖାଲିଲେ ବିଧାୟକ

ଗାନ୍ଧିନଗର: ବିଧାନସଭାକୁ ଟି-ଶର୍ଟ ପିନ୍ଧି ଆସିବା କଂଗ୍ରେସର ଗୁଜରାଟ ବିଧାୟକ ବିମଳ ଚୁଦାସାମାଙ୍କୁ ମହଙ୍ଗା ପଡ଼ିଛି। ସେ ଟି-ଶର୍ଟ ପିନ୍ଧି ଗୃହକୁ ଆସିଥିବାରୁ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ତାଙ୍କୁ ଜୋରଜବରଦସ୍ତି ଗୃହକୁ ବିଦା କରାଯାଇଥିଲା।

ଗୃହ କାର୍ଯ୍ୟବେଳେ ବାଚସ୍ପତି ତ୍ରିବେଦୀ ବିଧାୟକମାନଙ୍କୁ ଗୃହର ଡେକୋରମ ପାଳନ କରିବାକୁ କହିବା ସହ ଟି-ଶର୍ଟ ପିନ୍ଧି ବିଧାନସଭାକୁ ନ ଆସିବାକୁ ପରାମର୍ଶ ଦେଇଥିଲେ। ତେବେ ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ କଂଗ୍ରେସ ଜୋରଦାର ବିରୋଧ କରିଥିଲା। ଗୃହ କାର୍ଯ୍ୟରେ ଭାଗ ନେବାକୁ କୌଣସି ଡ୍ରେସର ପ୍ରାବଧାନ ନଥିବା ବେଳେ କାହିଁକି ବାଚସ୍ପତି ଏପରି କହୁଛନ୍ତି ବୋଲି କଂଗ୍ରେସ ବିଧାୟକମାନେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଗୃହରେ ନାରାବାଜି ହୋଇଥିଲା।

ଗତ ସପ୍ତାହରେ ମଧ୍ୟ ବିଧାୟକ ବିମଳ ଗୃହକୁ ଟି-ଶର୍ଟ ପିନ୍ଧି ଆସିଥିବାରୁ ବାଚସ୍ପତି ତ୍ରିବେଦ ଏହାକୁ ନାପସନ୍ଦ କରିଥିଲେ। ଏଥିସହ ପରବର୍ତ୍ତୀ ସମୟରେ ଏହା ଉପରେ ଧ୍ୟାନ ଦେବାକୁ କହିଥିଲେ। ସେତେବେଳେ ସେ କହିଥିଲେ ଯେ ବିଧାୟକମାନେ ଶର୍ଟ କିମ୍ବା କୁର୍ତ୍ତା ପିନ୍ଧି ଗୃହକୁ ଆସିଲେ ଏହାର ମର୍ଯ୍ୟାଦା ରହିବ ଓ ଡେକୋରମ ମେଣ୍ଟେନ ହୋଇପାରିବ।

ତେବେ ଆଜି ୪୦ ବର୍ଷୀୟ ବିମଳ ପୁଣିଥରେ ଟି-ଶର୍ଟ ପିନ୍ଧି ଗୃହକୁ ଆସିଥିଲେ। ଏହି ସମୟରେ ବାଚସ୍ପତି ତାଙ୍କୁ ପୂର୍ବ କଥା ମନେ ପକାଇବା ସହ ଶର୍ଟ, କୁର୍ତ୍ତା କିମ୍ବା ବ୍ଲେଜର ପିନ୍ଧି ଆସିବାକୁ କହିଥିଲେ। ଏହାକୁ ବିରୋଧ କରି ବିମଳ ଯୁକ୍ତିତର୍କ କରିଥିଲେ।

ସେ କହିଥିଲେ ଯେ ଏଭଳି ଟି-ଶର୍ଟରେ କୌଣସି ସମସ୍ୟା ନାହିଁ। ଏହି ପୋଷାକରେ ସେ ନିର୍ବାଚନ ପାଇଁ ପ୍ରଚାର କରି ବିଜୟୀ ମଧ୍ୟ ହୋଇଛନ୍ତି। ମୁଁ ଭୋଟରଙ୍କୁ ଟି-ଶର୍ଟ ପିନ୍ଧି ଭୋଟ ମାଗିଥିଲି। ଏହି ଟି-ଶର୍ଟକୁ ମୋତେ ମୋ ଭୋଟରମାନେ ପ୍ରମାଣପତ୍ର ଆକାରରେ ଦେଇଛନ୍ତି। ଆପଣ ମୋ ଭୋଟରଙ୍କୁ ଅସମ୍ମାନ କରୁଛନ୍ତି ବୋଲି ସେ କହିଥିଲେ।

ଏହାଶୁଣି ବାଚସ୍ପତି ବିରକ୍ତ ପ୍ରକାଶ କରିଥିଲେ। ଏଥିସହ ବିଧାୟକଙ୍କୁ ଗୃହରୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ସେ ଗୃହରୁ ନ ଯିବାରୁ ୩ରୁ ୪ ଜଣ ମାର୍ଶଲ ତାଙ୍କୁ ଜୋରଜବରଦସ୍ତି ଗୃହରୁ ତଡ଼ି ଦେଇଥିଲେ। ବିଧାୟକ ବିମଳ ଗୃହରୁ ତଡ଼ା ଖାଇବା ପରେ ବିଜେପି ମନ୍ତ୍ରୀ ପ୍ରଦୀପସିହ୍ନା ଜାଡେଜା ତାଙ୍କୁ ବାଚସ୍ପତିଙ୍କ ସହ ଯୁକ୍ତିତର୍କ କରିଥିବାରୁ ୩ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରିବାକୁ ଏକ ପ୍ରସ୍ତାବ ଆଗତ କରିଥିଲେ। ହେଲେ ଏହାକୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରି ନେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।