ଖାଇବା ଟଙ୍କା ମାଗିବାରୁ ଢାବା ମାଲିକ ଓ ଅନ୍ୟ ୯ ଜଣଙ୍କୁ ଫେକ୍‌ କେସ୍‌ରେ ଫସାଇଥିଲା ପୁଲିସ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଅନ୍ତର୍ଗତ ଇଠା ଜିଲ୍ଲା ପୁଲିସ୍‌ର ଔଦ୍ଧତ ପଣିଆ ସବୁ ସୀମା ଟପି ଯାଇଛି। ଜିଲ୍ଲାରେ ଥିବା ଗୋଟିଏ ଢାବାର ମାଲିକ ଓ ଆଉ ୯ ଜଣଙ୍କୁ ସ୍ଥାନୀୟ ପୁଲିସ୍‌ ମିଥ୍ୟା ଏନକାଉଣ୍ଟର ମାମଲାରେ ଫସାଇ ଗିରଫ କରିବା ସହ ଜେଲ ପଠାଇ ଦେଇଥିଲା। ଢାବା ମାଲିକ ପୁଲିସ୍‌ ବାବୁମାନଙ୍କୁ ଖାଇବା ଟଙ୍କା ମାଗିବାରୁ ତାଙ୍କୁ ପୁଲିସ୍‌ ଏଭଳି ମିଥ୍ୟା କେସରେ ଫସାଇଥିବା ଏବେ ଜଣାପଡ଼ିଛି।

ଏଥିପାଇଁ ବରିଷ୍ଠ ଅଧିକାରୀ ସ୍ଥାନୀୟ ଥାନାର ଜଣେ ଇନସପେକ୍ଟର ଓ ଦୁଇ ଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘଟଣାର ଘଟିବାର ଦୀର୍ଘ ୪୦ ଦିନ ପରେ ବରିଷ୍ଠ ଅଧିକାରୀମାନେ ଅଭିଯୁକ୍ତ ପୁଲିସ୍‌ ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଫେବୃଆରୀ ୪ରେ ଢାବା ମାଲିକ ଓ ଘଟଣା ବେଳେ ଢାବାରେ ଉପସ୍ଥିତ ଗ୍ରାହକମାନଙ୍କୁ ପୁଲିସ୍‌ ଗିରଫ କରିଥିଲା।

ପୁଲିସ୍‌ ଘଟଣା ବେଳେ ଜାରି କରିଥିବା ପ୍ରେସ ନୋଟ୍‌ରେ କହିଥିଲା ଯେ ଗିରଫ ବ୍ୟକ୍ତିମାନେ ମଦ, ଡ୍ରଗ୍ସ, ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ଏନକାଉଣ୍ଟର ପରେ ସମସ୍ତଙ୍କୁ ଗିରଫ କରାଯାଇଛି। ଏଥିରେ ଆହୁରି କୁହାଯାଇଥିଲା ଯେ ଗିରଫ ବ୍ୟକ୍ତିମାନଙ୍କ ଠାରୁ ୬ଟି ଦେଶୀ ବନ୍ଧୁକ, ୧୨ଟି ଜୀବନ୍ତ କାଟ୍ରିଜ, ୨ କେଜି ଗଞ୍ଜେଇ, ୮୦ ଲିଟର ନକଲି ମଦ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଜବତ କରାଯାଇଥିଲା।
ପୁଲିସ୍‌ ଏପରି କରିଥିଲେ ହେଁ ଢାବା ମାଲିକଙ୍କ ଭାଇ ସେଦିନ ଆଉ କିଛି ଘଟିଥିଲା ବୋଲି କହିଥିଲେ।

ଢାବା ମାଲିକଙ୍କ ଭାଇ ପ୍ରବୀଣ କୁମାର କହିଛନ୍ତି, “ଫେବୃଆରୀ ୪ ତାରିଖ ଦିନ ପ୍ରାୟ ୨ଟା ବେଳେ ଆମ ଢାବାରେ କିଛି ପୁଲିସ୍‌ ବାବୁ ଖାଦ୍ୟ ଖାଇଥିଲେ। ମୋ ଭାଇ ସେଠାରେ ଥିଲା। ମୁଁ ଘରେ ଥିଲି। ଖାଇବା ଟଙ୍କାକୁ ନେଇ ମୋ ଭାଇ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ସେମାନେ ନିୟମିତ ଆସନ୍ତି। ହେଲେ ଖାଇବା ଟଙ୍କା ଦିଅନ୍ତି ନାହିଁ। ବେଳେବେଳେ ଖାଇବା ପରେ ୧୦୦ ଟଙ୍କା ଦେଇ ଚାଲି ଯାଆନ୍ତି। କିନ୍ତୁ ଖାଇବାର ପ୍ରକୃତ ଟଙ୍କା ଏହାର ୪ ଗୁଣ ରହିଥାଏ।

ସେଦିନ ମୋ ଭାଇ ଟଙ୍କା ମାଗିବାରୁ ସେମାନେ ମୋ ଭାଇକୁ ପିଟିଥିଲେ। ସେମାନେ ସମସ୍ତେ ମଦ ପିଇଥିଲେ। ଟଙ୍କା ମାଗିବାର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହି ସେମାନେ ଚାଲି ଯାଇଥିଲେ। କିଛି ସମୟ ପରେ ଦୁଇଟି ପୁଲିସ ଜିପ୍‌ ଢାବାରେ ପହଞ୍ଚିଥିଲା। ଏହାପରେ ମୋ ଭାଇ ସହ ଢାବାରେ ଥିବା ଗ୍ରାହକଙ୍କୁ ମଧ୍ୟ ଥାନାକୁ ନେଇ ଯାଇଥିଲେ। ଥାନାରେ ସମସ୍ତ ନାଁରେ ନକଲି ମଦ କାରବାର କରାଯାଉଥିବା ମାମଲା ଯୋଡ଼ା ଯାଇଥିଲା।

ଏପରି କି ଏନକାଉଣ୍ଟର ପରେ ସମସ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ ମଧ୍ୟ କହିଥିଲା। ମୋ ଭାଇ ପୁଲିସ୍‌ ଉପରକୁ କୁଆଡ଼େ ୬ ରାଉଣ୍ଡ ଗୁଳି ଚଳାଇଥିଲା। ସେମାନେ ଢାବାରୁ ୧୧ ଜଣଙ୍କୁ ନେଇଥିଲେ। ହେଲେ ଜଣଙ୍କୁ ଛାଡ଼ି ମୋ ଭାଇ ସହ ଆଉ ୯ ଜଣଙ୍କୁ ଜେଲ ପଠାଇ ଦେଇଥିଲେ।”

ଘଟଣା ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ ଜାଣିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଆଜି ଇଠା ପୁଲିସ୍‌ ଗୋଟିଏ ବିବୃତି ଜାରି କହିଛି ଯେ ନଲମ୍ବିତ ପୁଲିସ୍‌ ଅଧିକାରୀମାନଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ରହିଛି। କୋଟୱାଲି ଦେହାତ ପୁଲିସ୍‌ ଷ୍ଟେସନର ଇନଚାର୍ଜ ଘଟଣାରେ ସାମିଲ ଥିଲେ। ଘଟଣାର ତଦନ୍ତ ଇଠାର ସିପି(କ୍ରାଇମ)ଙ୍କୁ କୁହାଯାଇଥିଲା। ପ୍ରାଥମିକ ତଦନ୍ତରୁ ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଛି। ଏହି କାରଣରୁ ୨ ଜଣ କନଷ୍ଟେବଲ ଓ ଜଣେ ଇନସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।