ନାଇଟ କ୍ଲବରେ ରାହୁଲ ଗାନ୍ଧିଙ୍କୁ ନେଇ ବିବାଦ: କାଉଣ୍ଟର ପଞ୍ଚ ମାରିଲା କଂଗ୍ରେସ

କାଠମାଣ୍ଡୁ: ନାଇଟ କ୍ଲବରେ ବାନ୍ଧବୀଙ୍କ ସହ ରାହୁଲ ଗାନ୍ଧିଙ୍କ ଗୋଟିଏ ଭାଇରାଲ ଭିଡିଓକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧିଙ୍କ(ତାରିଖ ଜଣା ନଥିବା) ଭିଡିଓ ଶେୟାର କରି ବିଜେପି ଆଟାକିଂ ମୁଦ୍ରାକୁ ଚାଲି ଆସିଛି। କିନ୍ତୁ କଂଗ୍ରେସ ଭିଡିଓରେ କ’ଣ ଅସୁବିଧା ରହିଛି ବୋଲି ପ୍ରଶ୍ନ କରି ବିଜେପିକୁ କାଉଣ୍ଟର ପଞ୍ଚ ମାରିଛି। ଏଥିସହ ବରିଷ୍ଠ ବିଜେପି ନେତା ପ୍ରକାଶ ଜାଭଡେକର ଗୋଟିଏ ପାର୍ଟିରେ କେମିତି ମଉଜ କରୁଥିଲେ, ତା’ର ଫଟୋ ମଧ୍ୟ କଂଗ୍ରେସ ଆଜି ପୋଷ୍ଟ କରିଛି।

ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲାଙ୍କୁ ରାହୁଲଙ୍କ ଭାଇରାଲ ଭିଡିଓ ସମ୍ପର୍କରେ ପଚରା ଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, “ରାହୁଲ ଗାନ୍ଧି ଜଣେ ବନ୍ଧୁଙ୍କ ବାହାଘରରେ ଯୋଗ ଦେବା ପାଇଁ କାଠମାଣ୍ଡୁ ଯାଇଛନ୍ତି। ସେ ବ୍ୟକ୍ତିଗତ ସ୍ତରରେ ସେଠାକୁ ଯାଇଛନ୍ତି। ବିଜେପି କାହିଁକି ବିଜୁଳି ସଙ୍କଟ, ମାନ୍ଦାବସ୍ଥା ଭଳି ପ୍ରସଙ୍ଗରେ ଉତ୍ତର ନ ଦେଇ କେବଳ ରାହୁଲ ଗାନ୍ଧିଙ୍କ ପଛରେ ସମୟ ଖର୍ଚ୍ଚ କରୁଛି? ପରିବାର କଥା ବୁଝିବା, ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ଓ ନିର୍ବନ୍ଧରେ ସାମିଲ ହେବା ଆମ ସଂସ୍କୃତି ଓ ପରମ୍ପରାର ଅଂଶ ବିଶେଷ। ଆମେ ଦେଶରେ ଏଯାଏ ବାହା ହେବା, କାହା ସହ ବନ୍ଧୁତା ସ୍ଥାପନ କରିବା କିମ୍ବା କାହା ବାହାଘରରେ ଯୋଗଦେବା ଅପରାଧର ମାନ୍ୟତା ପାଇନାହିଁ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ରାହୁଲ ଗାନ୍ଧି ବିନା ନିମନ୍ତ୍ରଣରେ ପାର୍ଟି ଆଟେଣ୍ଡ କରିବାକୁ ପାକିସ୍ତାନ ଯାଇ ନାହାନ୍ତି। ରାହୁଲ ଗାନ୍ଧି ଗୋଟିଏ ବନ୍ଧୁ ରାଷ୍ଟ୍ର ନେପାଳ ଯାଇ ସେଠାରେ ନିଜର ଜଣେ ବ୍ୟକ୍ତିଗତ ବନ୍ଧୁଙ୍କ ବାହାଘର ପାର୍ଟିରେ ଯୋଗଦେଇଛନ୍ତି।”

କଂଗ୍ରେସ ସାଂସଦ ମାଣିକମ ଟାଗୋର ମଧ୍ୟ ବିଜେପିକୁ ଟାର୍ଗେଟ କରି ରାହୁଲ ଗାନ୍ଧି ପାର୍ଟିରେ ଯୋଗଦେଇ କ’ଣ ଭୁଲ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “ଗୋଟିଏ ବାହାଘର ପାର୍ଟିରେ ଯୋଗଦେବାରେ ଅସୁବିଧା କେଉଁଠି? କାହିଁକି ସଙ୍ଘୀମାନେ ତାଙ୍କୁ ଏତେ ଡରୁଛନ୍ତି? କାହିଁକି ସଙ୍ଘୀମାନେ ମିଛର ପ୍ରଚାର କରୁଛନ୍ତି? ଆମେମାନେ ସମସ୍ତେ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେଉଛେ।” ଏଥିସହ ବିଜେପିକୁ କାଉଣ୍ଟର କରିବା ପାଇଁ ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗୋଟିଏ ପାର୍ଟିରେ କେମିତି ସାମ୍ପେନ ଖୋଲୁଛନ୍ତି, ତା’ର ଫଟୋ ଟ୍ୱିଟ କରିଛନ୍ତି।


ସୂଚନାଯୋଗ୍ୟ, ମଙ୍ଗଳବାର ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଗୋଟିଏ ଭିଡିଓ ଟ୍ୱିଟ କରିଥିଲେ। ଏଥିରେ ରାହୁଲ ଗାନ୍ଧି କାଠମାଣ୍ଡୁର ଥିବା ଗୋଟିଏ ନାଇଟ କ୍ଲବରେ ଜଣେ ଯୁବତୀଙ୍କ ସହ ରହିଥିବା ଦୃଶ୍ୟ ରହିଛି। ପଛରେ ଲୋକମାନେ ନାଚ ଗୀତରେ ମସଗୁଲ ମଧ୍ୟ ରହିଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ତେବେ ଏହି ଭିଡିଓଟି କେବେକାର ଓ କିଏ ଶୁଟିଂ କରିଥିଲା, ସେକଥା ଜଣାପଡ଼ିନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।