ନାବାଳକଙ୍କୁ ବାଇକ ଚୋରି ପାଇଁ ତାଲିମ ଦେଉଥିବା ପୁଲିସ୍‌ କନଷ୍ଟେବଲ ଗିରଫ, ୫୩ଟି ଗାଡ଼ି ଜବତ

ବେଙ୍ଗାଲୁରୁ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ବାଇକ ଚୋରମାନଙ୍କ ଗୁରୁ କେମିତି ଜଣେ ପୁଲିସ୍‌ କନଷ୍ଟେବଲ ସାଜିଥିଲେ? କ’ଣ ଏହା ସତ? ହଁ। ଏପରି ଘଟଣା କର୍ଣ୍ଣାଟକାରେ ଘଟିଛି। କର୍ଣ୍ଣାଟକା ପୁଲିସ୍‌ ସେମିତି ଜଣେ କନଷ୍ଟେବଲଙ୍କୁ ଗିରଫ କରିଛି। ଏଥିସହ ତାଙ୍କ ଛତ୍ରଛାୟା ବା ତାଙ୍କୁ ଗୁରୁ ଭାବେ ମାନୁଥିବା ଚୋର ଗ୍ୟାଙ୍ଗ ପାଖରୁ ୫୩ଟି ବାଇକ ଜବତ କରାଯାଇଛି। ଏହି ଜବତ ବାଇକ ଗୁଡ଼ିକର ମୂଲ୍ୟ ୭୭ ଲକ୍ଷ ଟଙ୍କା। କର୍ଣ୍ଣାଟକାର ବେଙ୍ଗାଲୁରୁରେ ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କନଷ୍ଟେବଲ ଜଣଙ୍କ ନାବାଳକମାନଙ୍କୁ ଚୋରି ପାଇଁ ତାଲିମ ଦେଉଥିଲେ ଓ ସେମାନଙ୍କୁ ଥାନାରୁ ମୁକୁଳାଉ ଥିଲେ।

ମିଳିଥିବା ସୂଚନା ଅନୁସାରେ, ଏହି ବାଇକ ଚୋରି ଗ୍ୟାଙ୍ଗର କିଙ୍ଗପିନ୍‌ ହେଉଛନ୍ତି କନଷ୍ଟେବଲ ହୋନ୍ନାପ୍ପା ଦୁରାଦାପ୍ପା ମାଲାଗି। ସେ ବିଦ୍ୟାରାନାୟାପୁରା ପୁଲିସ୍‌ ଷ୍ଟେନରେ କାମ କରୁଥିଲେ। ମାଲାଗି ପୁଲିସ୍‌ ହୋଇଥିଲେ ମଧ୍ୟ ନାବାଳକମାନଙ୍କୁ  ବାଇକ ଚୋରି ପାଇଁ ସବୁ ପ୍ରକାରର ତାଲିମ ଦେଉଥିଲେ। ସେମାନଙ୍କୁ ସୁରକ୍ଷା ମଧ୍ୟ ଯୋଗାଇ ଦେଉଥିଲେ।

ଏଥିପାଇଁ ପୁଲିସ୍‌ ମାଲାଗିଙ୍କ ସମେତ ଗୋଟିଏ କପଡ଼ା ଦୋକାନରେ କାମ କରୁଥିବା ରମେଶ ନାମକ ବ୍ୟକ୍ତିଙ୍କୁ ମଧ୍ୟ ବାନ୍ଧିଛି। ଅଭିଯୁକ୍ତ କନଷ୍ଟେବଲଙ୍କ ନିର୍ଦ୍ଦେଶରେ ବାଇକ ଚୋରି କରୁଥିବା ୨ ଜଣ ନାବାଳକଙ୍କୁ ଅଟକ ରଖାଯାଇଛି। ଏବେ ସେମାନଙ୍କୁ ପୁଲିସ୍‌ ପଚରାଉଚରା କରୁଛି। ଗ୍ୟାଙ୍ଗର ଆଉ କିଛି ସଦସ୍ୟ ମଧ୍ୟ ଗିରଫ ହୋଇଥିବା ବେଳେ ଆଉ କିଛି ଏବେ ବି ଫେରାର ରହିଥିବା କୁହାଯାଉଛି।

ଡିସିପି(ପଶ୍ଚିମ) ସଞ୍ଜୀବ ପାଟିଲଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରୁ ବାଇକ ଚୋରି କରୁଥିଲେ। ଏହାପରେ ଏହାକୁ ଉତ୍ତର କର୍ଣ୍ଣଟକାର ଦେବାନାଗେରେ, ରାଣୀବେନ୍ନୁର, ବୟାଦାଗି ଓ ଅନ୍ୟାନ୍ୟ ସ୍ଥାନରେ ବହୁତ କମ ଦାମରେ ବିକ୍ରି କରି ଦେଉଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଗ୍ୟାଙ୍ଗର ସଦସ୍ୟମାନେ ସେକେଣ୍ଡ ହ୍ୟାଣ୍ଡ ବାଇକ ବିକ୍ରି ହେଉଥିବା ପୋର୍ଟାଲକୁ ଯାଉଥିଲେ ଓ ସେଠାରୁ ବିଭିନ୍ନ ଗାଡ଼ିର ପଞ୍ଜିକୃତ ନମ୍ବର ଆଣୁଥିଲେ। ଏହାପରେ ଏହି ପଞ୍ଜିକୃତ ନମ୍ବରକୁ ଚୋରି ଗାଡ଼ିରେ ବ୍ୟବହାର କରି ବିଭିନ୍ନ ଲୋକଙ୍କୁ ବିକ୍ରି କରି ଦେଉଥିଲେ।

ବାଇକ ଗୁଡ଼ିକ ପାଇଁ ବ୍ୟାଙ୍କ ଲୋନ ଦେବାର ବାକି ଥିବାର ଆଳ ଦେଖାଇ ସେମାନେ ବିକ୍ରି ସମୟରେ ଏହାର କାଗଜପତ୍ର ଖରିଦଦାତାଙ୍କୁ ଦେଉ ନଥିଲେ। ଚୋରି ବେଳେ ଯଦି କୌଣସି ନାବାଳକ ପୁଲିସ୍‌ ହାତରେ ଧରା ପଡ଼ୁଥିଲା, ତା’ହେଲେ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ବିଶେଷ କରି ମାଲାଗି ଥାନାକୁ ସେମାନଙ୍କ ସମ୍ପର୍କୀୟ ଭାବେ ପରିଚୟ ଦେଇ ଫୋନ କରୁଥିଲେ। ଏହାପରେ ସେମାନଙ୍କୁ ଥାନାରୁ ମୁକୁଳାଉ ଥିଲେ।

କନଷ୍ଟେବଲ ମାଲାଗି ବେଙ୍ଗାଲୁରୁର ନନ୍ଦୀନ ଲେଆଉଟ, ଯଶବନ୍ତପୁର, ଏଚଏମଟି ଲେଆଉଟ, ଜାଲାଗଲ୍ଲି କ୍ରସ, ହେବ୍ବାଲ ଭଳି ବିଭିନ୍ନ ସ୍ଥାନରେ ଘଟିଥିବା ଚୋରିରେ ସିଧାସଳଖ ସାମିଲ ଥିଲେ। ପୁଲିସ୍‌ ବିଭିନ୍ନ ପ୍ରକାରର ଉଦ୍ୟମ କରି ଶେଷରେ ବାଇକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି।

ସେମାନଙ୍କ ଠାରୁ ଜବତ ହୋଇଥିବା ୫୩ଟି ଗାଡ଼ି ମଧ୍ୟରୁ ୩ଟି ବାଇକକୁ ଆଜି ପୁଲିସ୍‌ ପ୍ରକୃତ ମାଲିକଙ୍କୁ ଫେରାଛି ବୋଲି ଡିସିପି ପାଟିଲ କହିଛନ୍ତି। ଏଥିସହ ବାଇକ କିଣିବା ବେଳେ ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।