ରାଜ ଠାକରେଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

ମୁମ୍ବାଇ: ଗିରଫ ହେବେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ। ତାଙ୍କ ନାଁରେ ପଶ୍ଚିମ ମହାରାଷ୍ଟ୍ରର ସଙ୍ଗଲି ଜିଲ୍ଲାରେ ଥିବା ଗୋଟିଏ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ୧୪ ବର୍ଷ ତଳର ଗୋଟିଏ ମାମଲାରେ ତାଙ୍କ ନାଁରେ ଏପରି ୱାରେଣ୍ଟ ଜାରି କରାଯାଇଛି।

୨୦୦୮ରେ ରାଜ ଠାକରେ ବିଦ୍ୱେଷ ଓ ହିଂସା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ଏଥିପାଇଁ ତାଙ୍କ ନାଁରେ ଆଇପିସିର ଧାରା ୧୧୦୯ ଓ ୧୧୭ରେ ମାମଲା ରୁଜୁ ହୋଇଥିଲା।

ସଙ୍ଗଲି ଜିଲ୍ଲାର ଶିରାଲା ଠାରେ ଥିବା ଜୁଡିସିଆଲ ମାଜିଷ୍ଟ୍ରେଟ ଏପ୍ରିଲ ୬ରେ ୱାରେଣ୍ଟ ଜାରି କରି କହିଛନ୍ତି, ମୁମ୍ବାଇ ପୁଲିସ କମିଶନର ତୁରନ୍ତ ରାଜ ଠାକରେଙ୍କୁ ଗିରଫ କରି କୋର୍ଟରେ ହାଜର କରନ୍ତୁ। ମୁମ୍ବାଇ ପୁଲିସ୍‌ କମିଶନରଙ୍କ ଜରିଆରେ କୋର୍ଟ ରାଜ ଠାକରେ ଓ ଅନ୍ୟ ଜଣେ ନବ ନିର୍ମାଣ ସେନାର ନେତା ଶିରିଶ ପାରକରଙ୍କ ନାଁରେ ୱାରେଣ୍ଟ ଜାରି କରିଛନ୍ତି। ସେମାନେ ନିଜ ତରଫରୁ କୋର୍ଟରେ ହାଜର ନ ହେବାରୁ ଏପରି ପଦକ୍ଷେପ ନିଆଯାଇଛି। ଜୁନ୍‌ ୮ ପୂର୍ବରୁ ୱାରେଣ୍ଟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ କୋର୍ଟ କହିଛନ୍ତି।

୨୦୦୮ରେ ନବ ନିର୍ମାଣ ସେନାର କର୍ମୀମାନେ ଶିରାଲା ଠାରେ ବିଶାଳ ରାଲିର ଆୟୋଜନ କରିଥିଲେ। ଏହାପୂର୍ବରୁ ସ୍ଥାନୀୟ ଯୁବକଙ୍କୁ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ଦେବା ଦାବିରେ ବିକ୍ଷୋଭ କରି ରାଜ ଠାକରେ ଗିରଫ ହୋଇଥିଲେ। ତାଙ୍କର ଖଲାସ ଦାବିରେ ହିଁ ନବ ନିର୍ମାଣ ସେନା ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଚାକିରି ପାଇଁ ଦାବି କରିବା ବେଳେ ରାଜ ଠାକରେ ଅତ୍ୟନ୍ତ ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ଏଥିପାଇଁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା।

ତେବେ ନବ ନିର୍ମାଣ ସେନା ପକ୍ଷରୁ ଏପରି ୱାରେଣ୍ଟକୁ ବିରୋଧ କରାଯାଇଛି। ସେମାନେ କହିଛନ୍ତି ଯେ ସରକାରୀ ନିୟମ ଅନୁଯାୟୀ, ୨୦୧୨ ପୂର୍ବରୁ ଥିବା ସମସ୍ତ ରାଜନୀତିକ ମାମଲା ପ୍ରତ୍ୟାହାର କରାଯାଇଛି। ହେଲେ ରାଜ ଠାକରେ ଏବେ ଲାଉଡ ସ୍ପିକର କଥା ଉଠାଇବାକୁ ତାଙ୍କ ନାଁରେ ୨୦୦୮ରେ ରୁଜୁ ହୋଇଥିବା ମାମଲାରେ ୱାରେଣ୍ଟ ଜାରି କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।