ମମତାଙ୍କ ବିରୋଧରେ ପ୍ରାର୍ଥୀ ଦେବନି କଂଗ୍ରେସ

କୋଲକାତା: ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନରେ କଂଗ୍ରେସ ପକ୍ଷରୁ ଭବାନୀପୁର ଆସନରେ କାହାକୁ ପ୍ରାର୍ଥୀ କରାଯିବନି। ଏହି ଆସନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଟିଏମସିରୁ ପ୍ରାର୍ଥୀ ହେବେ। ତେଣୁ କଂଗ୍ରେସ ତାଙ୍କ ବିରୋଧରେ କୌଣସି ପ୍ରାର୍ଥୀ ଦେବନାନାହିଁ।

ଏ ସମ୍ପର୍କରେ କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଆଧୀର ରଞ୍ଜନ ଚୌଧୁରୀ ସୂଚନା ଦାଇଛନ୍ତି। ଏହାର ଅର୍ଥ ଭବାନୀପୁରରେ ମମତାଙ୍କ ସହ କେବଳ ବିଜେପି ପ୍ରାର୍ଥୀଙ୍କ ଲଢ଼େଇ ହେବ। ତେବେ ବିଜେପି ଏଯାଏ ଭବାନୀପୁରରେ ମମତାଙ୍କ ବିରୋଧରେ କିଏ ଲଢ଼ିବେ, ସେକଥା ଘୋଷଣା କରିନି।

ସେପ୍ଟେମ୍ବର ୩୦ରେ ଏଠାରେ ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ଆସନ୍ତାକାଲିଠାରୁ ମମତା ପ୍ରଚାର ଆରମ୍ଭ କରିବେ। ଏପ୍ରିଲ-ମେ’ରେ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଦିଦି ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏଠାରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା।

ଏହା ସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେଣୁ ତାଙ୍କୁ ଯେମିତି ହେଲେ ବି ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ହେଲେ ଭବାନୀପୁରରୁ ଜିତିବାକୁ ପଡ଼ିବ। ଦିଦି କ୍ରମାଗତ ଭାବେ ଏହି ଆସନରୁ ଜିତି ଆସୁଥିଲେ। ଏହା ଦିଦିଙ୍କ ଗଡ଼ ଭାବେ ପରିଚିତ। ତେବେ ଚଳିତ ବିଧାନସଭା ନିର୍ବାଚନ ବେଳେ ଦିଦି ଏହି ଆସନକୁ ଛାଡ଼ି ନନ୍ଦିଗ୍ରାମରୁ ଲଢ଼େଇ କରିଥିଲେ। ଦିଦି ହାରି ଥିବାରୁ ଏଠାରେ ଜିତିଥିବା ଟିଏମସି ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ଦିଦି ଏଠାରେ ଉପ ନିର୍ବାଚନ ଲଢ଼ିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।