କରୋନା ଟିକାର ସପ୍ଲାଏକୁ ନେଇ ବଡ଼ ବୟାନ ଦେଲେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନାକୁ ମାତ ଦେବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ତେବେ ବିଭିନ୍ନ ରାଜ୍ୟରେ ଟିକାର ଅଭାବ ଦେଖିବାକୁ ମିଳିବାରୁ ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ସପ୍ଲାଏକୁ ନେଇ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ଟିକା ସପ୍ଲାଏକୁ ବୃଦ୍ଧି କରିବା ପାଇଁ ନିୟମିତ ପ୍ରୟାସ କରାଯାଉଛି। ଟିକା ସପ୍ଲାଏ ବୃଦ୍ଧି କରିବାକୁ ବଡ଼ ଧରଣର ଯୋଜନା କରାଯାଉଥିବା ମୋଦି କହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦି କୋଭିଡ ମ୍ୟାନେଜମେଣ୍ଟ ଟାସ୍କ ଫୋର୍ସ ଦାୟିତ୍ୱରେ ଥିବା ବିଭିନ୍ନ ରାଜ୍ୟ ଓ ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ କରୋନା ସ୍ଥିତର ସମୀକ୍ଷା ମଧ୍ୟ କରିଥିଲେ।

ମୋଦି କହିଛନ୍ତି, “ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଏପରି ଭାବେ ଜାରି ରହିବ ଓ ଆପଣମାନେ ସମସ୍ତେ ଯେମିତି ଟିକା ନଷ୍ଟ ନ ହେବ, ତା’ର ବ୍ୟବସ୍ଥା କରିବେ। ଆପଣମାନେ ଯଦି ଠିକ୍ ଭାବେ ସବୁ କିଛି କରିବେ, ତା’ହେଲେ ଟିକାର ଅପଚୟ ଶୂନରେ ପହଞ୍ଚିବ। ଆପଣମାନେ ଟିକାର ଲଜିଷ୍ଟିକ ଦାୟିତ୍ୱରେ ରହିଛନ୍ତି। ତେଣୁ ଆପଣମାନେ ଏ ଦିଗରେ ଅଧିକ ଯତ୍ନବାନ ହେବା ଉଚିତ। ରାଜ୍ୟ ଗୁଡ଼ିକୁ ୧୫ ଦିନ ଆଗରୁ ଟିକା ଯୋଗାଇ ଦେବାକୁ ଯୋଜନା ଚାଲିଛି। ଏହାଦ୍ୱାରା ସେମାନେ ଟିକାକରଣ ପାଇଁ ପ୍ରସ୍ତୁତ ହୋଇପାରିବେ।”

ଏହି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ କରୋନା ଲଢ଼େଇର ଫିଲ୍ଡ କମାଣ୍ତର ଭାବେ ଅବିହିତ କରିଛନ୍ତି। ମୋଦି କହିଛନ୍ତି, “ଆପଣମାନେ କରୋନା ମହାମାରୀ ବେଳେ ଯେଉଁ ଅଭିଜ୍ଞତା ହାସଲ କରିଛନ୍ତି, ତାହା ଆପଣମାନଙ୍କୁ ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ ସହାୟକ ହେବ। ଆଗକୁ ଏଭଳି ସ୍ଥିତି ଆସିଲେ, ଏହାକୁ ଆପଣମାନେ ଭଲ ଭାବେ ମ୍ୟାନେଜ କରିପାରିବେ ଓ ଆପଣମାନଙ୍କ ଫିଡ୍‌ବ୍ୟାକ୍‌ ଗୁରୁତ୍ୱପୂର୍ଣ୍ଣ।”

ମୋଦି ଆହୁରି କହିଛନ୍ତି, ଆପଣମାନେ ଆପଣମାନଙ୍କ ଜିଲ୍ଲାରେ କ’ଣ ସବୁ ଚ୍ୟାଲେଞ୍ଜ ରହିଛି, ସେଗୁଡ଼ିକ ଭଲ ଭାବେ ଜାଣିଛନ୍ତି। ଯେତେବେଳେ ଆପଣଙ୍କ ଜିଲ୍ଲା ଜିତବ ସେତେବେଳେ ଦେଶର ବିଜୟ ହେବ। ଆପଣଙ୍କ ଜିଲ୍ଲା କରୋନାରେ ହାରିଗଲେ, ଦେଶ ମଧ୍ୟ ହାରିଯିବ। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ କାମ କରିଛନ୍ତି।

ଆପଣମାନଙ୍କ ପାଇଁ ଡ୍ୟୁଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଛି। ଆପଣମାନେ ଯଦି କିଛି ଯୋଜନାରେ ସଂସ୍କାର ଆଣିବାକୁ ଚାହୁଁଛନ୍ତି, ତା’ହେଲେ ବିନା କୌଣସି ଦ୍ୱାଧାରେ ସେକଥା କହିପାରିବେ ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ଗାଁକୁ ଫୋକସ କରିବାକୁ କହିବା ସହ ଟେଷ୍ଟିଂ ଓ ଲୋକାଲ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଲୋକଙ୍କୁ ଠିକ୍‌ ଓ ଉପଯୁକ୍ତ ସୂଚନା ଦେବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। କେବଳ ଗ୍ରାମାଞ୍ଚଳ ନୁହେଁ ଆମକୁ ଉପାନ୍ତ ଅଞ୍ଚଳକୁ ମଧ୍ୟ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।