ଭାରତୀୟ ଶିକ୍ଷାର୍ଥୀ ଓ ପର୍ଯ୍ୟଟକଙ୍କୁ ଆଶ୍ୱସ୍ତି, କୋଭାକ୍ସିନକୁ ବ୍ରିଟେନର ଅନୁମତି

ଲଣ୍ଡନ: ଭାରତରେ ବ୍ୟବହୃତ ହେଉଥିବା କୋଭାକ୍ସିନ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଶିକ୍ଷାର୍ଥୀ ଓ ପର୍ଯ୍ୟଟକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ବ୍ରିଟେନ ସରକାର କୋଭାକ୍ସିନ ଟିକାକୁ ମାନ୍ୟତା ପ୍ରଦାନ କରିଛନ୍ତି। ଏହାର ଅର୍ଥ ଯେଉଁ ବିଦେଶୀ ଶିକ୍ଷାର୍ଥୀ ଓ ପର୍ଯ୍ୟଟକମାନେ କୋଭାକ୍ସିନ ଟିକା ନେଇଥିବେ, ସେମାନଙ୍କୁ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ।

ପୂର୍ବରୁ ବ୍ରିଟେନ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇ ଥିବାରୁ ସେଠାକୁ ପାଠପଢ଼ିବା ପାଇଁ ଯିବାକୁ ଥିବା ଶିକ୍ଷାର୍ଥୀମାନେ ଚିନ୍ତାରେ ରହିଥିଲେ। ସେହିପରି ପର୍ଯ୍ୟଟକମାନେ ବ୍ରିଟେନ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା କରିଥିଲେ। ତେବେ ଆଜି ବ୍ରିଟେନ ସରକାର ଭାରତ ଓ ଚାଇନାରେ ବ୍ୟବହୃତ ହେଉଥିବା କରୋନା ଟିକା ନେଇଥିବା ଲୋକଙ୍କୁ ନିଜ ଦେଶରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ କହିଛି, ଚାଇନାର ସିନୋଭାକ ବାୟୋଟେକ ଲିଃ ଓ ଭାରତର ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଟିକାକୁ ଅନୁମୋଦନ ମିଳିଛି। ଏହି ଦୁଇ କମ୍ପାନୀର ଟିକା ନେଇଥିବା ଲୋକଙ୍କୁ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ। ଦୁଇଟି ଯାକ ଡୋଜ୍ ନେଇଥିବା ଲୋକ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ବ୍ରିଟେନକୁ ଆସିପାରିବେ ବୋଲି ବିଭାଗ କହିଛି।

ବର୍ତ୍ତମାନ ସୁଦ୍ଧା କୋଭାକ୍ସିନ ସମେତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତିପ୍ରାପ୍ତ ସମସ୍ତ ୭ଟି ଟିକାକୁ ବ୍ରିଟେନ ଗ୍ରୀନ ସିଗ୍ନାଲ ଦେଇଛି। ପୂର୍ବରୁ ଅଷ୍ଟ୍ରେଲିଆ ଓ ଆମେରିକା ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମତି ପ୍ରାପ୍ତ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକଙ୍କ ପାଇଁ ନିଜ ସୀମାକୁ ଖୋଲିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।