କୋଭିସିଲ୍ଡ ପରେ କୋଭାକ୍ସିନ ଟିକାର ଦାମ ମଧ୍ୟ କମିଲା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଲୋକଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କୋଭିସିଲ୍ଡ ଟିକାର ଦାମ ହ୍ରାସ କରିଥିବା ବେଳେ ଆଜି କୋଭାକ୍ସିନ ଟିକା ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ ସମାନ ପଦକ୍ଷେପ ନେଇଛି।

ଆଜି ଭାରତ ବାୟୋଟେକ କୋଭାକ୍ସିନ ଟିକାର ଡୋଜ୍‌ ପିଛା ଦର ହ୍ରାସ କରିଛି। ପୂର୍ବରୁ କମ୍ପାନୀ ରାଜ୍ୟଗୁଡ଼ିକୁ କୋଭାକ୍ସିନ ଟିକା ଡୋଜ୍‌ ପିଛା ୬୦୦ ଟଙ୍କାରେ ବିକ୍ରି କରିବ ବୋଲି କହିଥିଲା। ହେଲେ ଏବେ ଏହାକୁ ଡୋଜ୍‌ ପିଛା ୪୦୦ ଟଙ୍କାକୁ ହ୍ରାସ କରିଛି। ଏହାର ଅର୍ଥ ରାଜ୍ୟ ସରକାରମାନେ କମ୍ପାନୀକୁ ଡୋଜ ପିଛା ୪୦୦ ଟଙ୍କା ଦେଇ ଏହାକୁ ସିଧାସଳଖ କିଣିପାରିବେ।

ତେବେ ଘରୋଇ ସଂସ୍ଥା ଓ ଘରୋଇ ହସ୍ପିଟାଲ ଗୁଡ଼ିକ ପୂର୍ବଭଳି ୧୨ଶହ ଟଙ୍କାରେ ଟିକାର ଡୋଜ୍‌ ଗୁଡ଼ିକ କିଣିବେ। ଏସମ୍ପର୍କରେ ଆଜି ଭାରତ ବାୟୋଟେକ ଏକ ବିବୃତି ଜାରି କରି ସୂଚନା ଦେଇଛି।

ଅନ୍ୟପକ୍ଷରେ ସେରମ କୋଭିସିଲ୍ଡ ଟିକାର ଦାମ ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନାଙ୍କ ପାଇଁ ଡୋଜ୍‌ ପିଛା ଯଥାକ୍ରମେ ୪୦୦ ଓ ୬୦୦ ଟଙ୍କା ରଖିଥିଲା। ହେଲେ ଗତକାଲି ସଂସ୍ଥା ଟିକାର ଡୋଜ୍‌ ପିଛା ଦାମ ୨୫ ପ୍ରତିଶତ କମାଇ ୩୦୦ ଟଙ୍କା କରିଥିଲା। ରାଜ୍ୟ ସରକାରମାନେ ୩୦୦ ଟଙ୍କା ଦେଇ ଟିକାର ଡୋଜ୍‌ କିଣିପାରିବେ। ତେବେ ଘରୋଇ ଡାକ୍ତରଖାନା ପାଇଁ ଦର ପୂର୍ବପରି ଅପରିବର୍ତ୍ତିତ ରହିଛି। ଅର୍ଥାତ୍ ଘରୋଇ ହସ୍ପିଟାଲ ମାନେ ଡୋଜ ପିଛା ୬୦୦ ଟଙ୍କାରେ କିଣିବେ।

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, କମ୍ପାନୀଠାରୁ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲଗୁଡ଼ିକ ଉତ୍ପାଦନର ୫୦% ଟିକା ସିଧାସଳଖ କିଣିପାରିବେ। ଭାରତ ବାୟୋଟେକ ଡୋଜ୍‌ ପିଛା କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଟିକାର ଡୋଜ୍‌ ଯୋଗାଉଥିଲା। ଏହାକୁ କେନ୍ଦ୍ର ସରକାର ମାଗଣାରେ ଲୋକଙ୍କୁ ଦେଉଥିଲେ। ଏବେ ବି କମ୍ପାନୀ ୧୫୦ ଟଙ୍କାରେ କେନ୍ଦ୍ର ସରକାରଙ୍କୁ ଟିକା ଯୋଗଇ ଦେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।