କରୋନା ସ୍ଥିତି ସାଂଘାତିକ, ତଥାପି ଲକଡାଉନ ପାଇଁ ରାଜି ହେଲେନି ରାଜନୀତିକ ଦଳ

ଥିରୁବନନ୍ତପୁରମ: ଦେଶର ବିଭିନ୍ନ ପ୍ରାନ୍ତ ଭଳି କେଳରେ ମଧ୍ୟ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଛି। ସ୍ଥିତି ଏପରି ହୋଇଛି ଯେ ରାଜ୍ୟର ଦୈନିକ ସଂକ୍ରମଣ ୨୮ ହଜାର ପାର କରିଗଲାଣି। ସ୍ଥିତିକୁ ଦେଖି ଆଜି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା।

କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ଲକଡାଉନର ଆବଶ୍ୟକତା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ତେବେ ସବୁ ରାଜନୀତିକ ଦଳର ନେତା ଲକଡାଉନ ବିରୋଧରେ ମତଦେଇଥିଲେ। କରୋନାର ସାଂଘାତିକ ରୂପ ସତ୍ତ୍ୱେ କେରଳରେ ଲକଡାଉନ ଲାଗୁ କରାଯିବ ନାହିଁ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି।

ଦୀର୍ଘ ୨ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ପରେ ବିରୋଧୀ ଦଳ ନେତା ରମେଶ ଛେନ୍ନିଥାଲା କହିଛନ୍ତି, ପୂରା ରାଜ୍ୟରେ ଲକଡାଉନ ନ କରିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ବିଧାନସଭା ନିର୍ବାଚନ ଫଳାଫଳ ମେ’ ୨ରେ ପ୍ରକାଶ ପାଇବ। ସେଦିନ ସମସ୍ତ ପ୍ରକାରର ଆୟୋଜନକୁ ଯଥା ସମ୍ଭବ କମ କରିବାକୁ ସମସ୍ତେ ରାଜି ହୋଇଛନ୍ତି। ରାଜ୍ୟରେ କରୋନାର ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ନିୟମକୁ କଡ଼ାକଡ଼ି ପାଳନ କରାଯିବ। ବିଶେଷ କରି ବାହାଘର ଓ ଶୁଦ୍ଧିକ୍ରିୟାରେ ଯେମିତି ଧାର୍ଯ୍ୟ ସୀମାରୁ ଅଧିକ ଲୋକ ଯୋଗ ନଦେବେ, ତା’ର ବ୍ୟବସ୍ଥା ସ୍ଥାନୀୟ ପ୍ରଶାସନ କରିବ। ସେହିପରି ରାଜ୍ୟରେ ରାତି ୯ରୁ ଭୋର ୫ଟା ଯାଏ ନାଇଟ କର୍ଫ୍ୟୁ ଓ ୱିକଏଣ୍ଡ ଶଟଡାଉନ ବିଷୟରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

ସପ୍ତାହାନ୍ତ ଶଟଡାଉନ ବେଳେ କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। ଘରୋଇ ଗାଡ଼ି ରାସ୍ତାରେ ଚାଲିବନି ଓ ସମସ୍ତେ ଦୁଇ ଦିନ ଘର ମଧ୍ୟରେ ବନ୍ଦ ହୋଇ ରହିବେ। ଅମାନିଆଙ୍କୁ ସାବାଡ଼ କରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରିବ ବୋଲି ନିଷ୍ପତ୍ତି ହୋଇଛି।

ରବିବାର କେରଳରେ ୨୮,୪୬୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।