ଲୋକେ ସହଯୋଗ ନ କଲେ ପୁଣି ଜାରି ହେବ ଲକଡାଉନ: ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୁଣିଥରେ ଲକଡାଉନ ଜାରି ହେବ ବୋଲି ସତର୍କ କରାଇଛନ୍ତି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପା। ଯଦି ଲୋକମାନେ ସରକାର ଜାରି କରୁଥିବା ନିୟମକୁ କଡ଼ାକଡ଼ି ପାଳନ ନ କରିବେ କିମ୍ବା ସରକାରଙ୍କୁ ସହଯୋଗ ନ କରିବେ, ତା’ହେଲେ ରାଜ୍ୟରେ ପୁଣିଥରେ ଲକଡାଉନ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ୟେଦ୍ଦ୍ୟୁରପ୍ପା କହିଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଆଜି ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ୟେଦ୍ଦ୍ୟୁରପ୍ପା ବୈଠକ କରିଥିଲେ। ବୈଠକରେ ପରେ ସେ ଲୋକଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି। ରବିବାର ରାଜ୍ୟରେ ୯୩୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହା ୬୫ ଦିନ ମଧ୍ୟରେ ସର୍ବାଧିକ। ବିଶେଷ କରି ବେଙ୍ଗାଲୁରୁରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୪ ଘଣ୍ଟା ମଧ୍ୟରେ ଏଠାରେ ୬୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୩ ଜଣଙ୍କ ମୃତ୍ୟୁ ଘଟିଛି।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଯଦି ଲୋକମାନେ ଆଉ ଏକ ଲକଡାଉନ ଚାହୁଁନାହାନ୍ତି, ତା’ହେଲେ ସେମାନେ ମାସ୍କ ପରିଧାନ କରନ୍ତୁ ଓ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ। ମୁଁ ଲୋକଙ୍କୁ ସହଯୋଗ ପାଇଁ ନିବେଦନ କରୁଛି। ଯଦି ସେମାନେ ସହଯୋଗ କରିବେ, ତା’ହେଲେ ଆଗକୁ ଆସୁଥିବା କରୋନାର ଦ୍ୱିତୀୟ ଲହରୀକୁ ଆମେ ବିନା କୌଣସି ଲକଡାଉନ ଲାଗୁ କରି ନିୟନ୍ତ୍ରଣ କରିପାରିବୁ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ପ୍ରକାରର ଲକଡାଉନ କିମ୍ବା ନାଇଟ କର୍ଫ୍ୟୁ ଲାଗୁ ହୋଇନାହିଁ। ଲୋକମାନେ ସହଯୋଗ କଲେ କରୋନା ସଂକ୍ରମଣ ନିୟନ୍ତ୍ରଣ ହୋଇପାରିବ। ଆମେ କେବେ ହେଲେ ଲକଡାଉନ ଲାଗୁ କରିବାକୁ ଚାହୁଁନାହୁଁ। କାରଣ ଏହା ଦୈନଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରିବ। ଲକଡାଉନ ଯୋଗୁ ଆମେ ପୂର୍ବରୁ ଅନେକ କ୍ଷତି ସହିଛୁ। ଲକଡାଉନ ସପକ୍ଷରେ ମୁଁ ଆଦୌ ନାହିଁ। କିନ୍ତୁ ଲୋକେ ଯଦି ଅମାନିଆ ହେବେ, ତା’ହେଲେ ଆମେ ଆଉ କିଛି କରିପାରିବୁ ନାହିଁ। ତେଣୁ ଲୋକମାନେ କଡ଼ାକଡ଼ି ଭାବେ ସରକାର ଜାରି କରୁଥିବା କରୋନା କଟକଣାକୁ ପାଳନ କରନ୍ତୁ ଓ ଲକଡାଉନ ଲାଗୁ କରିବା ଭଳି ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।