ଛୋଟ ପିଲାଙ୍କ ଟିକାକରଣ ନିଷ୍ପତ୍ତିକୁ ଭୁଲ କହିଲେ ଏମ୍ସ ବିଶେଷଜ୍ଞ

ନୂଆଦିଲ୍ଲୀ: ଜାନୁଆରୀ ୩ ତାରିଖରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ଛୋଟ ପିଲାମାନଙ୍କୁ କରୋନା ବିରୋଧୀ ଟିକା ଦିଆଯିବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ଏପରି ଘୋଷଣା କରିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ଏମ୍ସର ବରିଷ୍ଠ ମହାମାରୀ ବିଶେଷଜ୍ଞ ଡା ସଞ୍ଜୟ କେ ରାୟ ଭୁଲ ବୋଲି କହିଛନ୍ତି।

ପ୍ରାପ୍ତ ବୟସ୍କ ଓ ପିଲାଙ୍କ ଉପରେ କୋଭାକ୍ସିନ ଟିକାର ଟ୍ରାଏଲ ବେଳେ ସେ ପ୍ରିନ୍ସପାଲ ଇନଭେଷ୍ଟିଗେଟର ଭାବେ ଦାୟିତ୍ୱ ତୁଲାଇଛନ୍ତି। ଛୋଟ ପିଲାଙ୍କ ଟିକାକରଣ ନିଷ୍ପତ୍ତିକୁ ସେ ଅଣବୈଜ୍ଞାନିକ ଓ ଏହା ଦ୍ୱାରା କୌଣସି ଅଧିକ ଫାଇଦା ମିଳିବ ନାହିଁ ବୋଲି କହିଛନ୍ତି।

ଇଣ୍ଡିଆନ ପବ୍ଲିକ ହେଲ୍ଥ ଆସୋସିଏସନର ସଭାପତି ଥିବା ଡା ରାୟ କହିଛନ୍ତି, “ଦେଶରେ ଛୋଟ ପିଲାଙ୍କ ଟିକାକରଣ ପାଇଁ ଅନୁମତି ଦେବା ପୂର୍ବରୁ ବିଭିନ୍ନ ତଥ୍ୟର ବିଶ୍ଲେଷଣ କରିବାର ଥିଲା। ବିଶେଷ କରି ଯେଉଁ ସବୁ ଦେଶରେ ଛୋଟ ପିଲାମାନଙ୍କର ଟିକାକରଣ ହେଉଛି, ତା’ର ତଥ୍ୟକୁ ବିଚାର କରିବାର ଥିଲା।

ଦେଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯୋଗାଇ ଆସୁଥିବା ନିଃସ୍ୱାର୍ଥ ସେବା ଓ ଠିକଣା ସମୟରେ ସେ ନେଉଥିବା ନିଷ୍ପତ୍ତିର ମୁଁ ଜଣେ ବଡ଼ ଫ୍ୟାନ। କିନ୍ତୁ କୌଣସି ବୈଜ୍ଞାନିକ କାରଣକୁ ବିଚାରକୁ ନ ନେଇ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ନିଷ୍ପତ୍ତି ନେବା ଘଟଣା ମୋତେ ବ୍ୟଥିତ କରିଛି।

ବର୍ତ୍ତମାନ ସୁଦ୍ଧା ଆମ ପାଖରେ ଥିବା ତଥ୍ୟ ଅନୁଯାୟୀ ସଂକ୍ରମଣ ଉପରେ ଟିକାର କୌଣସି ପ୍ରକାରର ପ୍ରଭାବ ପଡ଼ୁନି। ସଂକ୍ରମଣକୁ ଟିକା ରୋକି ପାରୁନି। କିଛି ଦେଶରେ ବୁଷ୍ଟର ଡୋଜ୍‌ ନେବା ପରେ ମଧ୍ୟ ଲୋକମାନେ ସଂକ୍ରମିତ ହେଉଛନ୍ତି। ବ୍ରିଟେନରେ ପ୍ରତିଦିନ ଟିକା ନେଇଥିବା ୫୦ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି।

ତେଣୁ କରୋନା ଟିକା ସଂକ୍ରମଣକୁ ରୋକିବାରେ ଫଳପ୍ରଦ ହେଉ ନଥିବା ପ୍ରମାଣିତ ହେଉଛି। ତେବେ ଟିକା ଜଣଙ୍କୁ ଗୁରୁତର ଓ ମୃତ୍ୟୁମୁଖରୁ ରକ୍ଷା କରିପାରୁଛି। ୧୦ ଲକ୍ଷ ଲୋକରେ କରୋନା ମୃତ୍ୟୁହାର ପ୍ରାୟ ୧୫ ହଜାର। ଟିକା ଦ୍ୱାରା ଆମେ ଏହି ମୃତ୍ୟୁହାରକୁ ୮୦ରୁ ୯୦% ହ୍ରାସ କରିପାରିବା। ଏହାର ଅର୍ଥ ପ୍ରତି ୧୦ ଲକ୍ଷରେ ୧୩ରୁ ୧୪ ହଜାର ମୃତ୍ୟୁକୁ ଆମେ ଚାହିଁଲେ ରୋକିପାରିବା। ପ୍ରାପ୍ତ ବୟସ୍କଙ୍କ ପାଇଁ ଟିକା ବେଶ ଲାଭଦାୟକ।”

ଛୋଟ ପିଲାଙ୍କ ଟିକାକରଣ ଦ୍ୱାରା ବିଶେଷ ଫାଇଦା ମିଳିବ ନାହିଁ ବୋଲି ଡା ରାୟ କହିଛନ୍ତି। ସେ କହିଛନ୍ତି, ପିଲାମାନଙ୍କ କ୍ଷେତ୍ରରେ କରୋନା ଗୁରୁତର ରୂପ ଧାରଣ କରିବାର କୌଣସି ପ୍ରମାଣ ମିଳିନାହିଁ। ଜଣେ ଛୋଟ ପିଲା କରୋନାରେ ଗୁରୁତର ହେବାର ଆଶଙ୍କା ଯଥେଷ୍ଟ କମ।

ପ୍ରତି ୧୦ ଲକ୍ଷରେ ୨ ଜଣ ଛୋଟ ପିଲା କରୋନାରେ ପ୍ରାଣ ହରାଉଥିବା ରିପୋର୍ଟ ରହିଛି। ପ୍ରାପ୍ତ ବୟସ୍କଙ୍କ ଭଳି ୧୫ ହଜାର ଛୋଟ ପିଲା ପ୍ରାଣ ହରାଉନାହାନ୍ତି। ଟିକାର ପାର୍ଶ୍ୱପ୍ରତିକ୍ରିୟା ପିଲାମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଇପାରେ। ତେଣୁ ଟିକାର ଫାଇଦା ଅପେକ୍ଷା ରିସ୍କ ଅଧିକ ରହିଛି।

ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟରୁ ଏପରି ସୂଚନା ମିଳୁଛି। ଏଯାଏ ପିଲାମାନଙ୍କ ଟିକାକରଣ କରିଥିବା ଦେଶଗୁଡ଼ିକ କୌଣସି ଅତିରିକ୍ତ ଲାଭ ପାଇନାହାନ୍ତି। ଆମେରିକା ସମେତ କିଛି ଦେଶ ୫ ମାସ ତଳକୁ ଛୋଟ ପିଲାମାନଙ୍କ ଟିକାକରଣ କରୁଛନ୍ତି। ଏହି ଟିକାକରଣ ଦ୍ୱାରା କ’ଣ ଫାଇଦା ମିଳିଛି, ତା’ର ବିଶ୍ଲେଷଣ କରାଯିବାର ଥିଲା। ତର୍ଜମା ସରିବା ପରେ ଛୋଟ ପିଲାମାନଙ୍କ ଟିକାକରଣ ଉପରେ ନିଷ୍ପତ୍ତି ନେଇଥିଲେ ଭଲ ହୋଇଥାଆନ୍ତା ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।