କରୋନା ବିପର୍ଯ୍ୟୟ ନେଇଛି ୨,୨୮,୦୦୦ ଛୋଟ ପିଲାଙ୍କ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ସ୍ୱାସ୍ଥ୍ୟସେବାରେ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାରିଆଡ଼େ କରୋନା ଉପରେ ଗୁରୁତ୍ୱ ଦିଆଯାଇ ଚିକିତ୍ସା କରାଯାଉଥିବା ବେଳେ ଏଥିଯୋଗୁ ଅନ୍ୟ ସ୍ୱାସ୍ଥ୍ୟସେବା ଗୁଡ଼ିକ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ଏହି କାରଣରୁ କେବଳ ଦକ୍ଷିଣ ଏସିଆ ଦେଶରେ ୨,୩୯,୦୦୦ ଜଣ ଗର୍ଭବତୀ ଓ ଛୋଟ ପିଲା ଜୀବନ ହରାଇଛନ୍ତି। ଏ ସମ୍ପର୍କରେ ମିଳିତ ଜାତିସଂଘ ପକ୍ଷରୁ ଗୋଟିଏ ରିପୋର୍ଟ ପ୍ରକାଶ ପାଇଛି।

ଦକ୍ଷିଣ ଏସିଆ ଅନ୍ତର୍ଗତ ଆଫଗାନିସ୍ତାନ, ନେପାଳ, ବାଂଲାଦେଶ, ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କାରେ ପ୍ରାୟ ୧.୮ ବିଲିୟନ ଲୋକ ରହୁଛନ୍ତି। କରୋନା ସମୟରେ ସେମାନଙ୍କ ସ୍ଥିତିକୁ ନେଇ ଜାତିସଂଘ ଏହି ରିପୋର୍ଟ ଦେଇଛି। ରିପୋର୍ଟରେ କୁହାଯାଇଛି ଯେ କରୋନା ଯୋଗୁ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଯୋଗୁ ମହିଳା, ଛୋଟ ପିଲା ଓ କିଶୋର ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।

ଦକ୍ଷିଣ ଏସିଆରେ କରୋନାରେ ପ୍ରାୟ ୧୩ ମିଲିୟନ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧,୮୬,୦୦୦ ଲୋକ ପ୍ରାଣ ହରାଇଛନ୍ତି। ହେଲେ କରୋନାରେ ଆକ୍ରାନ୍ତ ନ ହୋଇ ମଧ୍ୟ ୨,୨୮,୦୦୦ ଛୋଟ ପିଲା ପ୍ରାଣ ହରାଇଛନ୍ତି। କରୋନା ଯୋଗୁ ସବୁ ରାଷ୍ଟ୍ର ଲକଡାଉନ ଓ ଶଟଡାଉନ ନୀତି ଆପଣାଇଥିଲେ। ତେବେ ଏହି ସମୟରେ ହସ୍ପିଟାଲ, ଫାର୍ମାସିସ ଓ ଗ୍ରୋସରୀ ଦୋକାନ ଖୋଲା ରହିଥିଲା।

ମିଳିତ ଜାତିସଂଘ ତା’ ରିପୋର୍ଟରେ କହିଛି, ଉପରୋକ୍ତ ୬ଟି ରାଷ୍ଟ୍ରରେ କରୋନା ଯୋଗୁ ସୃଷ୍ଟି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଯୋଗୁ ୫ ବର୍ଷରୁ କମ ବୟସର ପ୍ରାୟ ୨,୨୮,୦୦ ପିଲା ପ୍ରାଣ ହରାଇଛନ୍ତି। କରୋନା ଯୋଗୁ ସେମାନେ ଉପଯୁକ୍ତ ପୁଷ୍ଟି ଠାରୁ ଆରମ୍ଭ କରି ଜରୁରୀ ଟିକା ନ ନେଇପାରିବାରୁ ଜୀବନ ହରାଇଛନ୍ତି। ଅତି ଗୁରୁତର ଅପପୁଷ୍ଟିର ଶିକାର ହୋଇ ବାଂଲାଦେଶ ଓ ନେପାଳରେ ଚିକିତ୍ସିତ ହେଉଥିବା ପିଲାଙ୍କ ସଂଖ୍ୟା ୮୦% ହ୍ରାସ ପାଇଛି। ସେହିପରି ଭାରତ ଓ ପାକିସ୍ତାନରେ ଛୋଟ ପିଲାମାନଙ୍କ ଟିକାକରଣ କାର୍ଯ୍ୟକ୍ରମ ଯଥାକ୍ରମେ ୩୫% ଓ ୬୫% ହ୍ରାସ ଘଟିଥିଲା।

ଭାରତରେ ଶିଶୁମୃତ୍ୟୁ ହାର ୨୦୨୦ରେ ସବୁଠାରୁ ଅଧିକ ବୃଦ୍ଧି ପାଇ ୧୫.୪%ରେ ପହଞ୍ଚି ଯାଇଛି। ଭାରତ ପଛକୁ ବାଂଲାଦେଶରେ ଶିଶୁମୃତ୍ୟୁହାର ୧୩% ରହିଛି। ଶ୍ରୀଲଙ୍କାରେ ଗଭର୍ବତୀଙ୍କ ମୃତ୍ୟୁହାର ୨୧.୫%କୁ ବୃଦ୍ଧି ପାଇଥିବା ବେଳେ ପାକିସ୍ତାନରେ ଏହା ୨୧.୩% ରହିଛି।

କରୋନା ସମୟରେ ଅତିରିକ୍ତ ୩.୫ ନିୟୁତ ମହିଳା ସତର୍କତା ଅଭାବରୁ ଗର୍ଭବତୀ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୦୦,୦୦୦ ଟିନଏଜର୍ସସ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।