ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାରେ ବିଧାୟକଙ୍କୁ ଆଗୁଆ ଜାମିନ

ଥିରୁଅନନ୍ତପୁରମ: ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଭଳି ସାଂଘାତିକ ମାମଲାରେ ଫସିଥିବା କେରଳର କଂଗ୍ରେସ ବିଧାୟକ ଏଲଡୋସ କୁନ୍ନାପ୍ପିଲ୍ଲୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ତାଙ୍କୁ କେରଳର ଗୋଟିଏ ସେସନ୍ସ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା ରୁଜୁ ହେବା ପରଠାରୁ ବିଧାୟକ ଏଲଡୋସ କୁନ୍ନାପ୍ପିଲ୍ଲୀଙ୍କ ପତ୍ତା ମିଳିନି।

ତାଙ୍କୁ ଖୋଜା ପଡ଼ିଥିବା ବେଳେ କୋର୍ଟ ଆଗୁଆ ଜାମିନ ଦେଇଛନ୍ତି। ତେବେ ତାଙ୍କ ପାଇଁ କିଛି ସର୍ତ୍ତ ଲାଗୁ କରାଯାଇଛି। ଏହି ସର୍ତ୍ତଗୁଡ଼ିକ ତାଙ୍କ ଓକିଲ ଗଣମାଧ୍ୟମ ଆଗରେ କହି ନାହାନ୍ତି।

ଜିଲ୍ଲା କ୍ରାଇମବ୍ରାଞ୍ଚ ପ୍ରଥମେ ବିଧାୟକଙ୍କ ନାଁରେ ଅପହରଣ ଓ ଦୁର୍ବ୍ୟବହାର ଅଭିଯୋଗର ତଦନ୍ତ କରୁଥିଲା। ହେଲେ ପୀଡ଼ିତାଙ୍କ ବୟାନକୁ ଆଧାର କରି ତାଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା।

ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ବିଧାୟକ ଏଲଡୋସ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଏକାଧିକ ଥର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଛନ୍ତି। ସେହିପରି ସେପ୍ଟେମ୍ବର ୧୪ରେ ବିଧାୟକଙ୍କ ଲୋକମାନେ ତାଙ୍କୁ ଘରୁ ଅପହରଣ କରି ନେଇଥିଲେ। ଏହାପରେ କାର୍‌ ଭିତରେ ବିଧାୟକ ଜଣଙ୍କ ତାଙ୍କୁ ମାଡ଼ ମାରିଥିଲେ ଓ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ। ପୂରା ଘଟଣାକୁ ରଫାଦଫା କରିବାକୁ ଶେଷରେ ବିଧାୟକ ୩୦ ଲକ୍ଷ ଟଙ୍କାର ଲୋଭ ଦେଖାଇଥିବା ପୀଡ଼ୀତା ଜଣଙ୍କ ଅଭିଯୋଗ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।