ହାଡ଼ଫୁଟି ଭଳି ବ୍ୟାପିବ ଡେଲ୍ଟା ଭାରିଏଣ୍ଟ, ହେବ ଆହୁରି ମାରାତ୍ମକ!

ନୂଆଦିଲ୍ଲୀ: ମହାମାରୀ କରୋନାର ଡେଲ୍ଟା ଭାରିଏଣ୍ଟକୁ ନେଇ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ଭାଇରସର ଅନ୍ୟ ସମସ୍ତ ଭାରିଏଣ୍ଟ ତୁଳନାରେ ଏହା ଅଧିକ ମାରାତ୍ମକ ରୋଗ ସୃଷ୍ଟି କରିପାରେ। ସେହିପରି ହାଡ଼ଫୁଟି ଭଳି ଏହା ସହଜରେ ସବୁଆଡ଼େ ବ୍ୟାପିବାର କ୍ଷମତା ବି ରଖିଛି। ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଗୋଟିଏ ଅନ୍ତରୀଣ ରିପୋର୍ଟକୁ ଆଧାର କରି ଏପରି ଖବର ପ୍ରକାଶ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ସିଡିସିରୁ ମିଳିଥିବା ଦସ୍ତାବିଜରେ ଦର୍ଶାଯାଇଛି ଯେ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକମାନେ ମଧ୍ୟ ଟିକା ନେଇ ନଥିବା ଲୋକଙ୍କ ଭଳି ଡେଲ୍ଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହେବା ପରେ ଅନ୍ୟମାନଙ୍କୁ ଆକ୍ରାନ୍ତ କରିପାରିବେ। ଏହି ଭାରିଏଣ୍ଟ ପ୍ରଥମଥର ପାଇଁ ଭାରତରେ ହିଁ ଚିହ୍ନଟ ହୋଇଥିଲା। ସିଡିସିର ନିର୍ଦ୍ଦେଶକ ଡା ରୋଚେଲ୍ଲେ ପି ୱାଲେନସ୍କାଏ ମଧ୍ୟ ଟିକା ନେଇଥିବା ନ ଥିବା ଲୋକଙ୍କ ଭଳି ଟିକା ନେଇଥିବା ବ୍ୟକ୍ତିଙ୍କ ତଣ୍ଟି ଓ ନାକରେ ସମାନ ପରିମାଣର ଡେଲ୍ଟା ଭାଇରସ ବସା ବାନ୍ଧି ରହିଥାଏ ବୋଲି ସ୍ୱୀକାର କରିଛନ୍ତି।

ଅନ୍ତରୀଣ ରିପୋର୍ଟରେ ଡେଲ୍ଟା ଭାରିଏଣ୍ଟ କିଛି ଅନ୍ୟ ମାରାତ୍ମକ ରୋଗ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ମେର୍ସ, ସାର୍ସ, ଇବୋଲା, ସାଧାରଣ ଥଣ୍ଡା, ଋତୁକାଳୀନ ଫ୍ଲୁ ଓ ହାଡ଼ଫୁଟି ସୃଷ୍ଟି କରୁଥିବା ଭାଇରସ ତୁଳନାରେ ଡେଲ୍ଟା ଭାରିଏଣ୍ଟ ଜଣଙ୍କ ଠାରୁ ଆଉ ଜଣଙ୍କୁ ବ୍ୟାପିବାର କ୍ଷମତା ରଖିଛି।

ଡେଲ୍ଟା ଭାରିଏଣ୍ଟ ବା B.1.617.2 ମଧ୍ୟ ଅନ୍ୟାନ୍ୟ ମାରାତ୍ମକ ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ କରୋନା ବିରୋଧରେ ଚାଲିଥିବା ଯୁଦ୍ଧ ପାଇଁ ରଣନୀତି ପରିବର୍ତ୍ତନ କରିବାକୁ ମଧ୍ୟ ଏଥିରେ ପରାମର୍ଶ ଦିଆଯାଇଛି। ଡେଲ୍ଟା ଭାରିଏଣ୍ଟକୁ ନେଇ ଦସ୍ତାବିଜରେ ଥିବା ପ୍ରାଥମିକ ତଥ୍ୟ ସିଡିସି ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହା ଭବିଷ୍ୟତରେ ବିପଦର କାରଣ ପାଲଟି ପାରେ ବୋଲି ସେମାନେ କହିଛନ୍ତି।

ଦସ୍ତାବିଜରେ ଆହୁରି କୁହାଯାଇଛି ଯେ ଟିକା ନେଇଥିବା ଲୋକମାନେ ଟିକା ନେଇ ନଥିବା ଲୋକଙ୍କ ତୁଳନାରେ ଅଧିକ ସୁରକ୍ଷିତ। ଟିକା ଲୋକଙ୍କୁ ଗୁରୁତର ହେବାରୁ ୯୦% ସୁରକ୍ଷା ଦେଇଥାଏ। କିନ୍ତୁ ଏହା ସଂକ୍ରମଣକୁ ବ୍ୟାପିବାରେ ସେତେଟା ପ୍ରଭାବ ଦେଖାଇ ନପାରେ। ତେଣୁ ଟିକାକରଣ ପରେ ବି ଅନେକ ଲୋକ ସଂକ୍ରମିତ ହେବା ସହ ଗୋଷ୍ଠୀ ସଂକ୍ରମଣର ମଧ୍ୟ ଆଶଙ୍କା ରହିଥିବା ଦସ୍ତାବିଜରେ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।