କାହାକୁ ଲୋକସଭା ନେତା କରିବ କଂଗ୍ରେସ, ଦୌଡ଼ରେ ଜି-୨୩ ନେତା

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସର ନେତୃତ୍ୱ ନେଉଥିବା ବରିଷ୍ଠ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ପଦ ବଦଳିବ। ଜଣେ ନୂଆ ଚେହାରଙ୍କୁ କଂଗ୍ରେସ ତା’ର ଲୋକସଭାର ନେତା କରିବାକୁ ଚାହୁଁଥିବା ଜଣାପଡ଼ିଛି। କଂଗ୍ରେସର ଲୋକସଭା ନେତା ହେବା ଦୌଡ଼ରେ ଜି-୨୩ ବା ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ନେତୃତ୍ୱ ସଙ୍କଟ ସମ୍ପର୍କରେ ଅବଗତ କରାଇଥିବା କିଛି ବ୍ୟକ୍ତି ରହିଛନ୍ତି। ଏହି ଜି-୨୩ ଗ୍ରୁପ୍‌ରେ ଥିବା ସଦସ୍ୟଙ୍କ ମଧ୍ୟରୁ କଂଗ୍ରେସ ଜଣଙ୍କୁ ଲୋକସଭା ନେତା କରିବ।

ସୂତ୍ର ଅନୁସାରେ, ରାହୁଲ ଗାନ୍ଧି ଲୋକସଭାରେ କଂଗ୍ରେସର ନେତା ହେବେ ନାହିଁ। ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଏହା ପୂର୍ବରୁ ଅଧୀରଙ୍କ ବଦଳରେ କାହାକୁ ନିଯୁକ୍ତି ମିଳୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏହି ପଦ ପାଇବା ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ଶଶି ଥରୁର ଓ ମନୀଷ ତିୱାରୀ। ଏମାନଙ୍କ ବ୍ୟତୀତ ଗୌରବ ଗୋଗୋଇ, ରବନୀତ ସିଂହ ବିଟ୍ଟୁ ଓ ଉତ୍ତମ କୁମାର ରେଡ୍ଡୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।

ଏହି ସବୁ ନେତାଙ୍କ ମଧ୍ୟରୁ ଶଶି ଥରୁର ଓ ମନୀଷ ତିୱାରୀ ଜି-୨୩ ଗ୍ରୁପ୍‌ର ସଦସ୍ୟ ରହିଥିଲେ। ଗତବର୍ଷ ଅଗଷ୍ଟରେ ଏମାନେ ଦଳର ମୁଖ୍ୟଙ୍କୁ ନେତୃତ୍ୱ ସଙ୍କଟ ବିଷୟରେ ଚିଠି ଲେଖିବା ପରେ କଂଗ୍ରେସରେ ବିସ୍ଫୋରଣ ହୋଇଥିଲା। ଚିଠିରେ ଦସ୍ତଖତ କରିଥିବା ଅନେକ ନେତା ସେମାନଙ୍କ ପଦ ହରାଇଥିଲେ।

ଏହି ନେତାଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚାରେ ଥିଲେ ଗୁଲାମ ନବୀ ଆଜାଦ। ତାଙ୍କୁ ସାଧାରଣ ସମ୍ପାଦକ ପଦରୁ ହଟା ଯାଇଥିଲା। କିନ୍ତୁ ଏବେ ବି ସେ କଂଗ୍ରେସ ୱାର୍କିଂ କମିଟିରେ ଅଛନ୍ତି। ମୋତିଲାଲ ଭୋରା, ଅମ୍ବିକା ସୋନି ଓ ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ସାଧାରଣ ସମ୍ପାଦକ ପଦରୁ ବିଦା ହେବାକୁ ପଡ଼ିଛି।

ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋଭସକା ନେତା ପଦରୁ ବିଦା କରିବା ପାଇଁ ଦଳ ବହୁ ଦିନରୁ ଲକ୍ଷ୍ୟ ରଖିଥିଲା। ଜଣେ ବ୍ୟକ୍ତି ଗୋଟିଏ ପଦ ନିୟମକୁ କଂଗ୍ରେସ କଡ଼ାକଡ଼ି ଭାବେ ପାଳନ କରିବାକୁ ଚାହୁଁଥିବାରୁ ଶ୍ରୀ ଚୌଧୁରୀଙ୍କୁ ପଦ ହରାଇବାକୁ ପଡ଼ିବ। କାରଣ ସେ ଏବେ ବେଙ୍ଗଲ କଂଗ୍ରେସ ମୁଖ୍ୟ ସହ ଲୋକସଭାରେ ଦଳର ନେତା ଅଛନ୍ତି। ତେଣୁ ତାଙ୍କୁ ଯେକୌଣସି ଗୋଟିଏ ପଦରୁ ବିଦା ହେବାକୁ ପଡ଼ିବ।

ଅନ୍ୟପକ୍ଷରେ ଦଳ ମୌସୁମୀ ଅଧିବେଶ ପାଇଁ ନିଜର ରଣନୀତି ୧୫ ତାରିଖରେ ପ୍ରସ୍ତୁତ କରିବ। ସେହିପରି ନୂଆ ଲୋକସଭା ନେତାଙ୍କ ନାଁ ସେହିଦିନ ମଧ୍ୟ ଘୋଷଣା କରାଯିବାର ଯୋଜନା ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।