ମୁଖ୍ୟ ଘଟଣାରୁ ଧ୍ୟାନ ହଟାଇବାକୁ ପରମବୀରଙ୍କ ଟାର୍ଗେଟରେ ଅନୀଲ ଦେଶମୁଖ: ଶରଦ ପାୱାର

ମୁମ୍ବାଇ: ମୁମ୍ବାଇ ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆଣିଥିବା ଅଭିଯୋଗରେ କୌଣସି ସତ୍ୟତା ନଥିବା କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱର। ପୂର୍ବରୁ ପରମବୀରଙ୍କ ଅଭିଯୋଗ ସଂଗୀନ ଓ ଏହାର ତଦନ୍ତ ହେବା ଉଚିତ ବୋଲି କହିଥିବା ଶ୍ରୀ ପାୱାର ଆଜି ଏପରି ବୟାନ ଦେଇଛନ୍ତି।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଖଚିତ କାର ମିଳିବା ଘଟଣାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସେ ଏପରି ଅଭିଯୋଗ ଆଣିଥିବା ପାୱାର କହିଛନ୍ତି। ସେ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, “ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଗାଡ଼ି ମିଳିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆତଙ୍କବାଦ ନିରୋଧ ସ୍କ୍ୱାଡର ଗିରଫଦାରୀ ପରେ ମୁନସୁଖ ହିରେନଙ୍କୁ କିଏ ମାରିଛି, ତା’ହା ବି ସ୍ପଷ୍ଟ ହୋଇଯାଇଛି।

ତଦନ୍ତ ବେଳେ ଜଣାପଡ଼ି ଯେ ଗିରଫ ଦୁଇ ଜଣ କାହିଁକି ମନସୁଖଙ୍କୁ ମାରିଛନ୍ତି। ମୁମ୍ବାଇ ଏଟିଏସର ତଦନ୍ତ ଠିକ୍‌ ଦିଗରେ ଚାଲିଛି। ଏବେ କେବଳ ମୁଖ୍ୟ ପ୍ରସଙ୍ଗଗୁଡ଼ିକରୁ ଲୋକଙ୍କୁ ବାଟବଣା କରିବା ପାଇଁ ପରମବୀର ସିଂହ ଏଭଳି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି।”

ସେହିପରି ଅନୀଲ ଦେଶମୁଖଙ୍କ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ମଧ୍ୟ ଶ୍ରୀ ପାୱାର ସ୍ପଷ୍ଟ କରିଛନ୍ତି। ନିଲମ୍ବିତ ପୁଲିସ୍‌ ଅଧିକାରୀ ସଚିନ ବାଜେଙ୍କୁ ଯେଉଁ ସମୟରେ ଶ୍ରୀ ଦେଶମୁଖ ଭେଟି ୧୦୦ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବାକୁ କହିଥିବା ଦାବି କରାଯାଉଛି, ସେହି ସମୟରେ ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଫେବୃଆରୀ ୫ରୁ ୨୭ ଯାଏ ଦେଶମୁଖ ପ୍ରଥମେ ହସ୍ପିଟାଲରେ ଓ ପରେ ନାଗପୁର ସ୍ଥିତ ଘରେ ବିଶ୍ରାମ ନେଇଥିଲେ। ତେଣୁ ଏଭଳି ସ୍ଥିତିରେ ସେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ଶରଦ ପାୱାର କହିଛନ୍ତି।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସୁରକ୍ଷାରେ ଅବହେଳା ଓ ମନସୁଖ ମୃତ୍ୟୁ ମାମଲାକୁ ନେଇ ମୁମ୍ବାଇ ପୁଲିସ୍‌ କମିଶନର ପରମବୀର ସିଂହ ବ୍ୟାକଫୁଟରେ ଥିଲେ। ଏଥିପାଇଁ ତାଙ୍କୁ ମହାରାଷ୍ଟ୍ର ସରକାର ମୁମ୍ବାଇ ପୁଲିସ୍‌ କମିଶନର ପଦରୁ ହଟାଇ ରାଜ୍ୟ ହୋମଗାର୍ଡ ଡିଜି କରିଥିଲେ।

ହେଲେ ଶନିବାର ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଗୋଟିଏ ଚିଠି ଲେଖିଥିଲେ। ଏଥିରେ ଅନୀଲ ଦେଶମୁଖ ବାରମ୍ବାର ସଚିନ ବାଜେଙ୍କୁ ତାଙ୍କ ଆବାସିକ ଅଫିସକୁ ଡାକୁଥିଲେ ଓ ମାସିକ ୧୦୦ କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଚିଠି ସାମ୍ନାକୁ ଆସିବା ପରେ ରାଜ୍ୟରେ କ୍ଷମତାସୀନ ଶିବସେନା-ଏନସିପି ଓ କଂଗ୍ରେସର ମେଣ୍ଟ ସରକାରରେ ଅସ୍ଥିରତା ଦେଖିବାକୁ ମିଳିଛି।

ବିରୋଧୀ ବିଜେପି ଏହି ଗୋଳିଆ ପାଣିରୁ ଫାଇଦା ହାସଲ କରି ରାଜ୍ୟ ଓ ସଂସଦରେ ହୋହାଲ୍ଲା ଆରମ୍ଭ କରିଛି। ଦେଶମୁଖଙ୍କ ଇସ୍ତଫା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମଧ୍ୟ ବିଜେପି ନେତାମାନେ ଦାବି କରିବା ଆରମ୍ଭ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।