ବେଙ୍ଗଲରୁ ନଗଦ କୋଟି କୋଟି ଟଙ୍କା ମିଳିବା ଘଟଣା: ଓଡ଼ିଶା ଓ ଗୁଜରାଟରୁ ଧରାପଡ଼ିଲେ ଅଭିଯୁକ୍ତ

କୋଲକାତା: ବେଙ୍ଗଲରୁ ଗତ ସପ୍ତାହରେ ମିଳିଥିବା ନଗଦ କୋଟି କୋଟି ଟଙ୍କା ଘଟଣାରେ ପୁଲିସ୍‌କୁ ବଡ଼ ସଫଳତା ମିଳିଛି। ଯେଉଁ ୩ ଭାଇଙ୍କ ଘରୁ କୋଲକାତା ପୁଲିସ୍‌ ନଗଦ ୮ କୋଟି ଟଙ୍କା ଜବତ କରିଥିଲା ଆଜି ସେମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ଅଭିଯୁକ୍ତ ୩ ଭାଇଙ୍କ ସହ ସେମାନଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ପୁଲିସ୍‌ ଗୁଜରାଟ ଓ ପଡ଼ୋଶୀ ଓଡ଼ିଶାରୁ ଗିରଫ କରିଛି।

ପୁଲିସ୍‌ କହିଛି ଯେ ଶୈଳେଶ ପାଣ୍ଡେ, ଅରବିନ୍ଦ ପାଣ୍ଡେ, ରୋହିତ ପାଣ୍ଡେ ଓ ସେମାନଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି। ହାୱାଡାରେ ଥିବା ଗୋଟିଏ ଆର୍ପାଟମେଣ୍ଟ ଓ କାର୍‌ରୁ ଗତ ଶନିବାର ନଗଦ ୮ କୋଟି ଟଙ୍କା ଜବତ କରାଯାଇଥିଲା। ଏହି କାର ଓ ଆପାର୍ଟମେଣ୍ଟ ପାଣ୍ଡେ ବ୍ରଦର୍ସଙ୍କ ନାଁରେ ରହିଥିଲା। ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ୍‌ କହିଛି।

ହାୱାଡା ପୁଲିସ କହିଛି ଯେ ପାଣ୍ଡେ ବ୍ରଦର୍ସଙ୍କ ଆପାର୍ଟମେଣ୍ଟରୁ ନଗଦ ୬ କୋଟି ଟଙ୍କା ମିଳିଥିଲେ। ସେହିପରି ଆପାର୍ଟମେଣ୍ଟର ପାର୍କିଂରେ ରଖାଯାଇଥିବା ସେମାନଙ୍କର ଗୋଟିଏ କାର୍‌ରୁ ଆଉ ୨ କୋଟି ଟଙ୍କା ମିଳିଛି।

ଶୈଳେଶ ପାଣ୍ଡେ ଓ ଅରବିନ୍ଦ ପାଣ୍ଡେ ବ୍ୟବସାୟ କରନ୍ତି। ସେମାନେ ମିଳିତ ଭାବେ ଶିବପୁର ଅଞ୍ଚଳରେ ଗୋଟିଏ ଆପାର୍ଟମେଣ୍ଟ କରିଥିଲେ। ପୁଲିସ୍‌ ଉକ୍ତ ଆପାର୍ଟମେଣ୍ଟରେ ଥିବା ଘରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ସେଠାରେ ଥିବା ବେଡ୍‌ ବକ୍ସରୁ ପୁଳାପୁଳା ନଗଦ ଟଙ୍କା ମିଳିଥିଲା। ଏହି ସମୟରେ ଉକ୍ତ ଘରେ ପାଣ୍ଡେ ଭ୍ରାତାଙ୍କ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ।

ଅକ୍ଟୋବର ୧୪ରେ ପାଣ୍ଡେ ବ୍ରଦର୍ସ ନକଲି ଆକାଉଣ୍ଟ ଦ୍ୱାରା ବିପୁଳ ପରିମାଣର ଆର୍ଥିକ କାରବାର କରୁଥିବା ସେମାନଙ୍କ ଆକାଉଣ୍ଟ ରହିଥିବା ବ୍ୟାଙ୍କର କର୍ତ୍ତୃପକ୍ଷ ପୁଲିସ୍‌କୁ ସୂଚନା ଦେଇଥିଲେ। ଖବର ପାଇବା ପରେ ହାରେ ଷ୍ଟ୍ରିକ ପୁଲି ଷ୍ଟେସନ ଓ କୋଲକାତା ପୁଲିସ୍‌ର ଡିଟେକ୍ଟିଭ ବିଭାଗର ଆଣ୍ଟି ବ୍ୟାଙ୍କ ଫ୍ରର୍ଡ ସେକସନ ମାମଲା କରି ତଦନ୍ତ ଆରମ୍ଭ କରିଥିଲା।

ପାଣ୍ଡେ ଭ୍ରାତାଙ୍କ ବିରୋଧରେ କୋଲକାତା ପୁଲିସ୍‌ ଲୁକ ଆଉଟ ନୋଟିସ ବି ଜାରି କରିଥିଲା। ସେମାନଙ୍କ ପତ୍ତା ନ ମିଳିବାରୁ ପୁଲିସ୍‌ ଏପରି ପଦକ୍ଷେପ ନେବା ସହ ସେମାନଙ୍କ ଘରେ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଛି। ସେହିପରି ସେମାନଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ଯାଞ୍ଚ କରାଯାଉଛି। ଏସବୁ ଭିତରେ ଗୁଜରାଟ ଓ ଓଡ଼ିଶାରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ହେଲେ ଓଡ଼ିଶାର କେଉଁ ସ୍ଥାନରୁ ଓ କାହାକୁ ଗିରଫ କରାଯାଇଛି, ସେକଥା କୋଲକାତା ପୁଲିସ ସୂଚନା ଦେଇନାହିଁ।

ବ୍ୟବସାୟୀ ଶୈଳସ ପାଣ୍ଡେ ଓ ତାଙ୍କର ଦୁଇ ଭାଇ ଗୋଟିଏ ଅନଲାଇନ ରାକେଡ ଚଳାଇଥିଲେ। ସେମାନେ ବେଙ୍ଗଲ ଓ ଦେଶର ବିଭିନ୍ନ ରାଜ୍ୟର ଲୋକଙ୍କୁ ପ୍ରଲୋଭିତ କରାଇ କେମିତି ଷ୍ଟକମାର୍କେଟରେ ଟଙ୍କା ନିବେଶ କରି ଲାଭ ପାଇବେ, ସେ ବିଷୟରେ ପାଠ ପଢ଼ାଉଥିଲେ। ଗୋଟିଏ ମୋବାଇଲ ଆପ୍‌ ଦ୍ୱାରା ପୂରା ଅପରେସନ ଚାଲିଥିଲା।

ତଦନ୍ତ ବେଳେ ପୁଲିସ୍‌ ଜାଣିବାକୁ ପାଇଛି ଯେ ଗୋଟିଏ ସରକାରୀ ବ୍ୟାଙ୍କର ନରେନ୍ଦ୍ରପୁର ବ୍ରାଞ୍ଚରେ ଥିବା ଦୁଇଟି ଆକାଉଣ୍ଟରୁ ଅପ୍ରତ୍ୟାଶିତ ଭାବେ ୭୭ କୋଟି ଟଙ୍କାର ନେଣଦେଣ ହୋଇଛି। ଅଧିକ ତଦନ୍ତ କରାଯିବାରୁ ଆଉ ୧୭ଟି ନକଲି ଆକାଉଣ୍ଟ ଠାବ ହୋଇଥିଲା। ଏହା ମଧ୍ୟରୁ ୬ଟି ଆକାଉଣ୍ଟ ଦ୍ୱାରା ୫୭ କୋଟି ନେଣଦେଣ ହୋଇଥିବା ତଥ୍ୟ ସାମ୍ନାକୁ ଆସିଥିଲା।

ଲାଲବଜାର ପୁଲିସ କହିଛି ଯେ ଅନ୍ୟ ସମସ୍ତ ଆକାଉଣ୍ଟକୁ ଯାଞ୍ଚ କରାଯିବା ମୋଟ ୨୦୭ କୋଟି ଟଙ୍କାର ନେଣଦେଣ ହୋଇଥିବା ଜଣାପଡ଼ିଥିଲା। ଘଟଣାରେ ପାଣ୍ତେ ବ୍ରଦର୍ସ ଫେରାର ହୋଇଯାଇଥିଲେ। ଏବେ ସେମାନଙ୍କୁ ଗିରଫ କରାଯାଇଛି। 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।